କୋଲକାତା,୦୬/୦୯: ଶ୍ରୀଲଙ୍କାର ପୂର୍ବତନ ୱିକେଟ୍ କିପର ବ୍ୟାଟର କୁମାର ସାଙ୍ଗାକାରା ଆଗାମୀ ଆଇପିଏଲ୍ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଦଳର ମେଣ୍ଟର ନିଯୁକ୍ତ ହେବା ସମ୍ଭାବନା ରହିଛି । ସେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ଦଳର ନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି।
ଆଗାମୀ ସିଜନ ପାଇଁ ପୂର୍ବତନ ଟିମ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କୁ ରାଜସ୍ଥାନ ରୟାଲ୍ସ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛି । ସହକାରୀ କୋଚ୍ ଭାବେ ବିକ୍ରମ ରାଠୋର ମଧ୍ୟ ରୟାଲ୍ସ ଦଳରେ ଯୋଗ ଦେବେ । ତେଣୁ ସାଙ୍ଗାକାରା ପୁରୁଣା ଫ୍ରାଞ୍ଚାଇଜ୍ର ଦାୟିତ୍ୱ ଛାଡ଼ି ନୂଆ ଦଳରେ ଯୋଗ ଦେବାକୁ ଚାହୁଁଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ନୂଆ ମେଣ୍ଟର ଖୋଜୁଛି । ଗୌତମ ଗମ୍ଭୀର ଗତ ସିଜନରେ ନାଇଟ୍ ରାଇଡର୍ସର ମେଣ୍ଟର ଭାବେ ଯୋଗ ଦେଇ ଦଳକୁ ଚାମ୍ପିଅନ୍ କରାଇଥିଲେ । ସେ ବର୍ତ୍ତମାନ ଟିମ ଇଣ୍ଡିଆ ମୁଖ୍ୟ କୋଚ୍ । ସହକାରୀ କୋଚ ଥିବା ର୍ୟାନ୍ ଟେନ ଡୋସେଟ୍ ଓ ଅଭିଷେକ ନାୟର ମଧ୍ୟ ଭାରତୀୟ ଦଳର କୋଚ୍ ଭାବେ ଯୋଗ ଦେଇଛନ୍ତି । ତେଣୁ ନାଇଟ ରାଇଡର୍ସ ସାଙ୍ଗାକାରାଙ୍କୁ ନେବାକୁ ଆଶା ବାନ୍ଧିଛି ।