ନୂଆଦିଲ୍ଲୀ, ୦୬/୦୨: ପ୍ରତିବର୍ଷ ବୋର୍ଡ ପରୀକ୍ଷା ପୂର୍ବରୁ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପରୀକ୍ଷା ଉପରେ ଚର୍ଚ୍ଚା କରାଯାଇଥାଏ । ହେଲେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଏକ ଭିନ୍ନ ଢଙ୍ଗରେ ହେବାକୁ ଯାଉଛି । 'ପରୀକ୍ଷା ପେ ଚର୍ଚ୍ଚା' ବା ପିପିସିର ୮ମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୀପିକା ପାଦୁକୋଣ, ସଦ୍ଗୁରୁ, ବିକ୍ରାନ୍ତ ମୈସୀ, ମୈରି କମ୍ଙ୍କ ଭଳି ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ । ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ୩ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ କରାଇଛନ୍ତି । ଏହି ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମର ତାରିଖ ମଧ୍ୟ ଘୋଷଣା କରି ଦିଆଯାଇଛି । 'ପରୀକ୍ଷା ପେ ଚର୍ଚ୍ଚା' ନୂଆଦିଲ୍ଲୀର ପ୍ରଗତି ପଡ଼ିଆର ଭାରତ ମଣ୍ଡପରେ ଫେବୃଆରୀ ୧୦ ତାରିଖରେ ଆୟୋଜିତ ହେବ ।
ଏହି କାର୍ଯ୍ୟକ୍ରମରେ ଦୀପିକା ପାଦୁକୋଣ, ଇଶା ଫାଉଣ୍ଡେସନ୍ର ସଂସ୍ଥାପକ ତଥା ଜଣାଶୁଣା ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜଗ୍ଗୀ ବାସୁଦେବ, ବକ୍ସିଂ ଚାମ୍ପିଅନ୍ ମୈରୀ କମ୍, ପାରା ଅଲମ୍ପିକ ସ୍ୱର୍ଣ୍ଣ ବିଜେତା ଅବ୍ନି ଲେଖରା, ସେଲିବ୍ରିଟି ଫିଟନେସ୍ କୋଚ୍ ଋଜୁତା ଦିବେକର୍, ନ୍ୟୁଟ୍ରିସିଏଣ୍ଟ ସୋନାଲି ସଭରବାଲ, ଫୁଡ୍ ଫାର୍ମର୍ ରେବନ୍ତ ଗିମାତ୍ସିଙ୍ଗକା, ୧୨ମ ଫେଲ୍ ସିନେମାର ଅଭିନେତା ବିକ୍ରାନ୍ତ ମୈସୀ, ଅଭିନେତ୍ରୀ ଭୂମି ପେଡନେକର୍, ଟେକ୍ନିକାଲ ଗୁରୁଜି ଗୋରବ ଚୌଧୁରୀ, ଏଡଲବାଇସ୍ ମ୍ୟୁଚୁଆଲ ଫଣ୍ଡ୍ର ଏମ୍ଡି ଏବଂ ସିଇଓ ରାଧିକା ଗୁପ୍ତା ଆଦି ସାମିଲ ହେବେ ।
କେନ୍ଦ୍ର ସରକାରଙ୍କ ସୂଚନାନୁଯାୟୀ, ଏହି କାର୍ଯ୍ୟକ୍ରମ ପାଇଁ ୩.୬ କୋଟି ଲୋକ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୩.୩ କୋଟି ଛାତ୍ରଛାତ୍ରୀ, ୨.୭ ଲକ୍ଷ ଶିକ୍ଷକ ଏବଂ ୫.୫ ଲକ୍ଷ ଅବିଭାବକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୫୦୦ ଲୋକଙ୍କୁ ଭାରତ ମଣ୍ଡପରେ ଲାଇଭ୍ କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯିବ । ପରେ ସେହି ୨୫୦୦ ଲୋକଙ୍କ ମଧ୍ୟରୁ ସର୍ବୋତ୍ତମ ୧୦ ଲିଜେଣ୍ଡରୀ ଏକ୍ଜାମିନେସନ୍ ବ୍ୟାରିଅର୍ସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯିବାର ସୁବର୍ଣ୍ଣ ସୁଯୋଗ ମିଳିବ ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅବିଭାବକଙ୍କ ସହ ପରୀକ୍ଷା ସମ୍ୱନ୍ଧୀୟ ସମସ୍ୟାର ସମାଧାନ ଉପରେ ଆଲୋଚନା କରି ଟିପ୍ସ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ପରୀକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସିଧା ସଳଖ ପ୍ରଶ୍ନ ପଚାରିବାକୁ ସୁଯୋଗ ମିଳିବ ।
ବିଦ୍ୟାଳୟ ସ୍ତରରେ ବିଭିନ୍ନ ଗତିବିଧିର ଆୟୋଜନ-
'ପରୀକ୍ଷା ପେ ଚର୍ଚ୍ଚା'କୁ ଏକ ଜନ ଆନ୍ଦୋଳନ ରୂପରେ ମଜବୁତ କରିବା ପାଇଁ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖ(ରାଷ୍ଟ୍ରୀୟ ଯୁବା ଦିବସ) ଠାରୁ ଆରମ୍ଭ କରି ଜାନୁଆରୀ ୨୫ ତାରିଖ (ନେତାଜୀ ସୁବାଷ ଚନ୍ଦ୍ର ବୋସ ଜୟନ୍ତୀ) ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ତରରେ ବିଭିନ୍ନ ଗତିବିଧିର ଆୟୋଜନ କରାଯାଇଛି । ଏହି ଗତିବିଧି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହୋଇଥିଲା । ପରୀକ୍ଷାର୍ଥୀ, ଅବିଭାବକ ଏବଂ ଶିକ୍ଷକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚାକୁ ଏକ ଉତ୍ସବ ରୂପରେ ପାଳନ କରି ସେଥିରେ ସାମିଲ କରିବା ହିଁ ଏହି ଆୟୋଜନର ମୂଳ ଲକ୍ଷ ଥିଲା ।