ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଘର ଡିହ ବିକ୍ରି କରିଦେଲା ବଡ ପୁଅ, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ବାପାମା’

Published By : Prameya | February 11, 2025 12:34 PM

ପୁରୀ ୧୧/୦୨:  ବ୍ୟାଙ୍କରୁ ବାରମ୍ବାର ନୋଟିସ୍‌ ଆସୁଥିଲା । ଋଣ ପରିଶୋଧ ନକଲେ ଘର ନିଲାମ ହୋଇଯିବ । ବାପା-ମା' ଓ ସାନଭାଇ ଏହାକୁ ମଥାପାତି ସହି ଯାଉଥିଲେ । ବଡ଼ପୁଅ ଟଙ୍କା ଶୁଝି ଦେବ ବୋଲି ବିଶ୍ୱାସ ରଖି ଚୁପ୍‌ ରହୁଥିଲେ । ହେଲେ ଯେଉଁ ଜମିରୁ ସେମାନେ ବର୍ଷ ତମାମ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ ସେଠାକୁ ଯିବା ବେଳେ ବାରଣ କରାଗଲା । ପଚରାଉଚରା ପରେ ଜଣାପଡ଼ିଲା ତାହାକୁ ମଧ୍ୟ ବଡ଼ପୁଅ ବିକ୍ରି କରି ଦେଇଛି । ବାପାମା’ଙ୍କ ପାଖରେ ନିଜର ବୋଲି କିଛି ନାହିଁ । ଯାହାକୁ ନେଇ ସେମାନେ ଭାଙ୍ଗି ପଡ଼ିଛନ୍ତି । ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି । ଏମିତି ଏକ ଘଟଣା ଘଟିଛି ସତ୍ୟବାଦୀ ବ୍ଲକ୍‌ ବଳପୁର ପଞ୍ଚାୟତର ବେହେରା ସାହିରେ । 

ଦେବ ବେହେରା, ପତ୍ନୀ ତାରାମଣି ବେହେରା, ସାନପୁଅ ସୁଦର୍ଶନ ବେହେରା ଓ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ବେହେରା ମହାମହିମଙ୍କ ନିକଟକୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେକ ଆବେଦନ କରିଛନ୍ତି । ସାନପୁଅର ଶିଶୁକନ୍ୟାକୁ ଅନାଥାଶ୍ରମରେ ରଖିବା ନିମନ୍ତେ ପରିବାର ଲୋକେ ଅନୁରୋଧ କରିଥିବା ଜଣାପଡ଼ିଛି । ଆବେଦନରୁ ଜଣାପଡ଼ିଛି, ପ୍ରାୟ ୪୫ବର୍ଷ ତଳେ ଦେବଙ୍କ ପିତା ସ୍ୱର୍ଗତ ବଳି ବେହେରା ୬ବର୍ଷର ନାତି ତଥା ତାଙ୍କ ବଡ଼ପୁଅ ଧଡ଼ୁ ନାମରେ ୧ ଏକର ୨୨ ଡେସିମିଲ୍‌ ଜମିକୁ ରେଜିଷ୍ଟ୍ରି କରିଥିଲେ । ଏବେ ଧଡ଼ୁ ରେଳ ବିଭାଗର ପୁରୀରେ ଗ୍ୟାଙ୍ଗ ମ୍ୟାନ୍‌ ଭାବେ ଚାକିରି କରୁଛନ୍ତି । ପରିବାରର ଏକମାତ୍ର ସାହା ଭରସା ଥିବା ଚାକିରିଆ ବଡ଼ପୁଅ ବିବାହ ପରେ ପତ୍ନୀ ସହ ଜଟଣୀରେ ରହୁଛନ୍ତି । ବାପା-ମା' ଓ ସାନଭାଇକୁ ଆଉ ପଚାରୁନାହାନ୍ତି । ପୁଅ ପଚାରୁ ନ ଥିଲେ ସୁଦ୍ଧା ସେମାନେ ଏହି ଜମିରେ ଚାଷବାସ କରି ବହୁ ଦୁଃଖ କଷ୍ଟରେ ଚଳୁଥିଲେ । 

ଗତ ଫେବ୍ରୁଆରୀ ୪ରେ ସତ୍ୟବାଦୀ ପଞ୍ଚାୟତ ସମିତି ଉପାଧ୍ୟାକ୍ଷା ନିବେଦିତା ପାତ୍ର, ସ୍ୱାମୀ ପ୍ରକାଶ ପ୍ରଧାନ, ଶ୍ୱଶୁର ଲକ୍ଷ୍ମଣ ପ୍ରଧାନ ଓ ଭାଇ ନଟ ପ୍ରଧାନ ପ୍ରମୁଖ ଦେବଙ୍କୁ ଚାଷ ଜମିକୁ ଯିବାକୁ ବାରଣ କରିଥିଲେ । ସେମାନେ କହିଥିଲେ, ତୁମ ବଡ଼ପୁଅ ଆମକୁ ଜମି ବିକ୍ରି କରିଦେଇଛି । ସେଠାକୁ ଗଲେ ହାଣିଦେବୁ ବୋଲି ଧମକ ଦେଇଥିଲେ । ଧଡ଼ୁ ଉପସ୍ଥିତିରେ ଉପାଧ୍ୟକ୍ଷାଙ୍କ ପରିବାର ସହିତ ୫୦ରୁ ୬୦ଜଣ ନିଶାସକ୍ତ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜମିରେ ହୋଇଥିବା ମୁଗ ଫସଲ କିଆରୀରେ ହଳ କରି ଦେଇଥିଲେ । ଖୁଣ୍ଟ ପୋତି ତାରବାଡ଼ କରି ଦଖଲ କରିଥିଲେ । ଦେବ ଯେତେ ଗୁହାରି କଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ଧଡ଼ୁ କହିଲେ ମୋ ସମ୍ପତ୍ତି, ମୁଁ ବିକିଛି । ତୁମେ ଏଠାକୁ ଆସନାହିଁ । ସେମାନେ ଥାନାରେ ବି ଅଭିଯୋଗ କରିଥିଲେ । ସନ୍ଧ୍ୟାରେ ସତ୍ୟବାଦୀ ଥାନାରୁ ଡାକରା ଆସିଥିଲା । ସେଠାକୁ ଯିବା ପରେ ଜଣେ ଅଧିକାରୀ ଜମିକୁ ନଯିବା ନିମନ୍ତେ ଦେବଙ୍କୁ ତାଗିଦ୍‌ କରିଥିଲେ । ସେଠାକୁ ଗଲେ ଜେଲ୍‌ ଯିବ ବୋଲି ଚେତାବନୀ ଦେଇଥିଲେ । 

ବୁଝାସୁଝା ପରେ ଜଣାପଡ଼ିଥିଲା, ସେମାନଙ୍କ ଅଜାଣତରେ ଧଡ଼ୁ ଜମିକୁ ପିପିଲି ଥାନା ଅନ୍ତର୍ଗତ ସଙ୍ଗଳାଇ ଶାସନ ଗ୍ରାମର ମନୋଜ ମଲ୍ଲିକଙ୍କୁ ବିକ୍ରି କରିଛି । ଦେବ ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ଉପାଧ୍ୟାକ୍ଷା ନିବେଦିତା ପାତ୍ର ଓ ତାଙ୍କ ସ୍ୱାମୀ ପ୍ରକାଶ ପ୍ରଧାନ ସାଧାରଣ ବର୍ଗର ହୋଇଥିବାରୁ ସିଧାସଳଖ ଜମି କିଣିପାରିବେନାହିଁ । ମନୋଜ ବର୍ତ୍ତମାନ ଏହି ଜମି ବିକ୍ରି କରିବା ନିମନ୍ତେ ପୁରୀ ଉପଜିଲ୍ଲାପାଳଙ୍କ ଅଦାଲତରେ ଏକ ମକଦ୍ଦମା କରି ଆବେଦନ କରିଛନ୍ତି । ଉପଜିଲ୍ଲାପାଳଙ୍କ ଅଦାଲତରୁ ମଞ୍ଜୁରୀ ମିଳିଗଲେ ମନୋଜ ଏହି ଜମିକୁ ପ୍ରକାଶଙ୍କୁ ବିକ୍ରି କରିଦେବେ । କେବଳ ସେତିକି ନୁହେଁ, ପ୍ଲଟ୍‌ ନମ୍ବର-୨୮୬୬ରେ ଥିବା ୪ ଡିସିମିଲ ଘରବାରିକୁ ଧଡ଼ୁ ବ୍ୟାଙ୍କରେ ବନ୍ଧା ପକାଇ ୪୨ଲକ୍ଷ ଟଙ୍କା ଗୃହ ଋଣ ନେଇଛନ୍ତି । ଋଣ ପରିଶୋଧ ନିମନ୍ତେ ବ୍ୟାଙ୍କ ତରଫରୁ ଗତ ୬ ମାସ ହେବ ୧୮ଥର ନୋଟିସ୍‌ ଆସିଲାଣି । ବର୍ତ୍ତମାନ ବ୍ୟାଙ୍କ କର୍ତ୍ତୃପକ୍ଷ ଘର କାନ୍ଥରେ ନିଲାମ ଲାଗି ନୋଟିସ୍‌ ମାରିଛନ୍ତି । ଏବେ ରହିବାକୁ ଘର ବି ରହିବ ନାହିଁ । ଖଟିକରି ଖାଇବାକୁ ବିଲ ନାହିଁ । ତେଣୁ ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବାକୁ ଶ୍ରେଷ୍ଠ ମଣୁଛୁ ବୋଲି ଦେବଙ୍କ ପରିବାର ଲୋକେ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.