ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଅକ୍ସଫାମ୍‌ ରିପୋର୍ଟ: ବିଶ୍ୱରେ ଆୟ ଅସମାନତା, ୧% ଅତିଧନୀ ଯୋଡ଼ିଲେ ୪୨ ଟ୍ରିଲିୟନ ଡଲାର ସମ୍ପତ୍ତି, ବଢ଼ିଲା ଗରିବୀ

ନୂଆଦିଲ୍ଲୀ,୨୭/୦୭: ବିଶ୍ୱରେ ଆୟ ଅସମାନତା ଦିନକୁ ଦିନ ଅଧିକ ଓସାରିଆ  ହୋଇଚାଲିଛି । ଧନୀ ଆହୁରି ଧନୀ ହେଉଥିବାବେଳେ ଗରିବ ତଳକୁ ତଳକୁ ଖସୁଛି । ଏଭଳି ସ୍ଥିତିରେ  ଆଉ ଏକ ରିପୋର୍ଟ ଆୟ ଅସମାନତାର ଅତି ବିକୃତ ଛବି ଦେଖାଇଛି । ଅକ୍ସଫାମ୍‌ ପକ୍ଷରୁ ଜାରି ସଦ୍ୟ  ରିପୋର୍ଟ ଅନୁସାରେ, ଗତ ୧୦ ବର୍ଷରେ ବିଶ୍ୱର  ୧% ଅତିଧନୀ ମିଳିତ ଭାବେ ୪୨ ଟ୍ରିଲିୟନ ଡଲାର  ସମ୍ପତ୍ତି ଯୋଡ଼ିଛନ୍ତି । ଯାହାକି ବିଶ୍ୱର ୫୦% ଅତି  ଗରିବଙ୍କ ମୋଟ ସମ୍ପତ୍ତିର ୩୪ ଗୁଣା । ବ୍ରାଜିଲରେ  ହେବାକୁ ଥିବା ଜି-୨୦ ବୈଠକ ପୂର୍ବରୁ ଅକ୍ସଫାମ୍‌  ପକ୍ଷରୁ ଏ ରିପୋର୍ଟ ଜାରି ହୋଇଛି । 

ତେବେ ଉପରୋକ୍ତ ୧% ଧନୀଙ୍କ ମଧ୍ୟରେ  ବ୍ୟକ୍ତି ପିଛା ହାରାହାରି ସମ୍ପତ୍ତି ଗତ ଦଶନ୍ଧିରେ ପ୍ରାୟ  ୪୦୦,୦୦୦ ଡଲାର ବୃଦ୍ଧି ପାଇଛି । ଅନ୍ୟପକ୍ଷରେ,  ନିମ୍ନ ସ୍ତରରେ ଥିବା ଅଧା ଜନସଂଖ୍ୟାକୁ ଯଦି  ହିସାବକୁ ନିଆଯାଏ ଏଠାରେ ବ୍ୟକ୍ତି ପିଛା ସମ୍ପତ୍ତି  ଗତ ୧୦ ବର୍ଷରେ ମାତ୍ର ହାରାହାରି ୩୩୫ ଡଲାର  ବଢ଼ିଛି । 

ରିପୋର୍ଟ ଅନୁସାରେ, ଏତେ ସମ୍ପତ୍ତି  ଯୋଡ଼ିବା ସତ୍ତେ୍ୱ ଅରବପତିମାନେ ନିଜ ସମ୍ପତ୍ତିର  ମାତ୍ର ୦.୫%ରୁ କମ୍‌ ଟିକସ ଆକାରରେ ପ୍ରଦାନ କରିଛନ୍ତି । ଜି-୨୦ ଅର୍ଥମନ୍ତ୍ରୀମାନେ ବ୍ରାଜିଲ୍‌ର ରିଓ  ଡି ଜାନେଇରୋଠାରେ ଭେଟିବାକୁ ଯାଉଥିବାବେଳେ  ଉକ୍ତ ବୈଠକରେ ଅତି ଧନୀଙ୍କ ଉପରେ ଟିକସ  ବଢ଼ାଇବା ଲାଗି ଏକ ବିଶ୍ୱସ୍ତରୀୟ ଚୁକ୍ତି ସ୍ୱାକ୍ଷର  ହେବାର ସମ୍ଭାବନା ରହିଛି । ଆୟ ଅସମାନତାକୁ  ନେଇ ଜି-୨୦ ନେତୃବୃନ୍ଦ ଚିନ୍ତା ପ୍ରକଟ କରିଆସୁଛନ୍ତି ।  

ଏଭଳି ସ୍ଥିତିରେ ଆଗକୁ ଏହା ଉପରେ ଏକ ସ୍ୱତନ୍ତ୍ର  ନିଷ୍କର୍ଶ ବାହାରିପାରେ ବୋଲି ଅନୁମାନ ରହିଛି । ଅତିଧନୀଙ୍କ ଉପରେ ଟିକସ ବଢ଼ାଇବାକୁ ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ସ୍ପେନ୍‌ ଏବଂ ଫ୍ରାନ୍ସ ଭଳି ରାଷ୍ଟ୍ର  ସମର୍ଥନ କରିଆସୁଛନ୍ତି । ଆୟ ଅସମାନତାର  ସ୍ତରକୁ କମାଇବା ସହ ଧନୀମାନେ ସେମାନଙ୍କ  ସମ୍ପତ୍ତିର ଯୁକ୍ତିଯୁକ୍ତ ଭାଗ ଟିକସ ଆକାରରେ ପ୍ରଦାନ  କରିବା ଦରକାର ବୋଲି ମତ ପ୍ରକାଶ ପାଇଛି । ଆୟ ଅସମାନତା ବର୍ତ୍ତମାନ ଚରମ ସ୍ତରରେ ପହଞ୍ଚିଛି ।  ଏହାର ବିପରୀତ ପ୍ରଭାବରୁ ଲୋକମାନଙ୍କୁ ତଥା  ପୃଥିବୀକୁ ସୁରକ୍ଷା ଦେବାରେ ଏଯାବତ୍‌ ରାଷ୍ଟ୍ରଗୁଡ଼ିକ  ବିଫଳ ହୋଇଥିବା ଅକ୍ସଫାମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍ସର  ମୁଖ୍ୟ(ଅସମାନତା ନୀତି) ମାକ୍ସ ଲସନ୍‌ ପ୍ରକାଶ  କରିଛନ୍ତି । ବିଶ୍ୱର ୧% ଅତିଧନୀ ପକେଟ୍‌ ଭର୍ତ୍ତି  କରିବାରେ ଲାଗିଥିବାବେଳେ ନିମ୍ନ ବର୍ଗ ଗରିବ  ହୋଇଚାଲିଛନ୍ତି ।  

ରିପୋର୍ଟ ଅନୁସାରେ, ଗତ ୪ ଦଶନ୍ଧିରେ ଜି-୨୦ ରାଷ୍ଟ୍ରଗୁଡ଼ିକରେ ଶ୍ରେଷ୍ଠ ୧% ଧନୀଙ୍କ ଆୟ ଭାଗ  ୪୫% ବୃଦ୍ଧି ପାଇଛି । ସେମାନଙ୍କ ଆୟ ଉପରେ  ଟିକସ ମାତ୍ରାରେ ଏକ ତୃତୀୟାଂଶ ହ୍ରାସ କରାଯାଇଛି ।  ଅରବପତିଙ୍କ ଅତିରିକ୍ତ ସମ୍ପତ୍ତିକୁ ହ୍ରାସ କରିବା  ପାଇଁ ସେମାନଙ୍କ ଉପରେ ବାର୍ଷିକ ଅନ୍ୟୁନ ୮%ର  ଏକ ନେଟ୍‌ ସମ୍ପତ୍ତି ଟିକସ ଲଗାଇବା ଉଚିତ ବୋଲି  ଅକ୍ସଫାମ୍‌ ପରାମର୍ଶ ଦେଇଛି । ପ୍ରକାଶଯୋଗ୍ୟ, ବିଶ୍ୱର ମୋଟ ଅରବପତିଙ୍କ ମଧ୍ୟରେ ପ୍ରାୟ ୮୦%  ଜି-୨୦ ରାଷ୍ଟ୍ରଗୁଡ଼ିକରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.