ଭୁବନେଶ୍ୱର,୧୪/୦୨: ପ୍ରାକୃତିକ ବିପର୍ଯ୍ୟୟ ଭଳି ବିପଦର ପ୍ରାକ୍ ସୂଚନା ହେଉ କିମ୍ବା ଦେଶ ବିଦେଶର ଖବର, ଜରୁରି ସୂଚନାଠାରୁ ଆରମ୍ଭ କରି ମନୋରଞ୍ଜନ ଫୁଆର, ସବୁକିଛି ଅଜାଡ଼ି ଦେଉଥିଲା ରେଡିଓ । ଦୂର ପାର୍ବତ୍ୟ ଅଞ୍ଚଳ, ଅପହଞ୍ଚ ଇଲାକାରେ କିଏ ପହଞ୍ଚୁ ବା ନପହଞ୍ଚୁ ଖବର ପହଞ୍ଚାଇ ଦେଉଥିଲା ଏହି ବେତାର ଯନ୍ତ୍ର । ମଣିଷର ସାଥି ହୋଇ ରହିଥିବା ଏହି ଯନ୍ତ୍ରଟି ଏବେ ଇତିହାସ ହେବାକୁ ବସିଥିଲେ ମଧ୍ୟ ଆଜି ଅନେକଙ୍କ ଆଦର ହୋଇ ରହିଛି ।
ଅନ୍ତର୍ଜାତୀୟ ରେଡିଓ ଦିବସରେ ଭଞ୍ଜକଳା ମଣ୍ଡପରେ ଆଉଟ୍ ରିଚ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଇ ରେଡିଓର ସେହି ସ୍ମୃତିକୁ ରୋମନ୍ଥନ କରାଯାଇଛି । ଦୁଇଦିନ ଧରି ଏହି ପ୍ରଦର୍ଶନୀ ହେବ । ଏଠାରେ ପୁରୁଣା ରେଡିଓ ସେଟ୍ ମରାମତି ସହ ନୂତନ ରେଡିଓ ବ୍ରିକି ହେଉଛି ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜୟଲକ୍ଷ୍ମୀ ପାହାଡସିଂହ, ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ସହ ଆଉଟ ରିଚ୍ର ଆବାହକ ସୁବ୍ରତ କୁମାର ପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କୁ ଉପେନ୍ଦ୍ର କୁମାର ପାହାଡ଼ ସିଂହ ସ୍ମୃତି ସମ୍ମାନ ଏବଂ ଆକାଶବାଣୀ କେନ୍ଦ୍ର, କଟକର ପୂର୍ବତନ ଉଦ୍ଘୋଷକ ଅଭୟ କୁମାର ଦାସଙ୍କୁ ନଦିଆ ବିହାରୀ ମହାନ୍ତି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।
ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ସେବା ପାଇଁ ଡା.ପ୍ରଭଞ୍ଜନ ରାୟ ସାମନ୍ତ ଓ ଡ. ଦେବାଶିଷ ମିଶ୍ରଙ୍କୁ ମିହିର କୁମାର ନନ୍ଦ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଥିଲା । ଅପରାହ୍ଣରେ ଅନୁଷ୍ଠିତ ପ୍ରତିଯୋଗିତା ରେଡିଓ ସମ୍ବାଦ ପଠନ ଓ ବକ୍ତୃତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।