ଖଲ୍ଲିକୋଟ,୨୫।୩-ଖଲ୍ଲିକୋଟ ରୁ ହାଇଦ୍ରାବାଦ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ହାଇଦ୍ରାବାଦ ରେ ଗଞ୍ଜେଇ ବିକ୍ରି କରି ଦେଇ ସେଠାକାର ପୁଲିସ ଓ ଅବକାରୀ ବିଭାଗ ର ଆଖିରେ ଧୂଳି ଦେଇ ଖସି ଆସୁଥିଲେ ଯୁବତୀ। ଏଭଳି ଏକ ଚୋରା ଗଞ୍ଜେଇ ଚାଲାଣ ମାମଲାରେ ଖଲ୍ଲିକୋଟ ରୁ ଜଣେ ଯୁବତୀ ଙ୍କୁ ତେଲେଙ୍ଗାନା ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ସନ୍ଧ୍ୟା ରେ ତେଲେଙ୍ଗାନା ଅବକାରୀ ବିଭାଗ ଖଲ୍ଲିକୋଟ ଥାନା ପୁଲିସ ସହାୟତାରେ ଖଲ୍ଲିକୋଟ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଭଡା ଘରେ ଚଢ଼ାଉ କରିଥିଲା। ସେଠାରୁ ଜଣେ ଯୁବତୀକୁ ଗିରଫ କରିଥିଲେ। ତେବେ ଏହା ଖଲ୍ଲିକୋଟ ଥାନା ର ମାମଲା ନୁହେଁ ଏବଂ ତେଲେଙ୍ଗାନା ର ମାମଲା ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସ୍ପଷ୍ଟ ସୂଚନା ଦେଇଛନ୍ତି। ଗିରଫ ଯୁବତୀ ଜଣକ ଖୋର୍ଦ୍ଧା ଅଞ୍ଚଳର ଓ ସେ ଖଲ୍ଲିକୋଟ ରେ ଭଡା ଘରେ ରହି ଟ୍ରେନ ଯୋଗେ ହାଇଦ୍ରାବାଦ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବୋଲି ଆଇଆଇସି କହିଛନ୍ତି।ଗିରଫ ଯୁବତୀ କୁ ତେଲେଙ୍ଗାନା ରୁ ଆସିଥିବା ଅବକାରୀ କର୍ମଚାରୀ ମାନେ ସାଙ୍ଗ ରେ ଧରି ତେଲେଙ୍ଗାନା ଚାଲି ଯାଇଛନ୍ତି।
ତେବେ ୨୮ ବର୍ଷୀୟା ଉକ୍ତ ଯୁବତୀ ଏକା ଏହି ଚୋରା ଗଞ୍ଜେଇ କାରବାର କରୁଥିଲେ, ନା ତାଙ୍କ ସାଙ୍ଗ ରେ ସେହି ଭଡା ଘରେ ରହି ଆଉ କେହି ଏଥିରେ ସମ୍ପୃକ୍ତି ଅଛନ୍ତି, ସେ ସମ୍ପର୍କ ରେ ଖଲ୍ଲିକୋଟ ପୁଲିସ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।