ବ୍ରହ୍ମପୁର, ୨୭/୩(ବ୍ୟୁରୋ): ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଏୟାର୍ଷ୍ଟ୍ରିପ୍ର ୨-ବି (୨୦ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ପାଇଁ କ୍ଷୁଦ୍ର ବିମାନବନ୍ଦର) ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏପ୍ରିଲ୍ ସୁଦ୍ଧା ସମ୍ପ୍ରସାରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି । ଏପରି ସ୍ଥଳେ ରଙ୍ଗେଇଲୁଣ୍ଡାରେ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ଦାବି ହେଉଛି । ଏପରିକି ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ଉପରୋକ୍ତ ଦାବିକୁ ନେଇ ପ୍ରଶ୍ନ ହେଉଛି ।
ଗତ ମାସରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡା ଏୟାର୍ଷ୍ଟ୍ରିପ୍ ବିକଶିତ କରିବା ଏବଂ ସେଠାରେ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଜ୍ୟମନ୍ତ୍ରୀ ମୂରଲୀଧର ମୋହଲ କହିଛନ୍ତି, ରଙ୍ଗେଇଲୁଣ୍ଡା ଠାରେ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ବିଭାଗ ପ୍ରସ୍ତାବ ପାଇନାହିଁ । ସେ ଆହୁରି ମଧ୍ୟ କହିଥିଲେ, କେନ୍ଦ୍ର ସରକାର ନୂଆ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ପଲିସି (ଜିଏଫ୍ଏ) ୨୦୦୮ ରହିଛି । ରାଜ୍ୟ ସରକାର କିମ୍ବା ଅନ୍ୟ ଏଜେନ୍ସି ଗ୍ରୀନ୍ଫିଲ୍ଡ ଏୟାରପୋର୍ଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କଲେ ଏହି ପଲିସି ଅନ୍ତର୍ଗତ ଉପଯୁକ୍ତ ଜମି ଚିହ୍ନଟ କରିବା ଏବଂ ପ୍ରି-ଫିଜିବିଲିଟି ଷ୍ଟଡି ରିପୋର୍ଟ ପ୍ରସ୍ତୁତ କରିବା ଜରୁରୀ । ଚିହ୍ନଟ ଜମିର ଅନୁମୋଦନ ପାଇଁ ଏହି ଷ୍ଟଡି ରିପୋର୍ଟ ଦାଖଲ କରିବାକୁ ହେବ । ମାତ୍ର ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ପକ୍ଷରୁ ଏଭଳି ପ୍ରସ୍ତାବ କିମ୍ବା ରିପୋର୍ଟ କେନ୍ଦ୍ର ନିକଟରେ ଦାଖଲ ହୋଇନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାରେ କହିଥିବା ରାଜ୍ୟସଭା ସାଂସଦ ପାତ୍ର ଆଜି ଟ୍ୱିଟ୍ କରି ଜଣାଇଛନ୍ତି ।
ଅନ୍ୟପଟେ ଆଜି ବିଧାନସଭାରେ ବିଧାୟକ ଧ୍ରୁବଚରଣ ସାହୁ ରାଜ୍ୟରେ କେଉଁ କେଉଁ ସ୍ଥାନରେ ବିମାନବନ୍ଦର ପ୍ରତିଷ୍ଠା ଓ ବିମାନ ଚଳାଚଳ ଲାଗି କି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଜୟପୁର ଓ ଉତ୍କେଲା ବିମାନବନ୍ଦର ସମ୍ପ୍ରସାରଣ କରି ୩-ସି ବର୍ଗର ବିମାନବନ୍ଦରରେ ପରିଣତ କରିବା ନିମନ୍ତେ ଯୋଜନା ରହିଛି । ସେହିପରି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାର୍ଷ୍ଟ୍ରିପ୍କୁ ୨-ବି ବର୍ଗର ବିମାନବନ୍ଦରରେ ପରିଣତ କରିବା ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି । ସୂଚନାଯୋଗ୍ୟ, ୫ ମାର୍ଚ୍ଚ ୨୦୨୩ ପଞ୍ଚାୟତିରାଜ ଦିବସରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ହୋଇଥିଲା । ୯ ସିଟ୍ ବିଶିଷ୍ଟ କ୍ଷୁଦ୍ର ବିମାନ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଯାତାୟାତ ଆରମ୍ଭ କରିଥିଲା । ମାତ୍ର ସ୍ଥାନୀୟ ଆବଶ୍ୟକତାକୁ ଭିତ୍ତିକରି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ହୋଇଥିଲା । ଏୟାର୍ଷ୍ଟ୍ରିପ୍ ରନୱେ ୭୫୦ ମିଟର ଲମ୍ବ ରହିଥିବା ବେଳେ ଏହାକୁ ୯୦୦ମିଟରକୁ ବୃଦ୍ଧି କରାଯାଉଛି । ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ଏଠାରୁ ଚଳାଚଳ କରୁଥିବା ୯ ସିଟ୍ ବିଶିଷ୍ଟ ବିମାନ ସେବା ବନ୍ଦ ରହିଛି । କିଛି ମାସ ପୂର୍ବରୁ ଏହାର ରନ୍ୱେକୁ ୧୨୦୦ ମିଟର୍କୁ ସମ୍ପ୍ରସାରଣ କରିବା ଏବଂ ୩-ସି ବର୍ଗକୁ ଉନ୍ନୀତ କରିବାକୁ ଆଲୋଚନା ହୋଇଥିଲା । ମାତ୍ର ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସେଭଳି ସ୍ପଷ୍ଟ ସୂଚନା କିମ୍ବା ନିର୍ଦ୍ଦେଶ ନଥିବା ଜଣାଯାଇଛି । ଅନ୍ୟପଟେ ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଗୋଟିଏ ହାଙ୍ଗର୍ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ଥିବା କାର୍ଯ୍ୟନିର୍ବାହୀ ସଂସ୍ଥା ଗଞ୍ଜାମ କୋଠାବାଡ଼ି ବିଭାଜନ-୨ରୁ ସୂଚନା ମିଳିଛି ।