ବ୍ରହ୍ମପୁର,୩୦/୩ : ବ୍ରହ୍ମପୁର ସିଟି ହସ୍ପିଟାଲରେ ରୋଗୀଙ୍କୁ ଦରକାରୀ ତଥ୍ୟ ପ୍ରଦାନ କରୁଥିବା ସୂଚନା ପ୍ରଣାଳୀ ବ୍ୟବସ୍ଥା (ହସ୍ପିଟାଲ ଇନଫର୍ମେସନ୍ ସିଷ୍ଟମ୍) ଏବେ ଅଚଳ । ଗତ ସପ୍ତାହେ ହେଲା ଏହା କାମ କରୁନାହିଁ । ଏହା ରୋଗୀ ଓ ସମ୍ପର୍କୀୟଙ୍କୁ ହସ୍ପିଟାଲର ସମସ୍ତ ତଥ୍ୟ ପ୍ରଦାନ କରୁଥିଲା । ଏପରିକି ବିଭିନ୍ନ କୋଠା ଓ ବିଭାଗ କେଉଁଠି ରହିଛି ତାହା ମ୍ୟାପ୍ ଜରିଆରେ ଦେଖାଉଥିଲା । ଏହା ଅଚଳ ହେବା ଫଳରେ ହେଲ୍ପ ଡେସ୍କ ଉପରେ ସଭିଏଁ ନିର୍ଭରଶୀଳ । ହେଲ୍ପ ଡେସ୍କ କର୍ମଚାରୀ ନଥିଲେ ରୋଗୀ ସିକ୍ୟୁରିଟି କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ବୁଲି ପଚାରୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ସିଟି ହସ୍ପିଟାଲ ରୋଗୀ ପଞ୍ଜୀକରଣ କେନ୍ଦ୍ରରେ ରହିଛି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ନିମି ର୍ତ ଡାକ୍ତରଖାନା ସୂଚନା ପ୍ରଣାଳୀ ବ୍ୟବସ୍ଥା ସୂଚାଉଥିବା ମେସିନ୍ । ସରକାରଙ୍କ ଆମ ହସ୍ପିଟାଲ ଯୋଜନା ଅଧୀନରେ ଏହି ମେସିନ୍କୁ ୨୦୨୪ ମାର୍ଚ୍ଚ ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ ।
ସେବେଠୁ ଏହି ମେସିନ୍ ଲୋକଙ୍କୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ତଥ୍ୟ ଦେଉଥିଲା । ବିଭିନ୍ନ ବିଭାଗର ଡାକ୍ତରଙ୍କ ସୂଚନା, ହସ୍ପିଟାଲର ଅବସ୍ଥ ସ୍ଥିତି ସହିତ କେଉଁ ଦିନ ବିଭାଗରେ କେଉଁ ବରିଷ୍ଠ ଡାକ୍ତର ରହିବେ ତାହାର ତଥ୍ୟ, ଜିପିଏସ୍ ମ୍ୟାପ ସହ ଆଡଭାନ୍ସ ଆର୍ଥ ପିକ୍ଚର ଜରିଆରେ ହସ୍ପିଟାଲରେ ବିଭାଗର ସ୍ଥାନ ଚିହ୍ନଟ କରାଯାଇଛି । ଯଦ୍ୱାରା ରୋଗୀ ତାହାକୁ ବ୍ୟବହାର କରି ଚିକିତ୍ସା ପାଇଁ ଠିକ୍ ଠିକଣାରେ ପହଞ୍ଚୁଥିଲେ । ମେସିନ୍ରେ ହସ୍ପିଟାଲରେ ମିଳୁଥିବା ଅତ୍ୟାବଶ୍ୟକ ଔଷଧ ତାଲିକା, ଜରୁରୀ ନିରାକରଣ ତାଲିକା, ବିଭାଗ ତାଲିକା, ଉପଲବ୍ଧ ଡାକ୍ତର ତାଲିକା, ହସ୍ପିଟାଲ ସମୟ, ହସ୍ପିଟାଲ ଲେଆଉଟ୍, ଜିଲ୍ଲାର ମ୍ୟାପ୍ ସମେତ ଅନେକ ତଥ୍ୟ ମିଳୁଥିଲା । ବର୍ତ୍ତମାନ ତାହା ଅଚଳ । ଫଳରେ କୌଣସି ତଥ୍ୟ ପାଇଁ ରୋଗୀ ଓ ସମ୍ପର୍କୀୟ ହେଲ୍ପ ଡେସ୍କ ଉପରେ ନିର୍ଭରଶୀଳ ରହୁଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି, ପୂର୍ବରୁ କିଛି ଲୋକ ଏହାକୁ ବ୍ୟବହାର କରୁଥିଲେ । ବର୍ତ୍ତମାନ ସପ୍ତାହେରୁ ଅଧିକ ଦିନ ହେଲାଣି ବନ୍ଦ ରହିଛି । ସଫେଇ କର୍ମଚାରୀ ଆସି ସଫା କରି ଫେରୁଛନ୍ତି । କିନ୍ତୁ ଅନ୍ ହେଉନି କି କିଛି ବି ଦେଖା ଯାଉନି । ଏ ନେଇ ହସ୍ପିଟାଲ ମ୍ୟାନେଜରଙ୍କୁ ଯୋଗାଯୋଗ କରିଥିବା ବେଳେ ପ୍ରତିକ୍ରିୟା ମିଳି ନାହିଁ ।