ବ୍ରହ୍ମପୁର, ୩୦/୩ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ଆରମ୍ଭ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ଏହି ପରମ୍ପରା ସ୍ଥଳବିଶେଷରେ ୨୧, ୧୮ ଓ ୧୩ ଦିନ ଧରି ଅନୁଷ୍ଠିତ ହୋଇଥାଏ । ୨୫ ତାରିଖରୁ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଶନିବାର ଠାରୁ ୧୮ ଦିନିଆ ଯାତ୍ରା ଆରମ୍ଭ ହୋଇଛି । ଅବଶିଷ୍ଟ ଦଣ୍ଡଯାତ୍ରା ଦିନେ କିମ୍ବା ଦୁଇ ଦିନରେ ଆରମ୍ଭ ହୋଇଯିବ । ବ୍ରହ୍ମପୁର ସହରରେ ପ୍ରତିଦିନ ଡଜନେରୁ ଅଧିକ ଦଣ୍ଡନାଚ ହେବ । ପାଣି ଦଣ୍ଡ ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ପାଇଁ ମାନସିକଧାରୀଙ୍କୁ ପର୍ଯ୍ୟାପ୍ତ ପାଣି ଆବଶ୍ୟକ ।
ବ୍ରହ୍ମପୁର ସହରାଞ୍ଚଳରେ ସରକାରୀ ଓ ବ୍ୟକ୍ତିଗତ ପୋଖରୀ ସଂଖ୍ୟା ଶହେ ପାଖାପାଖି ଥିଲା । ସେଥିରୁ ପ୍ରାୟ ୫୦ ପୋଖରୀର ହିସାବ ନାହିଁ । ବିଏମ୍ସି ପରିଚାଳନାରେ ୪୨ ଓ କ୍ଷୁଦ୍ର ଜଳସେଚନ ବିଭାଗରୁ ମିଳିଥିବା ୫ଟିକୁ ମିଶାଇ ଏବେ ୪୭ ପୋଖରୀ ରହିଛି । ହେଲେ ଅର୍ଦ୍ଧାଧିକ ପୋଖରୀ ଅବସ୍ଥା ଭଲନାହିଁ । ହାଉସିଂ ବୋର୍ଡ ସାଳିଆ ବନ୍ଧ । ଦଳ ଓ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି । ଚାରିକଡ଼ରୁ ଦେଖିଲେ ପାଣି ଦେଖାଯାଉନି । ୫ ଏକରରୁ ଅଧିକ ଅଞ୍ଚଳରେ ଥିବା ଏହି ବନ୍ଧ ବହୁ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା । ହେଲେ ଏହାର ଅବସ୍ଥା ଏମିତି ହୋଇଛି ଏଥିରେ ଗୋଡ଼ ବି ଧୋଇହେବନି । କେବଳ ଏହି ଗୋଟିଏ ପୋଖରୀ ନୁହେଁ, ସହରର ଅନ୍ୟ ପ୍ରମୁଖ ସ୍ଥାନରେ ଥିବା ପୋଖରୀ ଅବସ୍ଥା ବି ଉଣାଅଧିକେ ସମାନ । ଆସିକା ରୋଡ୍ ନେଳିଆ ବନ୍ଧ, ବିଜିପୁର ସନ୍ତୋଷୀ ମା’ ଦେଉଳ ବନ୍ଧ, ବେଢ଼ା ବନ୍ଧ, କରା ବନ୍ଧ, ଗଣେଶନଗର ଛକ ବନ୍ଧ ମାନସିକଧାରୀ ଗାଧୋଇବା ଉପଯୋଗୀ ହୋଇ ନାହିଁ । ୩୦ କୋଟି ଟଙ୍କା ବ୍ୟୟରେ ୩୦ ଏକର ବିଶିଷ୍ଟ ବେଢ଼ା ବନ୍ଧ କାମ ଅଧାରେ ଅଟକିଛି । ପର୍ଯ୍ୟାପ୍ତ ପାଣି ନାହିଁ କି ଦଣ୍ଡୁଆ ଗାଧୋଇବା ପାଇଁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଯାତ୍ରା ଅଞ୍ଚଳରେ ୧୫ ମଡ୍ୟୁଲାର୍ ଟଏଲେଟ୍ ସୁବିଧା ନାହିଁ । ସହର ଭିତରେ ଥିବା ବିଜିପୁର ପୋଖରୀ ଭଳି ହାତ ଗଣତି କେତୋଟି ପୋଖରୀକୁ ଛାଡ଼ିଦେଲେ ଅଧିକାଂଶଙ୍କ ଅବସ୍ଥା ଭଲ ନାହିଁ ।
ଏପରି ସ୍ଥିତିରେ ଡହଡହ ଖରାରେ ଦଣ୍ଡୁଆଙ୍କ ସ୍ନାନାଦି କର୍ମ ସମ୍ପାଦନ ଅଡୁଆ ହେବ ବୋଲି ଅଭିଯୋଗ ହେଉଛି । ଏଭଳି ପୂର୍ବାନୁମାନ କରି ଗତ ସପ୍ତାହରେ ମହାନଗର ଦଣ୍ଡନାଚ ସଂଘ ବିଏମ୍ସି କମିଶନର୍ଙ୍କୁ ଭେଟି ପୋଖରୀ ସଫେଇ ପାଇଁ ପ୍ରସ୍ତାବ ଦେଇଥିଲା । ଜରୁରୀକାଳୀନ ଭିତ୍ତିରେ ପୁନରୁଦ୍ଧାର ପାଇଁ ସଂଘ ନିବେଦନ କରିଥିଲା । ହେଲେ ବିଏମ୍ସି କର୍ତ୍ତୃପକ୍ଷ ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ସଫଳ ହୋଇନଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨୦୨୩ରେ ବିଏମ୍ସିର ପୋଖରୀ ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୯ଟି ପୋଖରୀର ଉନ୍ନତୀକରଣ ପାଇଁ ଏସ୍ଏଚ୍ଜିକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହାର କିଛି ମାସ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩୧ଟି ପୋଖରୀର ଉନ୍ନତୀକରଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଗଲା । କାମ ଆରମ୍ଭ ପରେ ଖନନରେ ଅନିୟମିତତା ଓ ମାଟି ବିକ୍ରି ଅଭିଯୋଗ ହୋଇଥିଲା ।
ଏହାସତ୍ବେ କାର୍ଯ୍ୟ ଜାରି ରହିଥିଲା । ପରେ ବର୍ଷା ଋତୁ ପାଇଁ କାମ ବନ୍ଦ ହୋଇଗଲା ଏବଂ ନୂଆ ସରକାର ଆସିବା ପରେ ପୋଖରୀ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହାରି ଭିତରେ ପୋଖରୀ ଦାୟିତ୍ୱରେ ଥିବା ନିର୍ବାହୀଯନ୍ତ୍ରୀଙ୍କ ବଦଳି ହୋଇଯାଇଛି । ପୋଖରୀ କାମର କାଗଜପତ୍ରରେ ଅସଙ୍ଗତି ଥିବାରୁ ବଦଳି ଯନ୍ତ୍ରୀଙ୍କୁ ଡକାଇ ସେଗୁଡ଼ ିକ ସୁଧାର କରାଯାଇଛି । ହେଲେ ପାଣ୍ଠି ଅଭାବରୁ କାମ ଅଧାରେ ବନ୍ଦ ପଡ଼ ିଛି । ସରକାର ପାଣ୍ଠି ପ୍ରଦାନ କଲେ କାମ କରାଯିବ ବୋଲି ପୂର୍ବରୁ ବିଏମ୍ସି କମିଶନର୍ କହିଛନ୍ତି । ଏହାରି ଭିତରେ କୌଣସି ପାଣ୍ଠି ଆସିନଥିବା ବିଏମ୍ସି ସୂତ୍ରରୁ ଜଣାପଡ଼ିଛି । ଏ ନେଇ କମିଶନର୍ଙ୍କୁ ଯୋଗାଯୋଗ ସତ୍ବେ ପ୍ରତିକ୍ରିୟା ମିଳିପାରିନି ।