ବ୍ରହ୍ମପୁର : ଦଣ୍ଡନାଚରେ ଅଶ୍ଳୀଳତା ପ୍ରଦର୍ଶନ ଓ ଗଣ୍ଡଗୋଳ ମାମଲାରେ ଟାଉନ୍ ଥାନା ପୁଲିସ ଦଣ୍ଡନାଚ ଆୟୋଜକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାନ୍ଧୀ ନଗରର ଶେଷଦେବ ପାଣିଗ୍ରାହୀ, ସମୀର ମହାରଣା, ଦେବାଶିଷ ମାଝୀ, ସରୋଜ କୁମାର ଗୌଡ, ବିଶାଳ ପାଣିଗ୍ରାହୀ, ସୁଶାନ୍ତ ବେହେରା ଓ ଫୁଲଟାର ବବୁଲ ବିଷୋୟୀ।
ପରମ୍ପରା ନାମରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା କିମ୍ବା ସୁପ୍ରିମକୋର୍ଟ ନିୟମ ଅବମାନନା କରି ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ମାଇକ୍ ବଜାଇଲେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ । ଏଣୁ ଆୟୋଜକ ଯାତ୍ରା ଓ ସାଉଣ୍ଡ ପାଇଁ ସ୍ଥାନୀୟ ପୁଲିସ ଓ ଉପଜିଲ୍ଲାପାଳଙ୍କ ଠାରୁ ସ୍ୱୀକୃତି ପତ୍ର ଆଣିବାକୁ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ କହିଛନ୍ତି।
ସୂଚନା ମୁତାବକ ଗୁରୁବାର ଗାନ୍ଧୀ ନଗର ପ୍ରଥମ ଲାଇନରେ ସ୍ଥାନୀୟ କମିଟି ପକ୍ଷରୁ ଜାମୁନି-ଏ ଗ୍ରୁପର ଦଣ୍ଡନାଚ ଲାଗିଥିଲା । ରାତିରେ ସାମାଜିକ ନାଟକ ପରିବେଷଣ ପୂର୍ବରୁ ମଞ୍ଚରେ ମେଲୋଡି କଳାକାରଙ୍କ ଦ୍ୱାରା ଅଶ୍ଳୀଳ ନୃତ୍ୟ ପରିବେଷଣ ହୋଇଥିଲା । ନୃତ୍ୟ ଦେଖି କିଛି ଦର୍ଶକ ନାଚି ଉଠିଥିଲେ। ଅନ୍ୟ କିଛି ଦର୍ଶକ ଏହାକୁ ବିରୋଧ କରି ବୋତଲ ଫିଙ୍ଗିଥିଲେ । ଯାହାକୁ ଆୟୋଜକ କମିଟି ସଦସ୍ୟ ବାରଣ କରିଥିଲେ।
ଏହାକୁ ନେଇ ଆୟୋଜକ ଓ ଦର୍ଶକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବୁଲିଥିଲା। ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଥାନା ପୁଲିସ ଆୟୋଜକ କମିଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।