ଛତ୍ରପୁର, ୨୮।୩ (ଆପ୍ର): ଆସନ୍ତା ୨ ତାରିଖରେ ପ୍ରାଥମିକ ବିଦ୍ୟାଳୟରେ ହେବ ନୂତନ ପିଲାଙ୍କ ବିଦ୍ୟାଳୟ ପ୍ରବେଶ ଉତ୍ସବ। ଏଥିସହ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିକୁ ଆପଣଙ୍କୁ ନିମନ୍ତ୍ରଣ, ନିଶ୍ଚୟ ଯୋଗଦେବେ... ଏଭଳି ମର୍ମରେ ଅଭିଭାବକଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଶୁକ୍ରବାର ଛତ୍ରପୁର ବ୍ଲକ୍ ପୁତିଗୋପାଳପୁର ବଡ଼ ସାହିକୁ ଯାଇ ଘରକୁ ଘର ବୁଲି ଶିଶୁବାଟିକା ଓ ସ୍କୁଲରେ ନାମ ଲେଖାଇବାକୁ ଯୋଗ୍ୟ ଶିଶୁମାନଙ୍କ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣପତ୍ର ବାଣ୍ଟିଥିଲେ ଜିଲ୍ଲାପାଳ। ଏହାଦ୍ୱାରା ସରକାରଙ୍କ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଲକ୍ଷ୍ୟ ପୂରଣ କରାଯାଈ ପାରିବ ବୋଲି କହିଛନ୍ତି ସେ ।
ନୂତନ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ୫ ବର୍ଷରୁ ଊଦ୍ଧ୍ୱ ବୟସର ପିଲାଙ୍କୁ ନେଇ ଶିଶୁ ବାଟିକା ଆରମ୍ଭ କରାଯାଉଛି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣୁ ନାମଲେଖା ନିମନ୍ତେ ଗୃହକୁ ଗୃହ ବୁଲି ଅଭିଭାବକଙ୍କୁ ସଚେତନ କରାଯାଉଛି। ବିଦ୍ୟାଳୟରେ ପିଲାଙ୍କ ନାମଲେଖାକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ୨ରୁ ୫ ତାରିଖ ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ ଏବଂ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ସମଗ୍ର ଶିକ୍ଷା ଅଭିଯାନ ସଂଯୋଜକ ଡ. ସରୋଜ ମୋହନ ପାଳ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧ୍, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ମାତୃମଣ୍ଡଳ ଅଂଶଗ୍ରହଣ କରିବେ।