ବ୍ରହ୍ମପୁର, ୨୮/୩(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ୨୦୦୮ରେ ମୁକ ଓ ବଧିର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଆସିଲା ରାୟ । ଏହି ଘଟଣାରେ ଜଣେ ୮୭ ବର୍ଷୀୟ ବୃଦ୍ଧ ସାହେବ ବାଡ଼ତ୍ୟାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ତଥା ସ୍ପେଶାଲ ଟ୍ରାକ୍ କୋର୍ଟ ଜଜ୍ ସୌଦାମିନୀ ସିଂହ । ଏଥିସହ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି । ୨୦୦୮ ଫେବ୍ରୁଆରୀ ୨୩ତାରିଖ ଅପରାହ୍ନରେ ୧୪ବର୍ଷର ନାବାଳିକା ଘରେ ନଥିଲେ । ତାଙ୍କ ବାପା ଖୋଜାଖୋଜି କରିବା ପରେ ଗାଁର ଗୋଟିଏ ଭଙ୍ଗା ଘରେ ଦେଖିବାକୁ ପାଇଥିଲେ। ଅଭିଯୁକ୍ତ ତାଙ୍କ ଝିଅକୁ ବଳାତ୍କାର କରୁଥିବା ଦେଖିଥିଲେ।
ଅଭିଯୁକ୍ତ କବଳରୁ ନାବାଳିକାକୁ ଉଦ୍ଧାର କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ସେ ଜରଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଜରଡ଼ା ଥାନା ପୁଲିସ ଅଭିଯୁକ୍ତ ସାହେବ ବାଡ଼ତ୍ୟାଙ୍କୁ କୋର୍ଟ ଚାଲାଣ କରିଥିଲା। ସେ ଦୁଇ ବର୍ଷ ଜେଲରେ ରହିବା ପରେ ଜାମିନ୍ରେ ମୁକୁଳିଥିଲେ। ବିଚାରଣା ସମୟରେ ୧୮ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଆଜି ରାୟ ପ୍ରକାଶ ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ନିର୍ଦ୍ଦେଶ ପ୍ରକାରେ ଅଭିଯୁକ୍ତ ସାହେବଙ୍କୁ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଆରତି ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।