ବ୍ରହ୍ମପୁର,୨୬/୩ : ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ୩ ଶହ ବର୍ଷ ପୁରୁଣା । ଯାତ୍ରା ଆରମ୍ଭରୁ ଦେଶୀବେହେରା ସାହିରେ ଚାବୁକ କାଠ, ନଳ ବାଉଁଶ ଓ ସଲପ ପତ୍ରରେ ଛାମୁଣ୍ଡିଆ ତିଆରି ହେଉଛି । ଦୀର୍ଘ ବର୍ଷ ହେଲା ଏହି ପରମ୍ପରା ଜାରି ରହିଛି । ଦେଶୀବେହେରା ସାହି ବ୍ୟବସାୟୀ ସଂଘ ଏହି ଛାମୁଣ୍ଡିଆ ତିଆରି କରୁଛି । ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ରବୀନ୍ଦ୍ର ସାହୁ କହିଛନ୍ତି, ପରମ୍ପରା ଅନୁଯାୟୀ ବ୍ୟବସାୟୀ ସଂଘ ୩୫୦ ମିଟରର ଛାମୁଣ୍ଡିଆ ନିର୍ମାଣ ଜାରି ରଖିଛି । ରଘୁନାଥପୁରର ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରତି ଯାତ୍ରାରେ ୫ ହଜାର କେଜି ଚାବୁକ କାଠ ଅଣାଯାଉଛି ।
କେରାଣ୍ଡିମାଳ ପର୍ବତ ରାମଗୁଡ଼ା ଜଙ୍ଗଲରୁ ୫ଶହ ନଳ ବାଉଁଶ ଆସୁଛି । ସେହିପରି ପୂର୍ବରୁ ମହୁରୀ କାଳୁଆ ପାହାଡ଼ରୁ ସଲପ ପତ୍ର ଆସୁଥିଲା । ବର୍ତ୍ତମାନ ସେଠାରେ ମିଳୁ ନାହିଁ । ଚିକିଟୀ ଜଙ୍ଗଲରୁ ସଲପ ପତ୍ର ଅଣା ଯାଉଛି । ଏହି ଛାମୁଣ୍ଡିଆ ମା’ଙ୍କ ଆସିବା ପୂର୍ବରୁ ପ୍ରସ୍ତୁତ ହେଉଛି । ପୁରୁଣା ବ୍ରହ୍ମପୁରର ୬ଜଣ ମହାରଣା ଏହାକୁ ନିର୍ମାଣ କରିବାରେ ଲାଗୁଛନ୍ତି । ସେମାନଙ୍କୁ ୪ଜଣ ସହଯୋଗ କରୁଛନ୍ତି । ଅସ୍ଥାୟୀ ମଣ୍ଡପ ନିକଟରୁ ଗୁଡ଼ ଗୁର୍ଜି ଗୋଟିଏ ଛାମୁଣ୍ଡିଆ ଓ ଗୁଡ଼ ଗୁର୍ଜିରୁ ତ୍ରିନାଥ ମନ୍ଦିର ପର୍ଯ୍ୟନ୍ତ ଅନ୍ୟ ଏକ ଛାମୁଣ୍ଡିଆ ତିଆରି ହେଉଛି । ୧୦ରୁ ୧୫ ଦିନ ଧରି ନିର୍ମାଣ କାର୍ଯ୍ୟରେ ସମସ୍ତେ ଲାଗିଥାନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ସହଯୋଗ କରୁଛନ୍ତି ।