ଖଜୁରୀପଡ଼ା: (ଆପ୍ର) : କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଝାଡରାସିଂ ଠାରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡୁକୁମ୍ପା ପଞ୍ଚାୟତ ରାଣୀପଥର ଗ୍ରାମର ଗଙ୍ଗାଧର ମଲିକ (୨୦) । ଗୁରୁତର ମାନେ ସେହି ଗ୍ରାମର ରାଜେଶ୍ ବେହେରା,ଚନ୍ଦନ ସାହୁ,ବିରୁପକ୍ଷ ବେହେରା, ସାଇଲ୍ ଖାନ୍।
ସୂଚନା ଅନୁଯାୟୀ, ଏହି ଯୁବକ ମାନେ ଏକ କାର (ଓଡ଼ି ୦୨ ଇ ୪୧୭୪)ରେ ଚାରିଛକରୁ ନିଜ ଗ୍ରାମ ଆଡ଼କୁ ଆସୁଥିଲେ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଝାଡରାସିଂ ଠାରେ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିଲା। ଆହତ ମାନଙ୍କୁ ଚାରିଛକ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଉଦ୍ଧାର କରି ପୁରୁଣାକଟକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଦୁଇ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ଅନ୍ୟ ଦୁଇ ଜଣଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।