ଭୁବନେଶ୍ୱର,୧୧/୦୨: ନୂଆ ଅଭିବୃଦ୍ଧି ପଥରେ ଓଡ଼ିଶା ପର୍ଯ୍ୟଟନ । ରାଜ୍ୟରେ ବଢ଼ିବ ମାଇସ୍ ଓ ୱେଡିଂ ଟୁରିଜିମ୍ । ମିଳିବ ପ୍ରୋତ୍ସାହନ । କୋଟି କୋଟିର ପୁଞ୍ଜି ନିବେଶ ସାଙ୍ଗକୁ ପଥ ଉନ୍ମୁକ୍ତ କରିବେ ରାଜ୍ୟ ସରକାର । ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ-୨୦୨୫ ପରେ ମାଇସ୍ ଓ ୱେଡିଂ ଟୁରିଜିମ୍ କ୍ଷେତ୍ରକୁ ବେଶି ଗୁରୁତ୍ୱ ଦେଉଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ଫଳରେ ରାଜ୍ୟରେ ବୈଠକ, ସମ୍ମିଳନୀ ତଥା ପ୍ରଦର୍ଶନୀ ପର୍ଯ୍ୟଟନ (ମାଇସ୍ ଟୁରିଜିମ୍) ଏବଂ ବିବାହ ପର୍ଯ୍ୟଟନ (ୱେଡିଂ ଟୁରିଜିମ୍)କୁ ଏବେ ଅଧିକ ପ୍ରୋତ୍ସାହନ ମିଳିବ । ନୂଆ ସରକାର ଆସିବା ପରେ ବିଭାଗ ବିଶ୍ୱର ଧ୍ୟାନ ଆକର୍ଷଣ ପାଇଁ ଏ କ୍ଷେତ୍ରକୁ ଫୋକସ୍ କରୁଛି । ବିଭିନ୍ନ ରୋଡ୍ ଶୋ’ରେ ବି ମାଇସ୍ ଓ ୱେଡିଂ ଟୁରିଜିମ୍ର ପ୍ରଚାର, ପ୍ରସାର ସାଙ୍ଗକୁ ନିବେଶ ପାଇଁ ଆହ୍ୱାନ କରୁଛି ।
ଉତ୍କର୍ଷ ଓଡ଼ିଶାରେ ବି ଏହା ଉପରେ ବିଭିନ୍ନ ଅଂଶୀଦାର ଓ ନିବେଶକଙ୍କ ସହ ବିଶଦ୍ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା ଅଧିବେଶନରେ ୮୧୫୩ କୋଟି ମୂଲ୍ୟର ୧୨୧ଟି ପ୍ରକଳ୍ପ ପାଇଁ ନିବେଶ ଘୋଷଣା ହୋଇଥିଲା । ଯାହା ହୋଟେଲ୍, ମନୋରଞ୍ଜନ ପାର୍କ, ଜଳକ୍ରୀଡ଼ା, କାରାଭାନ୍ କ୍ୟାମ୍ପିଂ ଏବଂ ରିସର୍ଟରେ ଆତିଥ୍ୟ ସମ୍ଭାବନା ଉପରେ ଦୃଢ଼ ବିଶ୍ୱାସକୁ ସୂଚିତ କରିଥିଲା । କୋରାପୁଟ, ଗଜପତି, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ଭଳି ଅଞ୍ଚଳରେ ୨୩ଟି ରିସର୍ଟ ପ୍ରକଳ୍ପର ବିକାଶ ପାଇଁ ୨୩୮୭ କୋଟି ଟଙ୍କା ପ୍ରତିଶ୍ରୁତି ଦିଆଯାଇଛି । ପୁରୀ, ସମ୍ବଲପୁର, ପାରାଦୀପ, ଗୋପାଳପୁର, ଗଞ୍ଜାମ, ଭୁବନେଶ୍ୱରରେ ୪୭ଟି ହୋଟେଲ୍ ପ୍ରକଳ୍ପ ମୋଟ ୩୭୯୨ କୋଟି ଟଙ୍କା ନିବେଶ ପ୍ରତିଶ୍ରୁତି ମିଳିଛି । ଏହା ବ୍ୟତୀତ ୩୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପ ପାଇଁ ୨୪୬ କୋଟି ଟଙ୍କା ବିନିଯୋଗକୁ ଆକର୍ଷିତ କରିଛି । ଯାହା ଉନ୍ନତ ପର୍ଯ୍ୟଟନ ସେବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିଛି ।
ଅଭିନବ ଓ ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରିବା ଲାଗି ପୁରୀ, ଖୋର୍ଦ୍ଧା, ଚିଲିକା, ସୁନ୍ଦରଗଡ଼, କଟକରେ ୯ଟି ଜଳକ୍ରୀଡ଼ା ଏବଂ କ୍ରୁଜ୍ ପ୍ରକଳ୍ପରେ ୫୫୪ କୋଟି ଟଙ୍କା ନିବେଶର ସୁଯୋଗ ମିଳିଛି । ୪ଟି ଦୁଃସାହସିକ କ୍ରୀଡ଼ା ପଦକ୍ଷେପରେ କୋରାପୁଟ ଏବଂ ସୁନ୍ଦରଗଡ଼ରେ ୨୩ କୋଟି ଟଙ୍କା ନିବେଶର ଲକ୍ଷ୍ୟ ରହିଛି । ବହୁ ଉପଯୋଗୀ ଆତିଥ୍ୟ କେନ୍ଦ୍ର ଲାଗି ୧୦୬୦ କୋଟି ଟଙ୍କା, କାରାଭାନ୍ ଏବଂ କ୍ୟାମ୍ପିଂ ପର୍ଯ୍ୟଟନ ପ୍ରତି ବଢ଼ୁଥିବା ଆଗ୍ରହ ସହିତ ରାଜ୍ୟ ଯଥାକ୍ରମେ ୫୮ କୋଟି ଏବଂ ୨.୯୫ କୋଟି ଟଙ୍କାର ନିବେଶ ହାସଲ କରିଛି । ଏହି ବିବିଧ ନିବେଶଗୁଡ଼ିକ ଏକ ସ୍ଥାୟୀ ପର୍ଯ୍ୟଟନ ପ୍ରୋତ୍ସାହିତ କରିବ । ନିକଟରେ ଓଡ଼ିଶା ପର୍ଯ୍ୟଟନ ଏବଂ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଯାହା ନୂଆ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ବିକାଶ କରି ସାଂସ୍କୃତିକ ପର୍ଯ୍ୟଟନକୁ ସମୃଦ୍ଧ କରିବ ।
ଏସବୁ ଦୃଷ୍ଟିରୁ ଆଗାମୀ ଦିନ ଲାଗି ଓଡ଼ିଶା ପର୍ଯ୍ୟଟନର ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି । ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନରେ ଓଡ଼ିଶା କେବଳ ଦେଶ ଭିତରେ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀ ହୋଇ ରହିନାହିଁ ବରଂ ଏହାର ଉଚ୍ଚମାନର ପର୍ଯ୍ୟଟନ ସୁବିଧା ଏବଂ ଅସାଧାରଣ ଆତିଥ୍ୟ ସେବାରେ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି । ନିବେଶର ସୁଅ ଛୁଟିଛି । ଆଗାମୀ ଦିନରେ ଓଡ଼ିଶା ପର୍ଯ୍ୟଟନରେ ୧ନଂ ହେବ । ସେଥିପାଇଁ ସରକାର ପୂରା ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି । ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ କହିଛନ୍ତି, ନିବେଶ ଆସିବ । ନିଯୁକ୍ତି, ବିକାଶ ସାଙ୍ଗକୁ ଓଡ଼ିଶା ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟସ୍ଥଳ ହେବ ।