ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଭିଡ଼ିବାରେ ପଛରେ ଓଡ଼ିଶା, ଭିତ୍ତିଭୂମି ଷ୍ଟାଟସ୍‌ ମିଳିଲେ ଦୌଡ଼ିବ ପର୍ଯ୍ୟଟନ

ଭୁବନେଶ୍ୱର, ୩।୭: ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଭିଡ଼ିବାରେ ବହୁ ପଛରେ ରହିଛି ଓଡ଼ିଶା । ତାମିଲନାଡ଼ୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟ ଏ କ୍ଷେତ୍ରରେ ଢ଼େର ଆଗରେ । ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବାକୁ ହେଲେ ଅନେକ କାମ କରିବାକୁ ହେବ । ପର୍ଯ୍ୟଟନକୁ ଆଗକୁ ବଢ଼ାଇବାକୁ ହେଲେ ହୋଟେଲ କ୍ଷେତ୍ରକୁ ଶିଳ୍ପ ମାନ୍ୟତା ଲୋଡ଼ା । ଏହା ଦ୍ୱାରା ରାଜ୍ୟକୁ ନିବେଶକଙ୍କ ସୁଅ ଛୁଟିବ । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ରାଜସ୍ଥାନ ଏଭଳି ନୀତି ଆପଣାଇ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ଆଗରେ । ଓଡ଼ିଶା ମଧ୍ୟ ସମାନ ପନ୍ଥା ଆପଣାଉ ବୋଲି କହିଛନ୍ତି ବିଶେଷଜ୍ଞ । ଏହା ଦ୍ୱାରା ଶିଳ୍ପ ଲାଭ କରୁଥିବା ବିଭିନ୍ନ ସୁବିଧା ସୁଯୋଗ ପର୍ଯ୍ୟଟନ କ୍ଷେତ୍ର ପାଇପାରିବ । ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ନୂଆ ନିବେଶ ଆକୃଷ୍ଟ କରିବା ସହ ଅଭିବୃଦ୍ଧି ଦ୍ୱାରା ନିଯୁକ୍ତି ଓ ଜିଡିପିକୁ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ ବୋଲି କହିଛନ୍ତି ଶିଳ୍ପ ବିଶେଷଜ୍ଞ । 

ଓଡ଼ିଶା ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ (ହାରୋ) ଆକଳନ ମୁତାବକ, ପର୍ଯ୍ୟଟକଙ୍କ ଉନ୍ନତି ଲାଗି ରାଜ୍ୟରେ ଅଧିକ କ୍ଲାସିଫାଏଡ ହୋଟେଲରେ ଆବଶ୍ୟକତା ରହିଛି । ୩ ଷ୍ଟାର ବର୍ଗରେ ୨ ହଜାର ରୁମ୍‌, ୫ ଷ୍ଟାର ବର୍ଗରେ ୫୦୦ ରୁମ ଏବଂ ୨ ଷ୍ଟାର ବର୍ଗରେ ୪ ହଜାର ରୁମ ଲୋଡ଼ା । ଏଭଳି ସ୍ଥିତିରେ ହୋଟେଲକୁ ଭିତ୍ତଭୂମି ମାନ୍ୟତା ମିଳିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ବିଜୁଳି ଟାରିଫ, ଜଳ ଯୋଗାଣ, ପ୍ରପର୍ଟି ଟାକ୍ସ, ଡେଭଲପମେଣ୍ଟ ଟାକ୍ସ ଭଳି ସୁବିଧା ହୋଟେଲ ଶିଳ୍ପ ଲାଭ କରିପାରିବ । କମର୍ସିଆଲ ଟାରିଫ ପରିବର୍ତ୍ତେ ଶିଳ୍ପର ରିହାତି ଟାରିଫ ଲାଗୁ ହେଲେ ଅଧିକ ଘରୋଇ ନିବେଶକ ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ନିବେଶ ନେଇ ଆଗଭର ହୁଅନ୍ତେ । ଓଡ଼ିଶା ଏହି ଦିଗକୁ ବିଚାର କଲେ ରାଜ୍ୟ ଏ କ୍ଷେତ୍ରରେ ଆହୁରି ଅଗ୍ରଗତି କରିପାରନ୍ତା ବୋଲି କହିଛନ୍ତି ବିଶେଷଜ୍ଞ । 

ସେହିଭଳି ଓଡ଼ିଶା ସ୍ଥାପତ୍ୟ ଏବଂ ଭାଷ୍କର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି । ଏହାକୁ ପ୍ରଚାର ପ୍ରସାର କରାଯାଇପାରିଲେ ଅଧିକ ପର୍ଯ୍ୟଟକ ଭିଡ଼ିବାରେ ସହାୟକ ହୁଅନ୍ତା । ପର୍ଯ୍ୟଟକ ଗୋଟିଏ ଦିନ ନ ରହି ଯେଭଳି ଅଧିକ ସମୟ ରାଜ୍ୟରେ ରହିପାରିବେ ସେଭଳି ଭିତ୍ତିଭୂମି ବିକାଶ ଲୋଡ଼ା ରହିଛି । ପୁରୀରେ ପ୍ରସ୍ତାବିତ ବିଶ୍ୱସ୍ତରୀୟ ଆକ୍ୱାରିୟମ କାମ ହାତକୁ ନିଆଗଲେ ଏହା ଦ୍ୱାରା ପୁରୀ ଆହୁରି ଆକର୍ଷଣୀୟ ସ୍ଥଳ ପାଲଟିବ ବୋଲି ଆକଳନ କରାଯାଇଛି । ରାଜ୍ୟର ୫୦୦ କିମି ବିସ୍ତିର୍ଣ୍ଣ ବେଳାଭୂମି, ସୁଉଚ୍ଚ ପାର୍ବତ୍ୟମାଳା, ନଦୀ, ହ୍ରଦକୁ ନେଇ ଠିକ୍‌ ଭାବେ ପର୍ଯ୍ୟଟକଙ୍କ ନିକଟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ପଡୋଶୀ ରାଜ୍ୟଗୁଡିକ ଭଳି ଆଦିବାସୀ ପର୍ଯ୍ୟଟନ ଏବଂ ବୌଦ୍ଧ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ରାଜ୍ୟରେ ମାଇସ୍‌ ପର୍ଯ୍ୟଟନକୁ ଧ୍ୟାନରେ ରଖି ମେଗା କନଭେନ୍‌ସନ ସେଣ୍ଟର ସ୍ଥାପନ କରିବାର ଆବଶ୍ୟକତା ରହିଛି । ଡେକାନ କ୍ୱିନ୍‌, ମହାରାଜା ଏକ୍ସପ୍ରେସ ଭଳି ଲକ୍‌ଜରୀ ଟ୍ରେନ୍‌ଗୁଡିକ ଓଡ଼ିଶାରେ ମଧ୍ୟ ଶୁଭାରମ୍ଭ ହେବାର ଆବଶ୍ୟକତା ରହିଛି । ବୁଦ୍ଧଗୟା, ପୁନେ, ଉଦୟପୁର ଏବଂ ଆଲ୍ଲହାବାଦକୁ ବିମାନ ସଂଯୋଗ ଏବଂ ଭୁବନେଶ୍ୱରକୁ ଅଧିକ ବିଦେଶୀ ବିମାନ ସେବା ଆସିଲେ ପର୍ଯ୍ୟଟକ ଆକୃଷ୍ଟ ହୋଇପାରନ୍ତେ । କେବଳ ମନ୍ଦିର ଓ ବେଳାଭୂମିର ପ୍ରଚାର ପ୍ରସାର ବାଦ୍‌ ୱାଇଲ୍ଡ ଲାଇଫ ଏରିଆଗୁଡ଼ିକୁ ଧ୍ୟାନରେ ରଖିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । 

ଏ ପରିପ୍ରେକ୍ଷୀରେ ଓଡ଼ିଶା ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ ହାରୋ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି, ରାଜ୍ୟ ସରକାର ହୋଟେଲ ଶିଳ୍ପର ଅଭିବୃଦ୍ଧି କରିବା ଲାଗି ଶିଳ୍ପ ଅଂଶୀଦାରଙ୍କ ସହ ମିଳିତ ହୋଇ ନୂଆ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି । ବତ୍ତର୍ମାନ ସବ୍‌ସିଡି ପାଇବାରେ ନିବେଶକ ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ଆସୁଛି । ଏ କ୍ଷେତ୍ରରେ ଥିବା ପ୍ରଶାସନିକ ସମସ୍ୟାକୁ ଦୂର କରିବାକୁ ହେବ । ରାଜ୍ୟ ଏହାର ପର୍ଯ୍ୟଟନ ସମ୍ଭାବନାର ଠିକ୍‌ ଉପଯୋଗ କରିପାରିଲେ ଏହାର ଅର୍ଥନୀତିକୁ ଉଲ୍ଲେଖନୀୟ ଯୋଗଦାନ ଦେଇପାରିବ । ଏହି ଅବସରରେ କ୍ରାଉନ୍‌ ଗ୍ରୁପର ଏମ୍‌ଡି ଦେବୁ ପଟ୍ଟନାୟକ କହିଛନ୍ତି, ପର୍ଯ୍ୟଟନ କାର୍ଯ୍ୟକଳାପ କେବଳ ପୂର୍ବ ଓଡ଼ିଶାର ପୁରୀ, କୋଣାର୍କ ଏବଂ ଚିଲିକାରେ ସୀମତି ହୋଇ ରହିଛି । ପର୍ଯ୍ୟଟନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ଏ ଯାଏ ସକ୍ଷମ ହୋଇନି । ଓଡ଼ିଶାର ପର୍ଯ୍ୟଟନ ପାଇଁ ଅନେକ ସମ୍ଭାବନା ରହିଛି । ହେଲେ ଦାରିଙ୍ଗିବାଡି, କୋରାପୁଟ ଭଳି ଅନ୍ୟ ସ୍ଥାନରେ ଭଲ ହୋଟେଲଟିଏ ନାହିଁ । ୧୯୮୦ରୁ ହୋଟେଲ କ୍ଷେତ୍ର ଶିଳ୍ପ ମାନ୍ୟତା ପାଇଁ ଅନେଇ ବସିଛି । ଭିତ୍ତିଭୂମି ଦୃଢ଼ ନ ହେଲେ ପର୍ଯ୍ୟଟନ କ୍ଷେତ୍ର ଆଗେଇ ପାରିବନି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.