ନୂଆଦିଲ୍ଲୀ, ୩।୭: ବଡ଼ ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତିମାନେ ଜିଏସ୍ଟି ଜାଲରେ ବରାବର ପଡ଼ୁଛନ୍ତି । ମାତ୍ର ଦେଶକୁ ଚଳାଉଥିବାର ଅତି ବଡ଼ ଶିଳ୍ପପତିମାନେ କାଳେ ସେଥିରେ ଧରା ପଡ଼ୁନାହାଁନ୍ତି । ଥାଇପାରେ ଏହା ପଛରେ ଏକାଧିକ କାରଣ । ସରକାର ଉପସ୍ଥିତ କ୍ଷେତ୍ରରେ ବଡ଼ ମାଛମାନଙ୍କୁ ନିଷ୍ଠୁର ବ୍ୟବହାର କରିବାକୁ କ୍ୱଚିତ୍ ଚାହିଁବେ । ଇଲେକ୍ଟୋରାଲ ବଣ୍ଡ୍ ଭଳି କିଛି ସର୍ତ୍ତରେ ସରକାରୀ ନିୟମ ବନ୍ଧା ।
ଦେଶ ତଥା ରାଜ୍ୟର ବୃହତ୍ତର ଆର୍ଥିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରାଯାଉଥିବା ବ୍ୟବସ୍ଥା କଲ୍ୟାଣକାରୀ ସାବ୍ୟସ୍ତ ହେବାରେ ଲାଗିଛି । ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପ୍ରଚଳନକୁ ଏହା ଭିତରେ ସାତ ବର୍ଷ ହୋଇଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜିଏସ୍ଟିର ପ୍ରଚଳନକୁ କିଭଳି ଅଧିକ ପ୍ରଭାବୀ କରିହେବ, ତାହା ଉପରେ ଏହି ସାତ ବର୍ଷର ଅଭିଜ୍ଞତା ଦେଶ ତଥା ରାଜ୍ୟର ଆର୍ଥିକ ଅବସ୍ଥାକୁ କେତେ ପ୍ରଭାବିତ କରିଛି, ତାହା ଉପରେ ବିଶେଷଜ୍ଞମାନେ ବିଭିନ୍ନ କଳନା କରୁଛନ୍ତି । କେବଳ ଜିଏସ୍ଟି ନୁହେଁ, ନୋଟ୍ବନ୍ଦୀ ପର ସ୍ଥିତି ଉପରେ ମଧ୍ୟ ଗମ୍ଭୀର ବିଚାର ବିମର୍ଶ ଚାଲିଛି । ଉଭୟ ଦିଗ ଉପରେ କେନ୍ଦ୍ର ତଥା ରାଜ୍ୟ ସରକାର ସାମଗ୍ରୀ ଓ ସେବା ଟିକସ ଉପରେ ସାତ ବର୍ଷର ଉପଲବ୍ଧି ନେଇ ବିଭିନ୍ନ ମହଲର ପରାମର୍ଶ ଆଧାରରେ କିଭଳି ପ୍ରଭାବୀ ସଂଶୋଧନ ଓ ସଂସ୍କାର ଅଣାଯାଇପାରିବ ତାହା ଚିନ୍ତା କରାଯାଉଛି । ଏହା ଭିତରେ ଓଡ଼ିଶାର ଜିଏସ୍ଟି ଆଦାୟରେ ୨୪% ବୃଦ୍ଧି ଘଟିଛି । ଟିକସ ବାବଦକୁ ମିଳିଛି ୨୦୩୯ କୋଟିର ଟିକସ । ଦେଶରେ ମୋଟ୍ ୧.୭୬ଲକ୍ଷ କୋଟି ଆଦାୟ ହୋଇଛି ।
ଗତ ଜୁନ୍ ମାସରେ ସାମଗ୍ରୀ ଓ ସେବା ଟିକସ ଆଦାୟରେ ରେକର୍ଡ ସୃଷ୍ଟି ହୋଇଥିବା ସଦ୍ୟତମ ସୂଚନାରୁ ଜଣାଯାଇଛି । ଆଲୋଚ୍ୟ ସମୟରେ ଓଜିଏସ୍ଟି ଏବଂ ଆଇଜିଏସ୍ଟି ବାବଦ ଆୟ ପରିମାଣ ୨୦୩୯,୭୧ କୋଟି ହୋଇଥିବା ବହୁତ ବଡ଼ ଉପଲବ୍ଧି ବୋଲି କୁହାଯାଇଛି । ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଜୁନ୍ ପର୍ଯ୍ୟନ୍ତ ଅନ୍ୟ ବ୍ୟବସ୍ଥା ଭଳି ଆୟ-ବ୍ୟୟ ଉପରେ ହିସାବ ନିକାଶ କରାଯାଇଥାଏ । ଏହି ସମୟରେ ଓଡ଼ିଶା ମୋଟ୍ ୭୦୦୦.୯୮ କୋଟି ଟଙ୍କା ସଂଗ୍ରହ କରିଛି । ପୂର୍ବ ବର୍ଷ ଏହି ସମୟରେ ୫୪୨୭.୧୦ କୋଟି ଥିଲା । ସବୁ ଦୃଷ୍ଟିରୁ ଦେଖାଗଲେ ଆଦାୟ କ୍ଷେତ୍ରରେ ଏହା ୨୯% ଅଭିବୃଦ୍ଧି । ଜିଏସ୍ଟି ଆଦାୟ ନେଇ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ କିଭଳି ସନ୍ତୁଳନ ରକ୍ଷାପୂର୍ବକ ବିଭିନ୍ନ ଯୋଜନାର ରୂପରେଖ ନିରୂପଣ କରୁଛନ୍ତି ତାହା ଦେଖାଯିବାର କଥା । ଚଳିତ ଆର୍ଥିକ ବର୍ଷରେ ହୋଇଥିବା ଉପଲବ୍ଧି ଆଗାମୀ ବର୍ଷଗୁଡ଼ିକରେ ଅଧିକ ଫଳଦାୟୀ ହେବ ବୋଲି ଆଶା କରାଯାଇପାରେ । ତାହାରି ଭିତରେ କିଛି ଅସାଧୁ ବ୍ୟବସାୟୀ ଗୋତ୍ର ମାରୁ କାର୍ଯ୍ୟ ଚଳାଇବାକୁ ପଛାଉନାହାଁନ୍ତି ।
ଦେଶର ଏମିତି ଗୁଡ଼ିଏ ରାଜ୍ୟ ଅଛି, ଯେଉଁଠି କି ଅର୍ଥ ମନ୍ତ୍ରଣାଳୟର ପହଞ୍ଚ ରହୁନାହିଁ । ସେହି ସ୍ଥାନମାନଙ୍କରେ ଅର୍ଥ ଲୁଟି ଚାଲିଛନ୍ତି ଲୁଟେରାମାନେ । ଏମିତି ବହୁ ଉଦାହରଣ ସାମ୍ନାକୁ ଆସିଗଲାଣି । ସାଧୁ ଓ ସଚ୍ଚୋଟ ଅଧିକାରୀ ଓ କର୍ମଚାରୀଙ୍କ କଥା କୁହାଯାଉନାହିଁ । ମାତ୍ର ଅସାଧୁ ଲୁଟିଆମାନେ ଜିଏସ୍ଟି ପ୍ରଚଳନ ହେବା ଦିନଠାରୁ ଓର ଦେଖି ନୂଆ ନୂଆ ଫନ୍ଦି ବାହାର କରୁଥିବାର ଅନେକ ପ୍ରମାଣ ମିଳିସାରିଲାଣି । ଏ ବାବଦରେ ଆମେ ଯେତେ ପରିମାଣର ଧନରାଶି ଟିକସ ଆକାରରେ ପାଉଥାଉ, ତାହାର ବହୁଗୁଣ ଅସାଧୁ କାରବାରୀଙ୍କ ପାଖକୁ ଚାଲିଯାଉଛି ବୋଲି ଏକ ଅସମର୍ଥିତ ହିସାବ କହୁଛି । ରାଉରକେଲାର ଜଣେ କବାଡ଼ିବାଲା ଘରେ ଜିଏସଟି ଷ୍ଟାଫ୍ ଏହା ଭିତରେ ଚଢ଼ାଉ କରି କେତେଶହ କୋଟି ବିଡ଼ା ବିଡ଼ା ନୋଟ୍ ଜବତ କରିଥିଲେ । ସେହିଭଳି ଲୁଚାଛପାରେ ହଜାର ହଜାର କୋଟି କାରବାର ହେଉଛି ତାର ହିସାବ ନାହିଁ । ଧରାଯାଉଛି ଯେତେ, ତା'ଠାରୁ ଧରାଯାଇପାରୁନି ଅଧିକ ।
ଗଳବାଟରେ ଲକ୍ଷ ଲକ୍ଷ କୋଟିର ଫାଙ୍କି ରାଜକୋଷକୁ ଆସୁନଥିବା ଫଳରେ ଦେଶର ବିଭିନ୍ନ ଯୋଜନା ବ୍ୟୟ ଯେଭଳି ହେବା କଥା, ତାହା ହୋଇପାରୁ ନାହିଁ ବୋଲି ଅର୍ଥଶାସ୍ତ୍ରୀମାନେ କହୁଛନ୍ତି । ପ୍ରକୃତ ଟିକସଦାତା ଉପାର୍ଜିତ ଧନରୁ ବାଧ୍ୟରେ ଟିକସ ଗଣୁଛନ୍ତି, କିନ୍ତୁ ଅନ୍ୟ ଉପାୟରେ ଆୟ କମାଇବାର ମାର୍ଗ ଦେଖାଇଲେ ସେମାନେ ଅସତ୍ ମାର୍ଗକୁ ଆପଣାଇବାକୁ ପଛାଉ ନାହାଁନ୍ତି । ଏମିତିରେ ଅସାଧୁ କର୍ମଚାରୀ ଏବଂ ବ୍ୟବସାୟୀଙ୍କ ଭିତରେ ମଧୁଚନ୍ଦ୍ରିକା ରହିଛି । ତାର ବାସ୍ନା ବାରି ଲଗାତାର ଚଢ଼ାଉ କରି କିଛିଙ୍କୁ ଧରାଯାଇପାରୁଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ବଡ଼ ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତିମାନେ ଜିଏସ୍ଟି ଜାଲରେ ବରାବର ପଡ଼ୁଛନ୍ତି । ମାତ୍ର ଦେଶକୁ ଚଳାଉଥିବାର ଅତି ବଡ଼ ଶିଳ୍ପପତିମାନେ କାଳେ ସେଥିରେ ଧରାପଡ଼ୁ ନାହାଁନ୍ତି । ଥାଇପାରେ ଏହା ପଛରେ ଏକାଧିକ କାରଣ । ସରକାର ଉପସ୍ଥିତ କ୍ଷେତ୍ରରେ ବଡ଼ ମାଛମାନଙ୍କୁ ନିଷ୍ଠୁର ବ୍ୟବହାର କରିବାକୁ କ୍ୱଚିତ୍ ଚାହିଁବେ । ଇଲେକ୍ଟୋରାଲ ବଣ୍ଡ ଭଳି କିଛି ସର୍ତ୍ତରେ ସରକାରୀ ନିୟମ ବନ୍ଧା । ସାଧାରଣ ନିର୍ବାଚନ ପୂର୍ବରୁ ତାହା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କଲେ ତାହା କିଭଳି ଫୁସକିଗଲା, ତାହା ଦେଶ ଦେଖିଲା । ଉପସ୍ଥିତ କ୍ଷେତ୍ରରେ ଜିଏସ୍ଟିରୁ ଲବ୍ଧ ସୁଫଳ ନେଇ ସମସ୍ତେ ଆଶାବାଦୀ ରହିପାରନ୍ତି ।