ଭୁବନେଶ୍ୱର, ୧୮।୪: ଆଇଏସ୍ ପାଇଁ କୋଚିଂ ନେବାକୁ ଚାହୁଁଛନ୍ତି କି ? ସେ ପୁଣି ସମ୍ପୂର୍ଣ୍ଣ ମାଗଣାରେ । ତେବେ ଏହି ଖବର ଆପଣଙ୍କ ପାଇଁ । ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ମିଳିବ ୟୁପିଏସସି କୋଚିଂ । ଏବେ ପୂରଣ ହେବ ଗରିବ ଆଶାୟୀଙ୍କ ଆଇଏଏସ୍ ସ୍ବପ୍ନ । ୨୦୨୫-୨୬ ବର୍ଷ ପାଇଁ ଜୁନ୍ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ୍ ଆପ୍ଲିକେସନ୍ ଫର୍ମ । ତେବେ ଏଥିରେ କେଉଁମାନେ କରିପାରିବେ ଆବେଦନ ଆସନ୍ତୁ ଜାଣିବା । ପ୍ରବେଶିକା ପରୀକ୍ଷାରେ ମନୋନୀତ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ୟୁପିଏସ୍ସି ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ୧୧ ମାସ କୋଚିଂ ମାଗଣା କୋଚିଂ ଦିଆଯିବ ।
ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଗ୍ରାଜୁଏସନ୍ ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଆଶାୟୀ ଛାତ୍ରଛାତ୍ରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ଏଥର କିନ୍ତୁ ନୂଆ ପ୍ରଣାଳୀରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଯେ, ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ ୟୁପିଏସ୍ସି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ।