ଭୁବନେଶ୍ୱର,୨୨/୧୨: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଜଙ୍ଗଲର ଆୟତନ ବଢ଼ିଛି । ୨ ବର୍ଷ ମଧ୍ୟରେ ୧୫୧.୮୯ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଛି । ରାଜ୍ୟରେ ଜଙ୍ଗଲ ଓ ଗଛ ଆଚ୍ଛାଦିତ ଅଞ୍ଚଳ ପରିମାଣ ମିଶାଇଲେ ୫୫୮.୫୭ ବର୍ଗ କିମି ବୃଦ୍ଧି ପାଇଛି। ଜାତୀୟସ୍ତରରେ ଜଙ୍ଗଲ ଅଞ୍ଚଳ ସହ ଗଛ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ରାଜ୍ୟ ତୃତୀୟ ସ୍ଥାନରେ ରହିଛି । ଜଙ୍ଗଲ ବୃଦ୍ଧିରେ ଶୀର୍ଷରେ ଅଛି ଛତିଶଗଡ଼ (୬୮୩.୬୨) ବର୍ଗ କିମି । ତା ପଛକୁ ଦ୍ୱିତୀୟ ସ୍ଥାନରେ ଅଛି ଉତ୍ତରପ୍ରଦେଶ (୫୫୯.୧୯) ବର୍ଗ କିମି । ଓଡ଼ିଶା ତଳକୁ ରହିଛି ରାଜସ୍ଥାନ । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗତ ୨ ବର୍ଷ ମଧ୍ୟରେ ଜଙ୍ଗଲ ପରିମାଣ କିନ୍ତୁ କମିଛି ।
ରାଜ୍ୟରେ ଜଙ୍ଗଲ ପରିମାଣ ବଢ଼ିଛି ସତ ମାତ୍ର ଘଞ୍ଚ ଜଙ୍ଗଲ ଆଖିଦୃଶିଆ ବଢ଼ିନି । ମାତ୍ର ୧୨ ବର୍ଗ କିମି ବୃଦ୍ଧି ପାଇଛି । ମଧ୍ୟମ ଘଞ୍ଚ ଜଙ୍ଗଲ ୭୦ ବର୍ଗ କିମି ଏବଂ ଖୋଲା ଜଙ୍ଗଲ ୧୯୫ ବର୍ଗ କିମି ବଢ଼ିଛି । ଗଜପତି ଜିଲ୍ଲାରେ ଘଞ୍ଚ ଜଙ୍ଗଲ ୫ ବର୍ଗ କିମି କମିଥିଲା ବେଳେ ଗଞ୍ଜାମରେ ୧୦, କନ୍ଧମାଳରେ ୯ ଓ ମୟୂରଭଞ୍ଜରେ ୬ ବର୍ଗ କିମି ମଧ୍ୟ କମିଛି । ଓଡ଼ିଶା ପାଇଁ ନିରାଶାଜନକ ଖବର ହେଲା ଜଙ୍ଗଲ ନିଆଁରେ ମଧ୍ୟ ରାଜ୍ୟ ଆଗରେ ରହିଛି । ୨୦୨୩- ୨୪ରେ ଜାତୀୟସ୍ତରରେ ବନାଗ୍ନିରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଅଛି । ୨୦ ହଜାର ୯୭୩ଟି ନିଆଁ ଲାଗିଥିବା ରେକର୍ଡ ହୋଇଛି ।
ଉତ୍ତରାଖଣ୍ଡରେ ଏହି ସଂଖ୍ୟା ୨୧, ୦୩୩ ଏବଂ ଛତିଶଗଡ଼ରେ ରହିଛି ୧୮.୯୫୦ । ଜଙ୍ଗଲ ନିଆଁରେ ଆନ୍ଧ୍ରପ୍ରଦେଶ ୪ର୍ଥ ସ୍ଥାନରେ ଅଛି । କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶନିବାର ଜାତୀୟ ଜଙ୍ଗଲ ସ୍ଥିତି ରିପୋର୍ଟ ୨୦୨୩ ଉନ୍ମୋଚନ କରିଛନ୍ତି । ଦେଶ ପାଇଁ ବଡ଼ ଖବର ହେଲା ୨୦୨୧ ତୁଳନାରେ ଜଙ୍ଗଲ ସହ ବୃକ୍ଷରୋପଣ ଆୟତନ ୧୪୪୫.୮୧ ବର୍ଗ କିମି ବଢ଼ିଛି । ଦେଶର ମୋଟ ୮ ଲକ୍ଷ ୨୭ ହଜାର ୩୫୭ ବର୍ଗକିମି ଅଞ୍ଚଳ ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ରହିଛି । ଏହା ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭ ପ୍ରତିଶତ । ଏଥିରୁ ୭, ୧୫, ୩୪୩ ବର୍ଗ କିମି (୨୧.୭୬%) ହେଉଛି ଜଙ୍ଗଲ ଏବଂ ୧,୧୨,୦୧୪ ବର୍ଗ କିମି (୩.୪୧%) ବୃକ୍ଷ ଦ୍ୱାରା ଆଚ୍ଛାଦିତ ।
ଓଡ଼ିଶା ଗତ ୨ ବର୍ଷ ମଧ୍ୟରେ ଜଙ୍ଗଲ ବୃଦ୍ଧିରେ ବେଶ୍ ସଫଳତା ହାସଲ କରିଛି । ସରକାରୀ ରେକର୍ଡରେ ଥିବା ଜଙ୍ଗଲ ଭିତରେ ଏହି ବୃଦ୍ଧି ପରିମାଣ ୧୧୮.୧୭ ବର୍ଗ କିମି । ମିଜୋରାମ ପରେ ଓଡ଼ିଶା ଏ ଅଞ୍ଚଳରେ ଅଧିକ ପରିମାଣର ଜଙ୍ଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ତେବେ ରେକର୍ଡଭୁକ୍ତ ଜଙ୍ଗଲ ଭିତରେ ଓ ବାହାରେ ଜଙ୍ଗଲ ବୃଦ୍ଧିକୁ ମିଶାଇଲେ ଏହି ପରିମାଣ ୧୫୨ ବର୍ଗ କିମି ଛୁଇଁଛି । ହେନ୍ତାଳ ବଣ ସୃଷ୍ଟିରେ ଓଡ଼ିଶାକୁ ହତାଶ ହେବାକୁ ପଡ଼ିଛି । ଓଡ଼ିଶାରେ ଥିବା ଜଙ୍ଗଲ ମଧ୍ୟରୁ ୧୨,୩୨୮ ବର୍ଗ କିମିରେ ବାଉଁଶ ଗଛ ଅଛି । କୃଷିଭିତ୍ତିକ ଜଙ୍ଗଲରେ ଓଡ଼ିଶା ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ତୃତୀୟ ସ୍ଥାନରେ ଅଛି ।
ଜାତୀୟ ଜଙ୍ଗଲ ରିପୋର୍ଟ କହୁଛି, ରାଜ୍ୟରେ ଅତି ଘଞ୍ଚ ଜଙ୍ଗଲ ୭,୨୨୪ ବର୍ଗ କିମି ଥିଲା ବେଳେ, ମଧ୍ୟମ ଘଞ୍ଚ ଜଙ୍ଗଲ ୨୧, ୦୬୫ ଏବଂ ଖୋଲା ଜଙ୍ଗଲ ଅଛି ୨୪, ୧୪୩ ବର୍ଗ କିମି । ମୋଟ ୫୨ ହଜାର ୪୩୩ ବର୍ଗ କିମି ଜଙ୍ଗଲରେ ଆଚ୍ଛାଦିତ ଥିଲା ବେଳେ ଏହା ହେଉଛି ରାଜ୍ୟ ଭୌଗୋଳିକ ଅଞ୍ଚଳର ୩୩.୬୭ ପ୍ରତିଶତ । ବୁଦୁ ବୁଦୁକିଆ ଜଙ୍ଗଲ ପରିମାଣ ହେଉଛି ୪ ହଜାର ୬୩୨ ବର୍ଗ କିମି । ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଜଙ୍ଗଲ ପରିମାଣ କମିଛି । ଆଦିବାସୀବହୁଳ ଦେବଗଡ଼ରେ ୧.୭୩ ବର୍ଗ କିମି, ଗଜପତିରେ ୧୧.୬୩, କଳାହାଣ୍ଡିରେ ୬୧.୯୪, କେନ୍ଦୁଝରରେ ୩୦.୯୨, ମାଲକାନଗିରିରେ ୧୨.୩୪, ନବରଙ୍ଗପୁରରେ ୨୯.୪୬ ବର୍ଗ କିମି ଜଙ୍ଗଲ କମିଛି । ସେହିଭଳି ଅନୁଗୁଳରେ ୫.୫୬ ବର୍ଗ କିମି, ସମ୍ବଲପୁରରେ ୩୧.୨୭ ବର୍ଗ କିମି ଜଙ୍ଗଲ କମିଛି ।