ଶିମିଳିପାଳ, ୨୨।୧୨: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବା ଦୁଇ ବାଘୁଣୀ ସମ୍ପର୍କରେ ଅପଡେଟ୍ ଦେଲା ଏସ୍ଟିଆର । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଦୁଇ ବାଘୁଣୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଭାବେ ବୁଲାବୁଲି କରୁଛନ୍ତି । ଯମୁନା ଏବେବି' ଶିମିଳିପାଳ ଲାଣ୍ଡସ୍କେପ ଅର୍ଥାତ୍ କୂଲଡିହା ଓ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରୁଥିବା ବେଳେ ଜୀନ୍ନତ୍ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଳରେ ରହିଛି । ତେଣୁ ଜୀନ୍ନତ୍କୁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବନବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗୀନେନି ।
ଜିନ୍ନତ୍କୁ ନେଇ ଗତ ୧୫ ଦିନ ହେଲାଣି ଚିନ୍ତାରେ ଅଛନ୍ତି ୩ ରାଜ୍ୟର ବନ ବିଭାଗ । ବର୍ତ୍ତମାନ ପଶ୍ଚିମବଙ୍ଗରେ ମଧ୍ୟ ଝାଡ଼ଖଣ୍ଡ ଭଳି ଭୟର ବାତାବରଣ ରହିଛି । ପର୍ଯ୍ୟଟନ ଋତୁରେ ବାଘ ଆତଙ୍କ ଲାଗି ଝାଡ଼ଗ୍ରାମ ଜଙ୍ଗଲ ଅଞ୍ଚଳର ସମସ୍ତ ପୀକନିକ ସ୍ପଟ୍କୁ ବନ୍ଦ ରଖିଛି ସ୍ଥାନୀୟ ପ୍ରଶାସନ । ତେଣୁ ପରିସ୍ଥିତିକୁ ନଜରରେ ରଖି ଏକ ସ୍ୱତନ୍ତ୍ର ଦଳ ଜିନ୍ନତ୍ର ଗତିବିଧିକୁ ଟ୍ରାକିଂ କରୁଛନ୍ତି । ସୁଯୋଗ ପାଇବା ମାତ୍ର ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଶିମିଳିପାଳ ଫେରାଇ ଅଣାଯିବ ବୋଲି ଏସ୍ଟିଆର ପକ୍ଷରୁ ସୂଚନା ଦିଆଯାଇଛି ।