ଭୁବନେଶ୍ୱର,୨୨/୧୨: ଭରତପୁର ପୋଲସ ଓ ସେନା ଅଧିକାରୀ ବିବାଦ ମାମଲା । ଭୁବନେଶ୍ୱରର ସ୍ଵତନ୍ତ୍ର ସର୍କିଟ ହାଉସରେ ରବିବାର ଚାଲିଛି ସାକ୍ଷ୍ୟ ପ୍ରମାଣ । ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରୁଛନ୍ତି କମିଶନ ଜଷ୍ଟିସ ଚିତ୍ତରଂଜନ ଦାସ । ଏହା ସହିତ ରବିବାର ମଧ୍ୟ ଆରମ୍ଭ ହୋଇପାରେ ଶୁଣାଣି । ଏହି ସମୟରେ ନିଲମ୍ବିତ ପୋଲିସ ଅଧିକାରୀ, କ୍ୟାପଟେନ ଓ ତାଙ୍କ ବାନ୍ଧବୀ ଉଭୟଙ୍କ ପକ୍ଷର ଓକିଲ ମଧ୍ୟ କମିଶନଙ୍କ ନିକଟରେ ଉପସ୍ଥିତ ଅଛନ୍ତି । ଏହି ପ୍ରକ୍ରିୟା ଡିସେମ୍ୱର ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୧୩ ରୁ ୧୬ ତାରିଖ ଭିତରେ ଭରତପୁର ଥାନାରେ ରେକର୍ଡ ହୋଇଥିବା ଷ୍ଟେସନ ଡାଏରୀ ଗୁଡିକ ମଧ୍ୟ କମିଶନଙ୍କଠାରେ ଦାଖଲ ହୋଇଛି ।
ସୂଚନାଯୋଗ୍ୟ, ଭରତପୁର ଥାନାରେ ହଙ୍ଗାମା ଘଟଣାରେ ତଦନ୍ତ କମିଶନଙ୍କ ନିକଟରେ କ୍ରାଇମ୍ବ୍ରାଞ୍ଚ, ଭାଇରାଲ ଭିଡିଓ ସମ୍ପର୍କିତ ତଥ୍ୟ ଦାଖଲ କରିଥିଲେ । ଡିସେମ୍ୱର ୨୧ ତାରିଖରେ ସମସ୍ତ ପକ୍ଷଙ୍କ ସାମ୍ନାରେ ଭିଡିଓଗୁଡିକ ପ୍ରଦର୍ଶିତ କରାଯାଇଥିଲା । ଏସବୁ ଭାଇରାଲ ଭିଡିଓଗୁଡିକ ସତ ନା ଏହାକୁ ଏଡିଟିଂ କରାଯାଇ ତଦନ୍ତକୁ ଦିଗହରା କରାଯାଇଛି, ତାହା ପକ୍ଷମାନେ ଦେଖି ଭିଡିଓରେ ଥିବା ତ୍ରୁଟିବିଚ୍ୟୁତିକୁ ଖୋଜି ବାହାର କରିଥିଲେ ।
ବୁଧବାର କମିଶନଙ୍କ ଶୁଣାଣି ବେଳେ ୫ ନିଲମ୍ବିତ ପୁଲିସ ଅଧିକାରୀଙ୍କ ସମେତ ସେନାଧିକାରୀ ଓ ବାନ୍ଧବୀଙ୍କ ଓକିଲମାନେ ହାଜର ହୋଇଥିଲେ । ପରେ ପୋଲିସ ଅଧିକାରୀମାନେ ଯେଉଁମାନଙ୍କୁ ଜେରା କରିବେ, ସେମାନଙ୍କ ତାଲିକା ମଧ୍ୟ ବାହାରିଥିଲା । କିନ୍ତୁ ସେନାଧିକାରୀ ଓ ବାନ୍ଧବୀଙ୍କ ତରଫରୁ କାହାକୁ ଜେରା କରାଯିବ, ସେ ନେଇ କୌଣସି ତଥ୍ୟ କମିଶନଙ୍କୁ ଦିଆଯାଇ ନଥିଲା ।
କମିଶନଙ୍କ ନିକଟରେ ମୋଟ ୫୨୫ଟି ସତ୍ୟପାଠ ଦାଖଲ ହୋଇଛି। ସେଥିରୁ ୪୫ଟି ସତ୍ୟପାଠକୁ ଶୁଣାଣି ପାଇଁ ଚୟନ କରାଯାଇଛି । ନଭେମ୍ବର ୧୯ ତାରିଖରେ ଜଷ୍ଟିସ୍ ଶ୍ରୀ ଦାଶ ନିଜେ ଭରତପୁର ଥାନାକୁ ଯାଇ ତଦନ୍ତ କରିଥିଲେ।