କୋରାପୁଟ,୨୨/୧୨: ୩୨୫ କେଜି ଗଞ୍ଜେଇ ଜବତ କରିଛି କୋରାପୁଟ ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ ଝାଡ଼ବାନ୍ଧର ରୋହିତ ଜେନା ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଗୁରୁ ଖୋରା ଏବଂ ରୋହିତ ଜେନା ଏକ ବୋଲେରୋରେ ବେଆଇନ ଗଞ୍ଜେଇ ଭର୍ତ୍ତି କରି ଜଲାପୁଟରୁ ବ୍ରହ୍ମପୁର ଚୋରା ଚାଲାଣ କରୁଥିଲେ । ଏ ବିଷୟରେ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ବଡେଲ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗୋଡ଼ିପୁଟ ଛକ ନିକଟରେ କୋରାପୁଟ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ବୋଲେରୋକୁ ଜବତ କରିଛି ପୋଲିସ । ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।