ନୂଆଦିଲ୍ଲୀ,୧୫।୩: ନିର୍ବାଚନୀ ପାରଦର୍ଶିତାକୁ ବଢାଇବା ଲକ୍ଷ୍ୟରେ ଏବେ ଭୋଟର ଆଇଡି କାର୍ଡକୁ ଆଧାର ସହ ଯୋଡିବାର ପକ୍ରିୟା ବଢିବ। ପ୍ୟାନ୍ କାର୍ଡ ଭଳି ଏବେ ଭୋଟର ଆଇଡି କାର୍ଡକୁ ମଧ୍ୟ ଆଧାର ସହ ଯୋଡିବାର ଯୋଜନା ଉପରେ ନିର୍ବାଚନ କମିଶନ୍ ଗମ୍ଭୀରତାର ସହ କାମ କରୁଛନ୍ତି। ଏନେଇ ଆଗାମୀ ସପ୍ତାହରେ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଯେଉଁଥିରେ ଗୃହ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ ଓ ଆଧାର ଜାରି କରିଥିବା ସଂସ୍ଥl UIDAI ର ଶୀର୍ଷ ଅଧିକାରୀ ରହିଛନ୍ତି। ଏହାର ଉଦ୍ଦେଶ୍ୟ ନକଲି ଭୋଟରଙ୍କୁ ଚିହ୍ନଟ କରି ମତଦାତା ସୁଚୀକୁ ସଫା ରଖିବା।
ଇଣ୍ଡିଆନ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, ୨୦୨୧ ରେ ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ ସଂଶୋଧନ ପରେ ନିର୍ବାଚନ କମିଶନ୍ ମତଦାତାଙ୍କ ସ୍ବଇଚ୍ଛାରେ ଆଧାର ନମ୍ବର ଏକାଠି କରିବା ଆରମ୍ଭ କରିଥିଲା। ତେବେ ଏପର୍ଯ୍ୟନ୍ତ ନିର୍ବାଚନ କମିଶନ୍ ଆଧାର ଓ ମତଦାତାଙ୍କ ଚିହ୍ନଟ ଡାଟାବେସ୍କୁ ଲିଙ୍କ କରିନି। ଏହି ପକ୍ରିୟା ଏଥିପାଇ ଅଣାଯାଇଥିଲା, ଯାହାଫଳରେ ଡୁପ୍ଳିକେଟ୍ ଭୋଟର ପଞ୍ଜିକରଣ ଚିହ୍ନଟ କରି ମତଦାତାଙ୍କ ସୂଚୀକୁ ଶୁଦ୍ଧ କରିପାରିବେ, କିନ୍ତୁ ଆଧାରକୁ ଲିଙ୍କ୍ କରିବା ବାଧ୍ୟତାମୂଳକ ନୁହେଁ।
ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ନିର୍ବାଚନ କମିଶନ୍ ବିବେକ ଯୋଶୀ ଏହି ପ୍ରସଙ୍ଗରେ ୧୮ ମାର୍ଚ୍ଚରେ କେନ୍ଦ୍ରୀୟ ଗୃହସଚିବ ଗୋବିନ୍ଦ ମୋହ, ବିଧାୟୀ ବିଭାଗର ମହାସଚିବ ରାଜୀବ ମଣି ଓ UIDAI ର ସିଇଓ ଭୁବନେଶ କୁମାରଙ୍କୁ ସାକ୍ଷାତ କରିବେ। ଏହି ବୈଠକ ଏଭଳି ସମୟରେ ହୋଇଛି ଯେତେବେଳେ ଟିଏମ୍ସି ପଶ୍ଚିମବଙ୍ଗ ସହିତ କିଛି ରାଜ୍ୟରେ EPIC ନମ୍ବର ଥିବା ମତଦାତାଙ୍କ ପ୍ରସଙ୍ଗ ଉଠାଇଛି। ଏହା ଉପରେ ନିର୍ବାଚନ କମିଶନ୍ ମାନିଛନ୍ତି ଯେ, କିଛି ରାଜ୍ୟରେ ଭୁଲ ଅଲଫାନ୍ୟୁମରିକ୍ ସିରିଜ୍ କାରଣରୁ ଗୋଟିଏ ନମ୍ବର ଦ୍ବିତୀୟ ଥର ଜାରି କରାଯାଇଥିଲା।