ସୀତାପୁର: ଶବ ସତ୍କାର କରିବାକୁ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଡଙ୍ଗା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ହୋଲି ଖେଳିସାରିବା ପରେ ଜଣେ ଯୁବକ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଯୁବକଙ୍କ ମୃତଦେହକୁ ନେଇ ତାଙ୍କର ୧୫ ଜଣ ସଂପର୍କୀୟ ନଦୀର ଅପର ପାର୍ଶ୍ବକୁ ଯାଉଥିଲେ । ଏହି ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଦୁର୍ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ବୁଡ଼ାଳିମାନେ ନଦୀରେ ନିଖୋଜ ଲୋକଙ୍କୁ ଖୋଜାଖୋଜି କରିଥିଲେ ।
ରିପୋର୍ଟ ଅନୁସାରେ, ଶୁକ୍ରବାର ହୋଲିରେ ରଙ୍ଗ ଖେଳିବା ପରେ ନଦୀରେ ଗାଧୋଇବା ପାଇଁ ରତନଗଞ୍ଜର ଅନ୍ୟ ପିଲାମାନଙ୍କ ସହିତ ନାଗେଶ୍ୱରଙ୍କ ପୁଅ ଦିନେଶ (୨୬) ଯାଇଥିଲେ । କିନ୍ତୁ ନଦୀରେ ବୁଡ଼ି ଦିନେଶ ମୃତ୍ୟୁବରଣ କରିଥିଲେ । ମୃତଦେହ ମିଳିବା ପରେ ଶନିବାର ତାଙ୍କ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଶାରଦା ନଦୀର ଆର ପାର୍ଶ୍ୱକୁ ଯାଇଥିଲେ । ଏହି ସମୟରେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଶାରଦା ନଦୀରେ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ନଦୀକୁ ଡେଇଁ ପଡ଼ି ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।
ଦିନେଶଙ୍କ ସମ୍ପର୍କୀୟ ସଞ୍ଜୟ ଗୁପ୍ତା (୩୨), ଖୁସବୁ (୩୦) ଏବଂ ରତନଗଞ୍ଜ ନିବାସୀ କୁମକୁମ (୧୪)ଙ୍କୁ ପାଣିରୁ ବାହାର କରି ହସ୍ପିଟାଲ ପଠାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ନଦୀରୁ ଉଦ୍ଧାର ହୋଇଥିବା ବହରାଇଚର ଖଇରିଘାଟ ଗ୍ରାମର ବାସିନ୍ଦା ବନ୍ଦନା (୩୨), ତାଙ୍କ ଏକ ବର୍ଷର ପୁଅ ସାର୍ଥକ, କୃଷ୍ଣ (୩) ଏବଂ ମୋନୁ (୧୮), ଓମକାର (୨୦), ବିଧି (୫), ଭାନୁ (୩୨) ଏବଂ ଲକ୍ଷ୍ମୀ ଦେବୀଙ୍କୁ ସିଏଚସି ପଠାଯାଇଥିଲା । ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।
ନଦୀରୁ ଉଦ୍ଧାର ହୋଇଥିବା ତିନି ଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଅନ୍ୟ ସମସ୍ତେ ଚିକିତ୍ସାଧୀନ ଥିବା ବେଳେ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତର କରିଛନ୍ତି । ସେପଟେ ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ବିଧାୟକ ଜ୍ଞାନ ତିୱାରୀ ଘଟଣାସ୍ଥଳରେ ପହଞ୍ଚି ପୀଡିତଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ଡିଏମ୍ ଆନନ୍ଦ ଅଭିଷେକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।