ଭୁବନେଶ୍ୱର,୧୫/୦୨: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଗିରଫ ହୋଇଥିବା କୁଖ୍ୟାତ କୋଟିପତି ଚୋର କରୀ ସତିବାବୁ ଓରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର୍ ବିଷୟରେ ପୁଲିସ୍ ବିସ୍ଫୋରକ ତଥ୍ୟ ପାଇଛି । ଏହାରି ଭିତାରେ ପୁଲିସ୍ ଜାଣିବାକୁ ପାଇଛି ଦୁର୍ଘଟଣା ମାମଲାରେ ଜେଲ୍ ଯାଇଥିବା ବ୍ୟକ୍ତି କେମିତି ଚୋରି ବିଦ୍ୟାରେ ପାରଙ୍ଗମ ହୋଇଛି । ଚୋରି କରିବାର ଉପାୟ ଓ ପୁଲିସ୍କୁ ଚକମା ଦେବା ପାଇଁ ଯାହା ସବୁ ଜ୍ଞାନ ଦରକାର ସ୍ପାଇଡର୍ ସେ ସବୁ ଜେଲ୍ରୁ ପାଇଥିବା ଜେରା ବେଳେ ମାନିଛି ।
ସ୍ପାଇଡର୍ର ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ୍ । ଫେଲ୍ ହେଲା ପରେ ସେ ବିଶାଖାପାଟଣାରେ ଏକ ୱେଲ୍ଡିଂ ଦୋକାନରେ କାମ ଆରମ୍ଭ କରିଥିଲା । କିଛି ବର୍ଷ କାମ କରିବା ପରେ ସେ ତାର ଜଣେ ସାଙ୍ଗ ସହ ୨୦୦୭ରେ ସିଙ୍ଗାପୁର ଯାଇ ସେଠାରେ ୱେଲ୍ଡିଂ କାମ କାମ କରିଥିଲା । ସେଠାରେ ଚୋରି କରି ଅତି ସହଜରେ ଖସି ଆସିଥିଲା । ୨୦୦୯ରେ ସ୍ପାଇଡ୍ର ଚଳାଉଥିବା ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମଦ୍ୟପାନ କରି ବାଇକ୍ ଚଳାଉ ଥିବାରୁ ପୁଲିସ୍ ସ୍ପାଇଡର୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ୨୧ ଦିନ ଜେଲ୍ରେ ରହିଥିଲା ସ୍ପାଇଡର୍ । ଜେଲ୍ରେ ସ୍ପାଇଡ୍ର ଯେଉଁ ୱାର୍ଡରେ ଥିଲା ସେଠାରେ ଥିଲେ ଆନ୍ଧ୍ରପ୍ରଦେଶର କୁଖ୍ୟାତ ଚୋର । ୨୧ ଦିନ ମଧ୍ୟରେ ସ୍ପାଇଡର୍ ଚୋରମାନଙ୍କୁ ଠାରୁ ପ୍ରଚୁର ଜ୍ଞାନ ନେଇଥିଲା । ଜେଲ୍ରୁ ଫେରିବା ପରେ ସେ ଛୋଟ ଛୋଟ ଚୋରି କରିଥିଲା ।
୨୦୧୩ରେ ବିଶାଖାପାଟଣାର ଜଣେ ଆଇଆଇସି ତାକୁ ବୁଝାସୁଝା କରି ଗାଡ଼ିଚାଳକ ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ତାକୁ ଭଲ ମଣିଷ କରିବାକୁ ପୁଲିସ ଅଧିକାରୀଙ୍କ ଚେଷ୍ଟା ପାଣିରେ ପଡ଼ିଥିଲା । ଦିନେ ସେହି ଆଇଆଇସିଙ୍କ ଗାଡ଼ି ବ୍ୟବହାର କରି ସେ ଚୋରି କରି ଧରାପଡ଼ି ପୁଣି ଜେଲ୍ ଯାଇଥିଲା । ଦ୍ୱିତୀୟ ଥର ଜେଲ୍ରୁ ବାହାରିବା ପରେ ଦେଶ ସାରା ବୁଲି ବୁଲି ଚୋରି କରୁଥିଲା । ଏ ରାଜ୍ୟରୁ ସେ ରାଜ୍ୟକୁ ସେ ବସ୍ ଯୋଗେ ଯିବା ଆସିବା କରୁଥିଲା । ଚୋରି କରିବା ପରେ ସୁନା-ହୀରା-ରୂପା ଅଳଙ୍କାର ବିକ୍ରି କରି ରାଜକୀୟ ଅୟସ କରୁଥିଲା । ଡିସିପି ପିନାକ ମିଶ୍ର କହିଛନ୍ତି, ଘଟଣାର ଅଧିକ ତଦନ୍ତ ପାଇଁ ତାକୁ ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଛି । ଏହି ସମୟରେ ତା’ଠାରୁ ଅଧିକ ତଥ୍ୟ ମିଳିବ ।
ସ୍ପାଇଡ୍ର ନାଁ ଦେଇଥିଲା ତେଲଙ୍ଗାନା ପୁଲିସ୍
କୁଖ୍ୟତ ଚୋର କରୀ ସତିବାବୁ ଓରଫ ସତୀଶକୁ ସ୍ପାଇଡର୍ ନାଁ ଦେଇଥିଲା ତେଲେଙ୍ଗାନା ପୁଲିସ୍ । କାରଣ ସେ ହଲିଉଡ୍ ସିନେମାର ସ୍ପାଇଡର୍ମ୍ୟାନ୍ ଭଳି ଏକ କାନ୍ଥରୁ ସେ କାନ୍ଥ, ଏ ପାଚେରିରୁ ସେ ପାଚେରି ଅତି ସହଜରେ ଚଢ଼ି ଯାଉଥିଲା । ପୁରୁଣା ଭିଡିଓରୁ ଜଣାପଡିଛି ସେ କେମିତି ଅତି ସହଜରେ ୨-୩ ମହଲା ଘର ଚଢ଼ୁଛି । ତା’ଛଡା ୨୦୨୩ରେ ଏଆରଏଏସ୍ ମାଲିକଙ୍କ ଘରୁ ଚୋରି କରିବା ସମୟରେ ପୁଲିସ୍ ହାତରେ ଲାଗିଥିବା ସିସିଟିଭିରୁ ଜଣାପଡୁଛି ସେ କିଭଳି ଦ୍ରୁତ ଭତିରେ ଘର ଉପରକୁ ଚଢ଼ୁଛି । ତେବେ ପୁଲିସ୍ କମିଶନର ଦେବଦତ୍ତ ସିଂହ କହିଛନ୍ତି, ଏଆର୍ଏଏସ୍ ମାଲକଙ୍କ ଘରୁ ଚୋରି କରିଥିବା ସମ୍ପତ୍ତି ଅଭିଯୁକ୍ତ କେଉଁଠି ବିକ୍ରି କରିଛି ଜଣାପଡ଼ିବ ।