ନୂଆଦିଲ୍ଲୀ,୨୩/୦୨: ଭାରତର ଷ୍ଟାର ବୋଲର ମହମ୍ମଦ ସାମି । ୧୪ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ନିଜ ଶକ୍ତିର ପ୍ରମାଣ ଦେଇ ସାରିଛନ୍ତି । ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରି ୨୦୦ ଦିନିକିଆ କ୍ଲବରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ପରେ କ୍ରିକେଟକୁ ଫେରି ପ୍ରଭାବୀ ପ୍ରଦର୍ଶନ ବଳରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ନିକଟରେ ମହମ୍ମଦ ସାମି ତାଙ୍କ ଫିଟନେସକୁ ନେଇ ଏକ ସିକ୍ରେଟ୍ ରିଭିଲ କରିଛନ୍ତି । ଜାଣିବାକୁ ପଢନ୍ତୁ ପୂରା ରିପୋର୍ଟ ।
୧୦ ବର୍ଷ ହେବ ଓଳିଏ ଖାଉଛନ୍ତି ସାମି- ଶରୀରକୁ ଫିଟ୍ ରଖିବାକୁ ସୁସ୍ଥ ରହିବାକୁ ଦୀର୍ଘଦିନ ଧରି ଜଳିଖିଆ ଓ ମଧ୍ୟାହ୍ନଭୋଜନଠୁ ଦୂରରେ ରହିଛନ୍ତି ମହମ୍ମଦ ସାମି । ଦିନ କି ମାସ ନୁହେଁ ପ୍ରାୟ ୧୦ ବର୍ଷ ହେବ ଓଳିଏ ଖାଉଛନ୍ତି ସେ । ଏକଦମ ଫିଟ୍ ରହିଛନ୍ତି । ସେଥିପାଇଁ ୩୪ ବର୍ଷ ୨୪ ବର୍ଷୀୟଙ୍କ ପରି ବୋଲିଂ କରିବାର ଶ୍ରେୟ ନିଜ ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଦେଇଛନ୍ତି । ସେ କେବଳ ରାତ୍ରୀ ଭୋଜନ ଖାଇଥାନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ୨୦୧୫ ପରଠୁ ମୁଁ ଦିନକୁ ଥରେ ମାତ୍ର ଭୋଜନ କରି ଆସୁଛି । କେବଳ ଡିନର କରିଥାଏ । ସକାଳ ଜଳଖିଆ ଖାଏ ନାହିଁ କି ମଧ୍ୟାହ୍ନ ଭୋଜନ କରେ ନାହିଁ । ଏହା କରିବା କଷ୍ଟ କିନ୍ତୁ ମୋର ଅଭ୍ୟାସ ହୋଇଯାଇଛି ।
ଅଧିକ ପଡନ୍ତୁ...ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍: ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
କମାଇଛନ୍ତି ୯କେଜି ଓଜନ- ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ମହମ୍ମଦ ସାମି ୯ କେଜି ଓଜନ କମାଇଛନ୍ତି । ବିଶ୍ବକପ ପରେ ଆହତ ହୋଇ ଦୀର୍ଘ ଦିନ ହେବ କ୍ରିକେଟରୁ ଦୂରରେ ରହିଥିଲେ । ଏହି ସମୟରେ ତାଙ୍କ ଓଜନ ପାଖାପାଖି ୯୦ କେଜି ଛୁଇଁଥିଲା । ତେଣୁ ସେ ସ୍ପେଶାଲ ଡାଏଟ ପ୍ଲାନ ଫଲୋ କରିବା ସହ ନିୟମିତ ବ୍ୟାୟାମ କରି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ୯ କିଲୋଗ୍ରାମ ଓଜନ କମାଇଛନ୍ତି । ଆଜି ପାକିସ୍ତାନ ବିପକ୍ଷରେ ସାମିଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ଚାହିଁରହିଛନ୍ତି ଫ୍ୟାନ୍ସ ।
ଭାରତ- ପାକ୍ ବିଗ୍ ଫାଇଟ୍- ଆଜି ସୁପର ସନଣ୍ଡେରେ ସୁପର ଫାଇଟ୍ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ପାକିସ୍ତାନ । ଏହା କେବଳ ଏକ ମ୍ୟାଚ ନୁହେଁ ଯୁଦ୍ଧ ସହ ସମାନ । ପ୍ରଥମ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡଠୁ ପ୍ରଥମ ମ୍ୟାଚ ହାରି ଚାପରେ ରହିଛି ପାକିସ୍ତାନ । ମ୍ୟାଚ ହାତେଇ ସେମି ଟିକେଟ୍ ଲକ୍ଷ୍ୟରେ ରହିଛି ରୋହିତସେନା । ପାକିସ୍ତାନକୁ ହରାଇ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଇଣ୍ଡିଆ । ଅନ୍ୟ ପଟେ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ କର ବା ମର ସ୍ଥିତି ସହ ସମାନ । ଅପରାହ୍ନ ୨ଟା୩୦ରେ ମ୍ୟାଚ ଖେଳାଯିବ ।