ଲାହୋର: ଲାହୋରର ଗଦାଫି ଷ୍ଟାଡିୟମରେ ରନ୍ ବର୍ଷା । ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ରନ୍ ହୋଇଛି । ପ୍ରଥମେ ଏହି ରେକର୍ଡ ଇଂଲଣ୍ଡ କରିଥିଲା । ପରେ ଏହି ରନ୍କୁ ଚେଜ୍ କରି ଇଂଲଣ୍ଡ ପାଖରୁ ରେକର୍ଡ ଛଡ଼ାଇ ନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୮ ୱିକେଟ ହରାଇ ୩୫୧ ରନ କରିଥିଲା । ପରେ ଅଷ୍ଟ୍ରେଲିଆ ୪୭.୩ ଓଭରରେ ୫ ଓ୍ବିକେଟ ହରାଇ ୩୫୬ ରନ୍ କରି ମ୍ୟାଚ୍କୁ ଜିତିନେଇଛି । ଏହା ସହ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ଦଳୀୟ ସ୍କୋର ନିଜ ନାଁ କରିଛି ଅଷ୍ଟ୍ରେଲିଆ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ହାଇସ୍କୋରିଂ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ । ଜୋସ୍ ଇଂଲିଶଙ୍କ ଶତକ ଆଗରେ ଫିକା ପଡ଼ିଲା ବେନ ଡକେଟଙ୍କ ଐତିହାସିକ ଶତକୀୟ ରନର ଇନିଂସ।। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ୩୫୧ ରନର ବିଶାଳ ସ୍କୋର କରି ବି ପରାଜୟ ଭୋଗିଛି ଇଂଲଣ୍ଡ। ଇଂଲିଶଙ୍କ ୧୨୦ ରନର ସ୍ମରଣୀୟ ଶତକ ସହ ଆଲେକ୍ସ କେରିଙ୍କ ୬୯ ରନ ଓ ମାଥ୍ୟୁ ସର୍ଟଙ୍କ ୬୩ ରନ ବଳରେ ଅଷ୍ଟ୍ରେଲିଆ ୪୭.୩ ଓଭରରେ ୫ ଓ୍ଵିକେଟ୍ ହରାଇ ରେକର୍ଡ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ଡକେଟ୍ ୧୬୫ ରନ ଓ ଜୋ ରୁଟ୍ ୬୮ ରନ କରିଥିଲେ। ୩୫୧ ରନର ବିଜୟ ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ପିଛା କରିବାର ରେକର୍ଡ ନିଜ ନାଁରେ କରିଛି। ବିଜୟ ସହ ଅଷ୍ଟ୍ରେଲିଆ ନିଜର ଅଭିଯାନ ଆରମ୍ଭ କରିଛି।
ମ୍ୟାଚ୍ରେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ
ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମ୍ୟାଚ୍ରେ ମୋଟ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହୋଇଛି । ପୂର୍ବରୁ ବେନ୍ ଡକେଟ ୧୬୫ ରନର ଏକ ଐତିହାସିକ ଇନିଂସ ଖେଳି ଇଂଲଣ୍ଡକୁ ୩୫୧ ରନ କରିବାରେ ସାହାଯ୍ୟ କରିଥିଲେ। ପରେ ଅଷ୍ଟ୍ରେଲିଆର ଜୋସ୍ ଇଂଲିଶ ଅପରାଜିତ ୧୨୦ ରନ୍ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଲେକ୍ସ କେରି ୬୯ ରନ ଓ ମାଥ୍ୟୁ ସର୍ଟ ୬୩ ରନ କରିଥିବା ବେଳେ ଇଂଲଣ୍ଡର ଜୋ ରୁଟ ୬୮ ରନ୍ କରିଛନ୍ତି ।