ମାଲକାନଗିରି, ୨୨।୨ (ଆପ୍ର ):ଚଳିତ ମାସ ୨୮ ତାରିଖରେ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମାବେଶରେ ବିଜୁ ଜନତା ଦଳର ନେତୃତ୍ବରେ ୫ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ସାମିଲ ହୋଇ ହକ ପାଇଁ ଲଢେଇ କରିବାକୁ ରହିଛି। ଶନିବାର ପୋଲାଭରମ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜନ ସମାବେଶ କାର୍ଯ୍ୟକ୍ରମ ପାଇଁ ସର୍ବ ଦଳୀୟ ପ୍ରସ୍ତୁତି ବୈଠକ ମୋଟୁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ପକ୍ଷରୁ ପୋଲାଭରମ ପ୍ରକଳ୍ପ ବନ୍ଦ କରିବାକୁ ଦୃଢ଼ ଦାବି ଉଠାଇ ଏକ ଉଚ୍ଚସ୍ତରୀୟ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି।
ପ୍ରସ୍ତୁତି ବୈଠକ ରେ ଚିତ୍ରକୋଣ୍ଡା ପ୍ରଭାରୀ ତଥା ବିଜେଡି ନେତା ଭ୍ରୂର୍ଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଇଶ୍ଵର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡ଼କାମି, ପୂର୍ବତନ ବ୍ଲକ ସଭାପତି ସଦାଶିବ ପୁଜାରୀ ଓ ଅନ୍ୟ ଦଳୀୟ ନେତୃ ମଣ୍ଡଳୀ ଏବଂ କର୍ମୀ ଉପସ୍ଥିତ ଥିଲେ। ପୋଲାଭରମ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକାକୁ ଅତ୍ୟନ୍ତ ପ୍ରଭାବିତ କରିବ। ଏହି ପ୍ରକଳ୍ପ ଅନେକ ଗ୍ରାମକୁ ବୁଡ଼ାଇ ସ୍ଥାନୀୟ ବାସୀନ୍ଦାଙ୍କୁ ବେଘର କରିଦେବ। ଏହି ଅନ୍ୟାୟକୁ ବିଜେଡି କେବେ ମଧ୍ୟ ସମର୍ଥନ କରିପାରିବ ନାହିଁ। ଏଣୁ ଆସନ୍ତା ୨୮ ତାରିଖରେ ପ୍ରକଳ୍ପ ବିରୋଧରେ ସ୍ଵର ଉତ୍ତୋଳନ ସହ ଏହି ଅଞ୍ଚଳର ଜନସାଧାରଣଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ପାଖରେ ଦାବି କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା।