ମାଲକାନଗିରି, ୧୮/୨ (ଆପ୍ର ) : ମାଲକାନଗିରି ଜିଲ୍ଲାରେ ୭ମ ଶ୍ରେଣୀରେ ପଢୁଥିବା ଦୁଇ ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହାତବାନ୍ଧି ବସିଛି ପୁଲିସ। ନ୍ୟାୟ ଦାବି କରି ଜିଲ୍ଲାପାଳ ଓ ଏସପିଙ୍କୁ ମଙ୍ଗଳବାର ଭେଟିଛନ୍ତି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ମୃତଙ୍କ ପରିବାର ଏବଂ ଗ୍ରାମବାସୀ। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦେଇ ଏହି ଘଟଣାରେ ଉଚିତ ତଦନ୍ତ ଦାବି କରିଛନ୍ତି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଅନ୍ୟାନ ସଂଗଠନ। ଜିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁମୁଦୁଲି, ସମାଜ ସେବୀ ଶରତଚନ୍ଦ୍ର ବୁରୁଦା ଓ ପୀଡିତାଙ୍କ ପରିବାର, ଗ୍ରାମବାସୀ ଏବଂ ବଙ୍ଗାଳି ସମାଜ ଓ ଅନ୍ୟାନ ସଂଗଠନର କର୍ମକର୍ତ୍ତାମାନେ ଉପଯୁକ୍ତ ନ୍ୟାୟ ଦେଵା ପାଇଁ ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସେହିପରି ମାଲକାନଗିରି ଏସପିଙ୍କୁ ଭେଟି ଏହାର ସଠିକ ତଦନ୍ତ କରି ପ୍ରକୃତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମ୍.ଭି. ୭୯ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇଜଣ ଛାତ୍ରୀ ଗତ ୬ ତାରିଖରେ ନିଖୋଜ ଥିଲେ। ଦୁଇଦିନ ପରେ ସେମାନଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ମୋଟୁ ଥାନା ଏମ୍.ପି.ଭି. ୪୨ ଗ୍ରାମ ନିକଟ ଜଙ୍ଗଲର ଏକ ଗଛରୁ ଉଦ୍ଧାର ହୋଇଥିଲା। ତେବେ ଉକ୍ତ ଦୁଇ ଛାତ୍ରୀଙ୍କ ନିଖୋଳ ସମ୍ବନ୍ଧରେ ପରିବାର ବର୍ଗ ଗତ ୬ତାରିଖ ଦିନ ଏମ୍.ଭି. ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ମୃତଦେହ ଉଦ୍ଧାର ପରେ ଏ ନେଇ ମୋଟୁ ଥାନାରେ ମଧ୍ୟ ଏକ ଅପମୃତ୍ଯୁମାମଲା ରୁଜୁ ହୋଇଥିଲା । ତେବେ ଏହି ଘଟଣାର ପାରିପାର୍ଶିକ ପରିସ୍ଥିତି ଅନୁଯାୟୀ ଏହା ଏକ ହତ୍ୟା କାଣ୍ଡ ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଗୋଟିଏ ମୋବାଇଲ ଫୋନ ମଧ୍ୟ ଉଦ୍ଧାର କରା ଯାଇଥିଲା ।
ଏହି ଘଟଣାରେ କିଛି ଯୁବକଙ୍କ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ପୋଲିସ କିନ୍ତୁ ଏହାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ପରିବାର ଲୋକ ଉପରେ ଚାପ ପକାଉଥିବା ମୃତ ଛାତ୍ରୀଦ୍ୱୟଙ୍କ ପିତାମାତା ଅଭିଯୋଗ କରିଛନ୍ତି । ଘଟଣାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ଉଭୟ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ପାରିନାହିଁ। ପୋଲିସ ଏହାକୁ ଏକ ଆଳ ଦେଖାଇ ତଦନ୍ତକୁ ଶିଥିଳ କରିଦେଇଛି । ଏଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଇ ଦୁଇ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ । ଜିଲ୍ଲାବାସୀ ଉଭୟ ପୀଡିତ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ସ୍ମାରକ ପତ୍ରରେ ଦର୍ଶାଯାଇଛି।