ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପ୍ରସିଦ୍ଧ ବଡ଼ଯାତ୍ରା ଠାକୁରଙ୍କ ପ୍ରତିମା ନିର୍ମାଣ : ମାଉଲି ମା’ ମନ୍ଦିରରୁ ମାନ୍ୟମକୋଣ୍ଡା ମୁତ୍ୟାଲୁମା ପୀଠକୁ ଗଲା ଆଜ୍ଞାମାଳ

Published By : Prameya | February 13, 2025 9:43 PM

ମାଲକାନଗିରି, ୧୩।୨(ଆପ୍ର ): ଓଡିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗନା, ଛତିଶଗଡ଼ ୪ଟି ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲା ର ଗଣପର୍ବ ବଡ଼ଯାତ୍ରା ଆରମ୍ଭ ହେବାକୁ ଯାଉଛି।     ଏହି ପ୍ରସିଦ୍ଧ ବଡ଼ଯାତ୍ରା ଠାକୁର ଙ୍କ ପ୍ରତିମା ନିର୍ମାଣ ନିମନ୍ତେ ମାଲକାନଗିରି ମାଉଲି ମା‘ ମନ୍ଦିର ରେ ପୂଜା ଵିଧି  କରାଯାଇଥିଲା।  ସୁଦୂର ମାନ୍ୟମକୋଣ୍ଡା ମୁତ୍ୟାଲୁମା ପୀଠ କୁ ବିରାଟ ଶୋଭାଯାତ୍ରାରେ ପୂଜାରୀ ମାନେ ଆଜ୍ଞାମାଳ ଧରି ଯାଇଛନ୍ତି। ଜିଲ୍ଲାରେ ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ଏହି "ବଡଯାତ୍ରା"। 

ଚଳିତ ବର୍ଷ ଫେବୃଆରୀ ମାସ ୧୧ ତାରିଖ ରାତ୍ରରୁ ଆରମ୍ଭ ହୋଇଛି।  ଏହି ଯାତ୍ରା ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। କିମ୍ବଦନ୍ତୀ ଅନୁଯାୟୀ ଜିଲ୍ଲାର ସମସ୍ତ ପୂଜକ ମାନେ ମା’ ମାଉଲିଙ୍କୁ ପୂଜା କରି ମା'ଙ୍କ ଆଜ୍ଞାମାଳ ନେଇ ଦୀର୍ଘ ଶହେ କିଲୋମିଟର ପଦଯାତ୍ରାରେ ମାଲକାନଗିରି ଜିଲ୍ଲାର ଶେଷ ଭାଗ ମାନ୍ୟମକୋଣ୍ଡାକୁ ଯାଇଥାନ୍ତି। ପରେ ସେଠାରେ ସ୍ୱପ୍ନାଦେଶ ଅନୁସାରେ ମୟୁରଚୁଳ ରେ ତିନି ଠାକୁରଙ୍କ ବିଗ୍ରହ ସ୍ଥାପନ କରି ଜିଲ୍ଲାର ସୀମାନ୍ତ ଆନ୍ଧ୍ର ପ୍ରଦେଶର ପୋଲେରୁକୁ ତିନି ଠାକୁରଙ୍କୁ ଏକ ନୂତନ ଡଙ୍ଗାରେ ସିଲେରୁ ନଦୀ ପାରି କରି ନିଅନ୍ତି ଏହି ପୂଜକ ଦଳ। ସେଠାରେ ଥିବା ତାଡକା ରେଉ କୁଣ୍ଡରେ ସ୍ନାନ କରି ପରେ  ଦୀର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରି ବିଜୟ ଯାତ୍ରାରେ ପୁଣି ମାଲକାନଗିରିକୁ ଫେରି ଆସିବେ ବଡ ଠାକୁର। 

ଜିଲ୍ଲାର ବିଭିନ୍ନ ଗ୍ରାମରେ ତିନି ଠାକୁର ରାତ୍ର ଯାପାନ କରିବା ବେଳେ ସେଠାରେ ବେସ ଆଡମ୍ବର ସହକରେ ପୂଜାର୍ଚ୍ଚନା କରାଯାଏ। ପରିଶେଷରେ ମାଲକାନଗିରି ଜିଲ୍ଲା ସଦରରେ ଠାକୁରଙ୍କ ବିମାନ ପହଞ୍ଚିବା ପରେ ଏଠାରେ ବଡ ଯାତ୍ରାର ଶେଷ ପ୍ରର୍ଯ୍ୟାୟ ବହୁ ଆଡମ୍ବର ରେ ପାଳନ ହୁଏ। ଏହି ଯାତ୍ରାରେ ଆନ୍ଧ୍ର, ତେଲଙ୍ଗନା,ଓଡିଶା ଓ ଛତିଶଗଡ ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ତିନିଦିନ ଧରି ମାଲକାନଗିରି ସଦର ମହକୁମା ଠାରେ ଠାକୁରଙ୍କ ପୂଜାର୍ଚ୍ଚନା କରି ଯାତ୍ରା ହୋଇଥାଏ। ପରେ ପରେ ଠାକୁରଙ୍କୁ ମେଲାଣି ଦେଇ ପୁଣି ମାନ୍ୟମକୋଣ୍ଡା ନେଇ ପୂଜକ ମାନେ ମାଙ୍କୁ ଛାଡ଼ିଥାନ୍ତି। ଏହି ଏକ ମାସ ଧରି ହେଉଥିବା ଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ଓ ପୋଲି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି । ଗତକାଲି ବିଳମ୍ବିତ ରାତିରେ ତିନି ଠାକୁରଙ୍କ ପାଇଁ ଆଜ୍ଞାମାଳକୁ ବିଶାଳ ଶୋଭାଯାତ୍ରାରେ ରୋଷଣୀ କରି ନିଆଯାଇଛି। ଏହି ଯାତ୍ରା ଆରମ୍ଭ ହେବା ପରେ ଜିଲ୍ଲା ଏକ ପ୍ରକାର ଉତ୍ସବ ମୁଖର ହେବାରେ ଲାଗିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.