ପ୍ରମୂଖ ଖବର
  • ଢେଙ୍କାନାଳ : ଶୌଚ ହେବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଧକ୍କାରେ ବାଇକ୍ ଚାଳକ ଆହତ, ମହିଳା ଗୁରୁତର
  • ||
  • କେନ୍ଦ୍ରାପଡ଼ା : ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ଦିଲ୍ଲୀର ‘ମେଡିସିନ୍‌ ବାବା’, ଗରିବଙ୍କ ଲାଗି ଘର ଘର ବୁଲି ସଂଗ୍ରହ କରୁଛନ୍ତି ଔଷଧ

Published By : Prameya | December 29, 2024 1:42 PM

ନୂଆଦିଲ୍ଲୀ ୨୯/୧୨: ପଶ୍ଚିମ ଦିଲ୍ଲୀସ୍ଥିତ ଉତ୍ତମନଗରର ଏକ ଅଣଓସାରିଆ ଗଳିରେ ରହନ୍ତି ୮୮ ବର୍ଷୀୟ ଓମ୍‌କାର ନାଥ । ଏକ ଦୁର୍ଘଟଣା ଯୋଗୁ ୮୫ ପ୍ରତିଶତ ଦିବ୍ୟାଙ୍ଗ ପାଲଟିଥିବା ଏହି ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳରେ ‘ମେଡିସିନ୍‌ ବାବା’ ନାମରେ ପ୍ରସିଦ୍ଧ । ଓମ୍‌କାର ନାଥ ଘର ଘର ବୁଲି ଗରିବ ଲୋକଙ୍କ ଲାଗି ଔଷଧ ସଂଗ୍ରହ କରିଥାନ୍ତି । ଉତ୍ତମନଗରରେ ୩ଟି କୋଠରୀବିଶିଷ୍ଟ ଏକ ଘରେ ସେ ରହନ୍ତି । ସେଥିମଧ୍ୟରୁ ୨ଟି କୋଠରୀରେ ଔଷଧ, ଅକ୍ସିଜେନ୍‌ ସିଲିଣ୍ଡର, ଦାମୀ ଇଞ୍ଜେକସନ୍‌, ହ୍ୱିଲ ଚେୟାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜୀବନ ରକ୍ଷାକାରୀ ଜିନିଷକୁ ରଖାଯାଇଛି । ଅନ୍ୟ ରୁମ୍‌ଟିକୁ ସେ ଅଫିସ୍‌ ଭାବରେ ବ୍ୟବହାର କରିଥାନ୍ତି । ପ୍ରତିବର୍ଷ ସେ ଗରିବଙ୍କୁ ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଔଷଧ ଦାନ କରିଥାନ୍ତି ।

ଓମ୍‌କାର ନାଥ କହିଛନ୍ତି, ୧୫ ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣା ତାଙ୍କୁ ଏହି କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲା । ଲକ୍ଷ୍ମୀନଗରରେ ଏକ ନିର୍ମାଣାଧୀନ ମେଟ୍ରୋର ଖମ୍ବ ଭୁଶୁଡି ପଡ଼ିବାରୁ ତାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ । ପରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ଅନେକ ଜୀବନ ରକ୍ଷାକାରୀ ଔଷଧ ଶେଷ ହୋଇଯାଇଥିବା କହିଲେ । ଏଥିସହିତ ରୋଗୀମାନଙ୍କୁ ବାହାରୁ ସେହି ଔଷଧ ଆଣିବାକୁ କୁହାଗଲା । କିନ୍ତୁ ସେହି ଦାମୀ ଔଷଧ କିଣିବାକୁ ସେମାନଙ୍କ ନିକଟରେ ଟଙ୍କା ନଥିଲା । ସେହି ଘଟଣା ପରଠାରୁ ସେ ଗରିବଙ୍କ ଲାଗି ଅତ୍ୟାବଶ୍ୟକୀୟ ଔଷଧ ମାଗିବା ଆରମ୍ଭ କଲେ । 

ସେ ଆହୁରି କହିଛନ୍ତି ଯେ, ପ୍ରାୟ ସବୁ ଘରେ ଜରୁରି ଔଷଧ ରହିଥାଏ । କିନ୍ତୁ ଅନେକ ସ୍ଥଳରେ ତାହା ରହିରହି ନଷ୍ଟ ହୋଇଯାଏ । ଏଭଳିସ୍ଥିତିରେ ସେ ଲୋକମାନଙ୍କୁ ଘରେ ଅଦରକାରୀ ଭାବେ ପଡି଼ ରହିଥିବା ଔଷଧକୁ ଦାନ କରିବାକୁ ନିବେଦନ କରିଥାନ୍ତି । ନାଥଙ୍କ ଔଷଧ ବ୍ୟାଙ୍କ୍‌ରେ ୨ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ଯାଏ ଔଷଧ ରହିଛି । ପ୍ରତିଦିନ ସେ ଅଟୋରେ ୧୦୦ କିମି ଯାତ୍ରା କରି ଗରିବଙ୍କ ଲାଗି ଔଷଧ ଓ ଅନ୍ୟାନ୍ୟ ଜୀବନରକ୍ଷାକାରୀ ଉପକରଣ ସଂଗ୍ରହ କରିଥାନ୍ତି । ପ୍ରାଥମିକ ଭାବେ ତାଙ୍କର କାମ ଦିଲ୍ଲୀରେ ହିଁ ସୀମିତ ଥିଲା । ବର୍ତ୍ତମାନ ସେ ତାଙ୍କର କାର୍ଯ୍ୟକୁ ଅନ୍ୟ ରାଜ୍ୟକୁ ପରିବ୍ୟାପ୍ତ କରିଛନ୍ତି । ତାଙ୍କୁ ବିଦେଶରୁ ମଧ୍ୟ ଔଷଧ ଦାନ ଆକାରରେ ମିଳୁଛି । ତାଙ୍କ ନିକଟରେ ଥିବା ଅଧିକାଂଶ ଔଷଧ ଫ୍ରାନ୍ସ, ଭିଏତନାମ, ଇଂଲଣ୍ଡ, କାନାଡାର । 

ବୟସ ଏତେ ଅଧିକ ହୋଇଥିଲେ ସୁଦ୍ଧା ସେ ନିଜକୁ ୪୦-୪୫ ବର୍ଷୀୟ ମନେକରି କାମ କରିଥାନ୍ତି । ଏଦକା ତାଙ୍କୁ ଲିଭର ସଂପର୍କିତ ରୋଗ ଲାଗି ୭ ଲକ୍ଷ ଟଙ୍କା ମୂଲ୍ୟର ୩ଟି ଔଷଧ ମିଳିଥିଲା । ପ୍ରତି ଟାବଲେଟ୍‌ର ମୂଲ୍ୟ ୨ ଲକ୍ଷ ୪ ହଜାର ୪୩୫ ଟଙ୍କା ଥିଲା । ସେ ତାକୁ ଏମ୍ସର ଜଣେ ଗରିବ ରୋଗୀଙ୍କୁ ଦେଇଥିଲେ । ଔଷଧ ବିତରଣ ବ୍ୟତୀତ ସେ ଅଦ୍ୟାବଧି ୨୧ ରୋଗୀଙ୍କୁ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରିବାରେ ସହାୟତା କରିଛନ୍ତି । କୋଭିଡ୍‌ ସମୟରେ ସୋସିଆଲ ଦୂରତା ବଜାୟ ରଖିବାର ନିୟମ ଯୋଗୁ ଯେତେବେଳେ ଘର ଘର ବୁଲିବା ସମ୍ଭବପର ନଥିଲା, ସେତେବେଳେ ସେ ଶ୍ମଶାନ, ମନ୍ଦିର, ଗୁରୁଦ୍ୱାର ଓ ମସ୍‌ଜିଦ୍‌ ନିକଟରେ ଔଷଧ ଦାନ ଲାଗି ବାକ୍ସ ରଖିଥିଲେ । ସରକାର ଗରିବ ଲୋକଙ୍କ ଲାଗି ସବୁ ରାଜ୍ୟରେ ଔଷଧ ବ୍ୟାଙ୍କ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ନାଥଙ୍କର ଏହି ପ୍ରେରଣାପ୍ରଦ କାର୍ଯ୍ୟ ଯୋଗୁ ତାଙ୍କର କାହାଣୀ ଅନେକ ପୁସ୍ତକରେ ପ୍ରକାଶିତ ହୋଇଛି । ଛତିଶଗଡ଼ ସରକାର ୧୦ମ ଶ୍ରେଣୀର ପାଠ୍ୟପୁସ୍ତକରେ ତାଙ୍କର କାହାଣୀକୁ ସ୍ଥାନିତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.