ପ୍ରମୂଖ ଖବର
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

‘କେନ୍ଦ୍ର ଆଲୋଚନା ପାଇଁ ରାଜି ହେଲେ, ଚିକିତ୍ସା ସହାୟତା ନେବେ ଦଲେଓ୍ବାଲ’; ସୁପ୍ରିମକୋର୍ଟରେ କହିଲେ ପଞ୍ଜାବ ସରକାର

Published By : Tapas Panda | December 31, 2024 10:42 PM

Image Courtesy: wionews

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ହିଁ ଚାଷୀ ନେତା ଜଗଜିତ ସିଂହ ଦଲେଓ୍ବାଲ ଚିକିତ୍ସା ସହାୟତା ନେବେ । ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ କହିଛନ୍ତି ପଞ୍ଜାବ ସରକାର । ଜଗଜିତ ସିଂହ ମାସେରୁ ଅଧିକ ସମୟ ଧରି ଆମରଣ ଅନଶନରେ ବସିଛନ୍ତି । ପଞ୍ଜାବର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଆବେଦନ ଉପରେ ଶୁଣାଣି କରିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ସୁଧାଂଶୁ ଧୁଲିଆଙ୍କ ଅବକାଶ କାଳୀନ ଖଣ୍ଡପୀଠ । 

ଦଲେଓ୍ବାଲଙ୍କୁ ମେଡିକାଲ୍‌ ସହାୟତା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ପଞ୍ଜାବର ମୁଖ୍ୟ ସଚିବ ଏବଂ ଡିଜିପି ଅବମାନନା କରିଥିବା ନେଇ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଥିଲା ।  ସେପଟେ ଶୁଣାଣି ସମୟରେ ନିର୍ଦ୍ଦେଶ ପାଳନ ଲାଗି ସୁପ୍ରିମକୋର୍ଟଙ୍କୁ ଆଉ ୩ ଦିନ ସମୟ ମାଗିଛନ୍ତି ପଞ୍ଜାବ ସରକାର । ସରକାରଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ‘ଯଦି କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜି ହେବେ ତେବେ ଦଲେଓ୍ବାଲ ମେଡିକାଲ ସହାୟତା ନେବେ । ଏନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ଚାଷୀ ନେତାମାନେ ପ୍ରସ୍ତାବ ଦେଇଛନ୍ତି । ତେଣୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ଅଧିକ ସମୟ ମାଗିଛନ୍ତି ।’ 

ଏହା ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆପଣମାନଙ୍କ ମଧ୍ୟରେ କଣ ବୁଝାମଣା ଚାଲିଛି ସେନେଇ ଆମର କିଛି କହିବାର ନାହିଁ । ଯଦି କିଛି ଘଟୁଛି ଏବଂ ଏହା ସବୁ ପକ୍ଷଙ୍କୁ ସୁହାଇଲା ଭଳି ହେଉଛି ତେବେ ଆମେ ମଧ୍ୟ ଖୁସି । କିନ୍ତୁ ଆମ ନିର୍ଦ୍ଦେଶ ପାଳନ ନହେବାକୁ ନେଇ ଆମେ ଚିନ୍ତିତ । ଯଦି ଆପଣଙ୍କୁ ଅଧିକ ସମୟ ଦରକାର ତେବେ ବିଶେଷ ସ୍ଥିତିକୁ ନଜରରେ ରଖି ଆମେ ଅନୁମତି ଦେବୁ ।’ 

ସୂଚନାଯୋଗ୍ୟ, ୭୦ ବର୍ଷୀୟ ଚାଷୀ ନେତା ଜଗଜିତ ସିଂହ ଦଲେଓ୍ବାଲ ଖାନୌରୀ ସୀମାରେ ଆମରଣ ଅନଶନରେ ବସିଛନ୍ତି । ପଞ୍ଜାବ ଓ ହରିୟାଣା ସୀମାରେ ନଭେମ୍ବର ୨୬ରୁ ଅନଶନରେ ଅଛନ୍ତି ଦଲେଓ୍ବାଲା । ଚାଷୀମାନଙ୍କ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତୁ ବୋଲି ତାଙ୍କର ଦାବି । ବିଶେଷ କରି ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି ଜଗଜିତ ସିଂହ ଦଲେଓ୍ବାଲ ।

  • Supreme Court
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.