ନୂଆଦିଲ୍ଲୀ,୦୧/୦୧ : ପଦ ଥାପି ସାରିଛି ନୂଆବର୍ଷ ୨୦୨୫ । ନବବର୍ଷକୁ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ଆପଣଙ୍କ ନୂଆବର୍ଷ ଆଉ ଟିକେ ଖାସ ହେବାକୁ ଯାଉଛି । ନୂତନବର୍ଷର ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୩ ତାରିଖରେ ଦିଲ୍ଲୀରେ ୧୬୪୫ ହିତାଧିକାରୀଙ୍କୁ ପ୍ଲଟ ଚାବି ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଏହି ପ୍ଲଟ ଗୁଡିକୁ ଡିଡିଏ ଦ୍ବାରା ନିର୍ମାଣ କରାଯାଇଛି ।
ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ବିକାଶ ପ୍ରାଧିକରଣ ଗରିବଙ୍କ ପାଇଁ ଆବାସ ଯୋଜନା ଘୋଷଣା କରିଥିଲେ । ଏହି ଘୋଷଣା ଠିକ୍ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କରିଛି । ଦିଲ୍ଲୀରେ ଗୋଟିଏ ପଟେ ଆପ୍ ବିଭିନ୍ନ ଯୋଜନା ଜରିଆରେ ଗରିବଙ୍କୁ ପ୍ରତିଶ୍ରୁତି ଦେଉଛି । ଏବେ ସେହି ବାଟରେ ରହିଛି ବିଜେପି । ଦିଲ୍ଲୀରେ ବସ୍ତିବାସିନ୍ଦାଙ୍କୁ ୧୬୪୫ ହିତାଧିକାରୀଙ୍କୁ ପ୍ଲଟ ଚାବି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ୨୦୨୨ ପିଏମ ମୋଦି ଦିଲ୍ଲୀରେ ୫୭୫ ଲୋକଙ୍କୁ ପ୍ଲଟ ଚାବି ହସ୍ତାନ୍ତର କରିସାରିଛନ୍ତି । ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିତାଧୀକାରିଙ୍କୁ ସେମାନଙ୍କ ସ୍ବପ୍ନର ଘର ଦେଇଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ବିକାଶ ପ୍ରାଧିକର ଅର୍ଥାତ ଡିଡିଏ ଦକ୍ଷିଣ ଦିଲ୍ଲୀର କାଲକାଜି ଅଞ୍ଚଳରେ ଏହି ପୁନର୍ବାସ ଯୋଜନାରେ ମୋଟ ୩୦୭୪ ଫ୍ଲାଟ ନିର୍ମାଣ କରିଥିଲେ । ଏଥିରୁ ୫୭୫ ଫ୍ଲାଟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବା ପରେ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।
କହିରଖୁଛୁ କି ଆଗାମୀ ଜାନୁଆରୀରୁ-ଫେବୃଆରୀ ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦିଲ୍ଲୀରେ ପତିଆରା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ପେଡ଼ି ଖେଲିବା ସହ ବିଭିନ୍ନ ଯୋଜନା ମାନ ଘୋଷଣା କରୁଛନ୍ତି ରାଜନୈତିକ ଦଳ । ରାଜଧାନୀ ଦିଲ୍ଲୀରେ ମାହୋଲ ଏକଦମ ସରଗରମ ରହିଛି । ଗୋଟିଏ ପଟେ ଶାସକ ଆମ ଆଦମୀ ପାର୍ଟି ଥିବାବେଳେ ଅନ୍ୟପଟେ ବିଜେପି ଓ କଂଗ୍ରେସ ସବୁ ବଳ ଲଗାଇ ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇନାହି ମାତ୍ର ବିଜେପିର ଏହି ପ୍ଲଟ ବଣ୍ଟନକୁ ରାଜନୈତିକ ଦୃଷ୍ଟିକୋଣରେ ଦେଖାଯାଉଛି ।