ନୂଆଦିଲ୍ଲୀ,୨୭/୦୩: ଭାରତୀୟ ଫୁଟବଲ ପ୍ରଶଂସକଙ୍କ ପାଇଁ ଖୁସିର ଖବର! ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନା ଦଳ ଆସନ୍ତା ଅକ୍ଟୋବର ମାସରେ ଭାରତ ଗସ୍ତରେ ଆସିବ । କିମ୍ବଦନ୍ତୀ ଫୁଟବଲ ତାରକା ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଭାରତୀୟ ଦଳ ସହ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ଏ ବିଷୟ ବୁଧବାର ଆର୍ଜେଣ୍ଟିନା ଫୁଟବଲ ସଂଘ (ଏଏଫ୍ଏ) ପକ୍ଷରୁ ଘୋଷଣା କରାଯାଇଛି ।
ଏ ଖବର ଫୁଟବଲପ୍ରେମୀଙ୍କୁ ଉତ୍ସାହିତ କରିଛି । ଷ୍ଟାଡିୟମରେ ବସି ମେସିଙ୍କ ଖେଳ ଦେଖିବାର ସୁଯୋଗ ସେମାନଙ୍କୁ ମିଳିବ । ଗତ ବିଶ୍ୱକପ୍ରେ ଆର୍ଜେଣ୍ଟିନା ଚାମ୍ପିଅନ ହୋଇଥିଲା । ବ୍ରାଜିଲକୁ ୪-୧ ଗୋଲରେ ପରାଜିତ କରି ଦଳ ୨୦୨୬ ବିଶ୍ୱକପ୍କୁ ଯୋଗ୍ୟତା ହାସଲ କରିଛି । ଏହାପରେ ଏଏଫ୍ଏ ପକ୍ଷରୁ ଭାରତ ଗସ୍ତ ବିଷୟ ଘୋଷଣା କରାଯାଇଥିଲା ।
ଆର୍ଜେଣ୍ଟିନା ଦଳ ସାରା ବିଶ୍ୱରେ ତାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ଗସ୍ତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ଦଳ ସିଙ୍ଗାପୁରରେ ମଧ୍ୟ ଏକ ମ୍ୟାଚ୍ ଖେଳିବ । ଏଏଫ୍ଏ ସଭାପତି କ୍ଲାଉଡିଓ ଫାବିଆନ ତାପିଆ କହିଛନ୍ତି, ‘ବିଶ୍ୱର ବିଭିନ୍ନ ଦେଶରେ ଆମ ଦଳର ଉପସ୍ଥିତି ସହ ସେହିସବୁ ଦଳ ପାଇଁ ଆମେ ନୂଆ ସୁଯୋଗ ଆଣି ଦେବାକୁ ଚାହୁଁ । ୨୦୨୫ ଓ ୨୦୨୬ରେ ଏହିସବୁ କାର୍ଯ୍ୟକ୍ରମ ଆୟୋଜନ କରିବୁ । ତେଣୁ ପ୍ରଥମ ପର୍ଯ୍ୟାୟରେ ଭାରତ ଓ ସିଙ୍ଗାପୁର ଗସ୍ତରେ ଯିବୁ ।’
ଏଏଫ୍ଏର ମାର୍କେଟିଂ ଅଫିସର ଲିଆଣ୍ଡ୍ରୋ ପିଟରସନ କହିଛନ୍ତି, ‘ ସାରା ବିଶ୍ୱରେ ପହଞ୍ଚିବା ପାଇଁ ଏହା ଏଏଫ୍ଏର ଏକ ନୂଆ ପ୍ରୟାସ । ୨୦୨୧ରୁ ଆମେ ଭାରତ ସହ ଜଡ଼ିତ ଏବଂ ତୃଣମୂଳ ସ୍ତରର ଫୁଟବଲ ସହ ଅତି ନିବିଡ଼ ଭାବେ ଜଡ଼ିତ । ଆମର ଲକ୍ଷ୍ୟ ହେଉଛି, ଏହି ସଂପର୍କକୁ ଆହୁରି ଦୃଢ଼ କରିବା ଏବଂ ଆର୍ଜେଣ୍ଟିନା ଫୁଟବଲ ସହ ପ୍ରଶଂସକଙ୍କୁ ଯୋଡ଼ିବା ।’
ଶେଷ ଥର ମେସି ୨୦୧୧ରେ ଭାରତ ଗସ୍ତରେ ଆସିଥିଲେ । ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍ ଭେନେଜୁଏଲା ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚ୍ କୋଲକାତାର ସଲ୍ଟ ଲେକରେ ଖେଳାଯାଇଥିଲା । ଆସନ୍ତା ଅକ୍ଟୋବର କେଉଁ ତାରିଖରେ ଭାରତ- ଆର୍ଜେଣ୍ଟିନା ମ୍ୟାଚ୍ କେଉଁ ସହରରେ ଖେଳାଯିବ ସେ ସଂପର୍କରେ କିଛି ଘୋଷଣା ହୋଇ ନାହିଁ । ଏଏଫ୍ଏ ଏବଂ ସର୍ବଭାରତୀୟ ଫୁଟବଲ ସଂଘ ମଧ୍ୟରେ ଏ ବିଷୟରେ ଆଲୋଚନା ପରେ ଭେନ୍ୟୁ ଓ ତାରିଖ ଘୋଷଣା ହେବ ବୋଲି ଜଣା ପଡ଼ିଛି ।
ବିଶ୍ୱକପ୍କୁ ଆର୍ଜେଣ୍ଟିନାର ଯୋଗ୍ୟତା ବୁଏନ୍ସ ଏୟାରିସ: ଆଗାମୀ ୨୦୨୬ ଫିଫା ବିଶ୍ୱକପ୍କୁ ସପ୍ତମ ଦଳ ଭାବେ ଆର୍ଜେଣ୍ଟିନା ଯୋଗ୍ୟତା ଅର୍ଜନ କରିଛି । ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଆଜି ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍ରେ ବ୍ରାଜିଲ୍କୁ ୪-୧ ଗୋଲ୍ରେ ହରାଇଥିଲା । ଅବଶ୍ୟ ଏହି ବିଜୟ ପୂର୍ବରୁ ଆର୍ଜେଣ୍ଟିନା ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିସାରିଥିଲା । ବଲିଭିଆ ଓ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲ୍ ଶୂନ୍ୟ ଡ୍ର’ ରହିବାରୁ ଆର୍ଜେଣ୍ଟିନାର ଯୋଗ୍ୟତା ନିଶ୍ଚିତ ହୋଇସାରିଥିଲା ।
ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ଆଧିପତ୍ୟ ଜାରି ରହିଥିଲା । ଚତୁର୍ଥ ମିନିଟ୍ରେ ଜୁଲିଆନ ଆଲଭାରେଜଙ୍କ ଗୋଲ୍ ବଳରେ ଦଳ ଖାତା ଖୋଲିଥିଲା । ୧୨ତମ ମିନିଟ୍ରେ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ କରିଥିଲେ ଏଞ୍ଜୋ ଫର୍ଣ୍ଣାଣ୍ଡେଜ । ୨୬ତମ ମିନିଟ୍ରେ ବ୍ରାଜିଲ ଏକ ଗୋଲ୍ ପରିଶୋଧ କରିବାରେ ସଫଳ ହୋଇଥିଲା । ଦଳ ପକ୍ଷରୁ ମାଥ୍ୟୁସ କୁହ୍ନା ଏହି ଗୋଲ୍ କରିଥିଲେ । ଏହାପରେ ଆର୍ଜେଣ୍ଟିନା ପକ୍ଷରୁ ୩୭ତମ ମିନିଟ୍ରେ ଆଲେକ୍ସିସ ମାକ ଆଲିଷ୍ଟର ଓ ୭୧ତମ ମିନିଟ୍ରେ ଗ୍ୟୁଲିଆନୋ ସିମୋନ ଅନ୍ୟ ୨ଟି ଗୋଲ ଦେଇଥିଲେ ।
୧୪ରାଉଣ୍ଡ ଶେଷ ସୁଦ୍ଧା ଆର୍ଜେଣ୍ଟିନା ୧୦ ବିଜୟ ଓ ୧ ଡ୍ର’ ସହ ମୋଟ୍ ୩୧ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିବା ସହ ଦକ୍ଷିଣ ଆମେରିକା ଫୁଟବଲ୍ ସଙ୍ଘ (କନମେବଲ୍) ଅଧିନସ୍ଥ ପ୍ରଥମ ଦଳ ଭାବେ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛି । କନମେବଲ୍ରୁ ୬ଟି ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବେ । ୧୪ ରାଉଣ୍ଡ ଶେଷ ସୁଦ୍ଧା ଇକ୍ୱେଡର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଉରୁଗୁଏ ତୃତୀୟ, ବ୍ରାଜିଲ ଚତୁର୍ଥ, ପାରାଗୁଏ ପଞ୍ଚମ ଓ କଲମ୍ବିଆ ଷଷ୍ଠ ସ୍ଥାନରେ ରହିଛନ୍ତି । ଏହି ରାଉଣ୍ଡର ଅନ୍ୟ ମ୍ୟାଚ ଗୁଡ଼ିକରେ ଯଥାକ୍ରମେ ଭେନେଜୁଏଲା ୧-୦ ଗୋଲ୍ରେ ପେରୁକୁ ପରାସ୍ତ କରିଥିଲା । ବଲିଭିଆ-ଉରୁଗୁଏ ଓ ଚିଲି-ଇକ୍ୱେଡର ମ୍ୟାଚ୍ ଗୋଲ୍ ଶୂନ୍ୟ ରହିଥିଲା । କଲମ୍ବିଆ ଓ ପାରାଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ୨-୨ ଗୋଲ୍ରେ ଡ୍ର’ ରହିଥିଲା ।