ବିଶାଖାପାଟନମ୍: ନୂଆ ଅଧିନାୟକ ଅକ୍ଷର ପଟେଲଙ୍କ ନେତୃତ୍ୱରେ, ଦିଲ୍ଲୀ କ୍ୟାପିଟାଲ୍ସର ଆଇପିଏଲ ୨୦୨୫ ରେ ଦୃଢ଼ ପ୍ରଦର୍ଶନ ଜାରି ରହିଛି। ଶେଷ ଓଭରରେ ପ୍ରଥମ ମ୍ୟାଚ୍ ଜିତିଥିବା ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିଛି। ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ ଗତ ସିଜିନର ଫାଇନାଲିଷ୍ଟ ସନରାଇଜର୍ସ ହାଇଦ୍ରାବାଦକୁ ଏକପାଖିଆ ୭ ୱିକେଟ୍ରେ ପରାସ୍ତ କରିଛି। ଆଜି ଦିଲ୍ଲୀ ବିଜୟର ନାୟକ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବଂ ଫାଫ ଡୁ ପ୍ଲେସିସ୍ । ଷ୍ଟାର୍କ ପ୍ରଥମେ ୫ ୱିକେଟ୍ ନେଇ ସନରାଇଜର୍ସର ବିସ୍ଫୋରକ ବ୍ୟାଟିଂକୁ ଧ୍ୱଂସ କରିଥିଲେ। ସେହି ସମୟରେ, ୪୧ ବର୍ଷୀୟ ବ୍ୟାଟର ଫାଫ୍ ଡୁ ପ୍ଲେସିସ୍ ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହ ଦିଲ୍ଲୀ ୧୬୪ ରନର ବିଜୟ ଲକ୍ଷ୍ୟ ଅତି ସହଜରେ ହାସଲ କରିନେଇଛି। ୧୬ ଓଭରରେ ୩ ଓ୍ବିକେଟ୍ ହରାଇ ୧୬୬ ରନ୍ ସହ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ ।
ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ ଏହାର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ବିଶାଖାପାଟନମରେ ୧ ୱିକେଟ୍ରେ ପରାସ୍ତ କରିବା ପରେ, ଦିଲ୍ଲୀ ଏଠାରେ ଦ୍ୱିତୀୟ ମ୍ୟାଚ୍ରେ ଏକ ଚମତ୍କାର ବିଜୟ ହାସଲ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ପାୱାର ପ୍ଲେରେ ଦଳର ଖେଳ ଖରାପ ହୋଇଥିଲା । ଇନିଂସର ପ୍ରଥମ ଓଭରରେ ଅଭିଷେକ ଶର୍ମା ରନ ଆଉଟ୍ ହୋଇଥିଲେ ଏବଂ ଏହା ପରେ ହାଇଦ୍ରାବାଦ ଆଉ ପ୍ରତ୍ୟାବର୍ତ୍ତନ କରିପାରିନଥିଲା।
ଷ୍ଟାର୍କ ତାଙ୍କ ପରବର୍ତ୍ତୀ ଓଭରରେ ଇଶାନ କିଶନ ଏବଂ ନୀତିଶ କୁମାର ରେଡ୍ଡିଙ୍କ ୱିକେଟ୍ ନେଇଥିଲେ ଏବଂ ତା’ପରେ ତାଙ୍କର ତୃତୀୟ ଓଭରରେ ଟ୍ରାଭିସ୍ ହେଡଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ଯାହା ହାଇଦ୍ରାବାଦକୁ ବ୍ୟାକଫୁଟରେ ପକାଇଥିଲା। ହାଇଦ୍ରାବାଦ ପ୍ରଥମ ୫ ଓଭରରେ ଏହି ୪ ୱିକେଟ ହରାଇଥିଲା। ଏହା ସତ୍ତ୍ୱେ, ଯୁବ ବ୍ୟାଟର ଅନିକେତ ବର୍ମା ଏବଂ ଅଭିଜ୍ଞ ହେନରିଚ୍ କ୍ଲାସେନ୍ ସେମାନଙ୍କର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳକୁ ମାତ୍ର ୧୦ ଓଭରରେ ୧୦୦ ରନ ଅତିକ୍ରମ କରାଇଥିଲେ।
କିନ୍ତୁ ବିପ୍ରଜ, କ୍ଲାସେନଙ୍କ ଏକ ଚମତ୍କାର କ୍ୟାଚ୍ ଧରିଥିଲେ ଏବଂ ତା’ପରେ ଧୀରେ ଧୀରେ ହାଇଦ୍ରାବାଦର ଇନିଂସ ଧିମା ପଡ଼ିଥିଲା। ଅନିକେତ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟର ତାଙ୍କୁ ସମର୍ଥନ କରିପାରି ନଥିଲେ। ଷ୍ଟାର୍କ ତାଙ୍କ ଶେଷ ଓଭରରେ ଆଉ ଦୁଇଟି ୱିକେଟ୍ ନେଇଥିଲେ ଏବଂ ଟି-୨୦ କ୍ରିକେଟରେ ପ୍ରଥମ ଥର ପାଇଁ ୫ ୱିକେଟ୍ ନେବାର ସଫଳତା ହାସଲ କରିଥିଲେ। ସନରାଇଜର୍ସ ସମ୍ପୂର୍ଣ୍ଣ ୨୦ ଓଭର ମଧ୍ୟ ଖେଳିପାରି ନଥିଲା ଏବଂ ୧୯ତମ ଓଭରରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଥିଲା।