ନୂଆଦିଲ୍ଲୀ,୩୧/୦୩: ଭାରତୀୟ ଦଳ ଆଗାମୀ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ କରି ସୀମିତ ଓଭର କ୍ରିକେଟ୍ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ଖେଳାଯିବ । କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଏହି ସିରିଜ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ୮ଟି ସହରରେ ୮ଟି ମ୍ୟାଚ୍ ଖେଳାଯିବ । ଦିନିକିଆ ସିରିଜରୁ ଭାରତର ଗସ୍ତ ଆରମ୍ଭ ହେବ । ଅକ୍ଟୋବର ୧୯ ତାରିଖ ପର୍ଥରେ ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଏହାପରେ ୨୩ ତାରିଖ ଆଡିଲେଡ୍ ଓଭାଲରେ ଦ୍ୱିତୀୟ ଏବଂ ୨୫ ତାରିଖରେ ସିଡନୀରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ।
ଦିନିକିଆ ସିରିଜ ଶେଷ ହେବା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଖେଳାଯିବ । ଅକ୍ଟୋବର ୨୯ ତାରିଖ ମାନୁକା ଓଭାଲରେ ପ୍ରଥମ, ୩୧ ତାରିଖ ମେଲବର୍ଣ୍ଣରେ ଦ୍ୱିତୀୟ, ନଭେମ୍ବର ୨ତାରିଖ ହୋବାର୍ଟରେ ତୃତୀୟ, ୬ତାରିଖ ଗୋଲ୍ଡ କୋଷ୍ଟରେ ଚତୁର୍ଥ ଏବଂ ୮ତାରିଖ ବ୍ରିସବେନରେ ପଞ୍ଚମ ଟି-ଟ୍ୱେଣ୍ଟି ଖେଳାଯିବ । ଭାରତ ବିପକ୍ଷ ସିରିଜ ଶେଷ ହେବା ପରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବ । ନଭେମ୍ବର ୨୧ ତାରିଖରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ଆସେସ୍ ଟେଷ୍ଟ ସିରିଜ ଆରମ୍ଭ ହେବ ।