ଲକ୍ଷ୍ନୌ ୦୧/୦୪: ଆଇପିଏଲ୍ର ୧୩ତମ ଲିଗ୍ ମୁକାବିଲାରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଘରୋଇ ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବାକୁ ଯାଉଛି । ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିବା ପ୍ରଥମ ମ୍ୟାଚ୍କୁ ବିଜୟ ସହ ଆରମ୍ଭ କରିବାକୁ ସୁପରଜାଏଣ୍ଟ୍ସ ଲକ୍ଷ୍ୟ ରଖିଛି । ସେହିପରି ୭ଦିନର ବିଶ୍ରାମ ପରେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଥିବା ପଞ୍ଜାବ କିଙ୍ଗ୍ସ ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ରହିଛି ।
ଗତ ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ଓ ସୁପରଜାଏଣ୍ଟ୍ସ ଖେଳାଳି କିଣିବାକୁ ନେଇ ସବୁଠୁ ଚର୍ଚ୍ଚାରେ ରହିଥିଲେ। ପଞ୍ଜାବ କିଙ୍ଗ୍ସ ୨୬.୭୫କୋଟି ଟଙ୍କାରେ ଶ୍ରେୟାସ ଆୟରଙ୍କୁ ଓ ସୁପରଜାଏଣ୍ଟ୍ସ ୨୭କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କିଣିଥିଲା । ଉଭୟ ବର୍ତ୍ତମାନ ନିଜ ନିଜ ଦଳର ନେତୃତ୍ୱ ନେଉଛନ୍ତି ।
ପଞ୍ଜାବ କିଙ୍ଗ୍ସ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା । ଆୟର ଅପରାଜିତ ୯୭ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିଲେ । ସୁପରଜାଏଣ୍ଟ୍ସ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା । ଉଭୟ ମ୍ୟାଚ୍ରେ ବ୍ୟାଟର ଭାବେ ପନ୍ତ ବିଫଳ ହୋଇଥିଲେ । ମାତ୍ର ସନରାଇଜର୍ସ ବିପକ୍ଷରେ ପନ୍ତଙ୍କ ନେତୃତ୍ୱ ଶୈଳୀ ଓ ରଣନୀତି ପ୍ରଶଂସନୀୟ ରହିଥିଲା ।
ଆଜି ମ୍ୟାଚ୍ ସହ ଦୁଇ ଦାମୀ ଖେଳାଳିଙ୍କ ପ୍ରଦର୍ଶନ ଓ ରଣନୀତି ଉପରେ ଦର୍ଶକଙ୍କ ନଜର ରହିବ । ପନ୍ତଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଭାରତୀୟ ଟି-ଟ୍ୱେଣ୍ଟି ଦଳକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବାରୁ ପନ୍ତ ଚଳିତ ଆଇପିଏଲ୍ରେ ୪ନଂ ସ୍ଥାନରେ ବ୍ୟାଟିଂ କରୁଛନ୍ତି । ଏହି ସ୍ଥାନରେ ଖେଳିବାର ଅଭିଜ୍ଞତା ହାସଲ କରିବା ସହ ମ୍ୟାଚ୍ ପରିସ୍ଥିତି ଅନୁଯାୟୀ ନିଜ ଖେଳରେ ପରିବର୍ତ୍ତନ କରିବାକୁ ପନ୍ତ ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି ।
ଆୟର ମଧ୍ୟ ୩ନଂ ସ୍ଥାନକୁ ଚୟନ କରିଛନ୍ତି । ଟି-ଟ୍ୱେଣ୍ଟିରୁ ବିରାଟ କୋହଲି ଅବସର ନେଇ ସାରିଥିବାରୁ ଏହି ସ୍ଥାନ ପାଇଁ ଆୟରଙ୍କ ପ୍ରସ୍ତୁତ ଚାଲିଛି । ସେ ଚମତ୍କାର ଫର୍ମରେ ରହିଛନ୍ତି । ଡ୍ରେସିଂ ରୁମ ବାତାବରଣ ମଧ୍ୟ ଉନ୍ନତ ରହିଛି । ତେଣୁ ପଞ୍ଜାବ କିଙ୍ଗ୍ସ ଅନ୍ୟତମ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ଆଜି ସୁପରଜାଏଣ୍ଟ୍ସର ପନ୍ତ ଓ ପଞ୍ଜାବ କିଙ୍ଗ୍ସର ଗ୍ଲେନ ମ୍ୟାକ୍ସୱେଲ୍ଙ୍କ ଉପରେ ନଜର ରହିବ । ଉଭୟ ବିଶ୍ୱର ଶ୍ରେଷ୍ଠ ବିସ୍ଫୋରକ ବ୍ୟାଟର ହୋଇଥିଲେ ହେଁ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ପଞ୍ଜାବ କିଙ୍ଗ୍ସ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କ୍ଷୀଣ । କେବଳ ଇମ୍ପାକ୍ଟ ସବ୍ ଭାବେ ହରପ୍ରୀତ ବ୍ରାରଙ୍କୁ ସୁଯୋଗ ମିଳିପାରେ । ମାତ୍ର ସୁପରଜାଏଣ୍ଟ୍ସ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ପଞ୍ଜାବ କିଙ୍ଗ୍ସ ଦଳରେ ବାମ ହାତି ବ୍ୟାଟର ନଥିବାରୁ (କେବଳ ଓପନର ପ୍ରିୟାଂଶ ଆର୍ୟଙ୍କୁ ଛାଡ଼ିଦେଲେ) ସୁପରଜାଏଣ୍ଟ୍ସ ବାମ ହାତି ସ୍ପିନର ଭାବେ ଏମ ସିଦ୍ଧାର୍ଥ କିମ୍ବା ସାହବାଜ ଅହମ୍ମଦଙ୍କୁ ଏକାଦଶକୁ ଡକାଇପାରେ ।
ଏକାନ୍ନା ଷ୍ଟାଡ଼ିୟମ୍ର ପିଚ୍ ମନ୍ଥର ରହିବ । ଏଠାକାର ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ଅବଶ୍ୟ ଆଜି ନାଲି ମାଟି ପିଚ୍ରେ ମ୍ୟାଚ୍ ଖେଳାଯିବ । ଫଳରେ ନୂଆ ବଲ୍ରେ ପେସ୍ ବୋଲର କିଛି ସହାୟତା ପାଇବେ । ରାତ୍ରିରେ ମ୍ୟାଚ୍ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବେ ।
ସମ୍ଭାବ୍ୟ ଦ୍ୱାଦଶ
ସୁପରଜାଏଣ୍ଟ୍ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍ ମିଲର, ସାହବାଜ ଅହମ୍ମଦ, ସର୍ଦୁଲ ଠାକୁର, ରବି ବିଷ୍ଣୋଇ, ପ୍ରିନ୍ସ ଯାଦବ, ଅଭେଶ ଖାନ, ଏମ ସିଦ୍ଧାର୍ଥ/ଦିଗବେଶ ରାଠି ।
ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ୟ, ପ୍ରଭସିମରନ ସିଂହ, ଶ୍ରେୟାସ ଆୟର (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଗ୍ଲେନ ମ୍ୟାକ୍ସୱେଲ୍, ମାର୍କସ ଷ୍ଟଇନିସ, ଶଶାଙ୍କ ସିଂହ, ସୂର୍ୟାଂଶ ସେଡଗେ, ମାର୍କୋ ଜାନସେନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ, ବିଜୟ କୁମାର ବୈଶାଖ/ହରପ୍ରୀତ ବ୍ରାର ।