ଗୌହାଟୀ,୩୦/୦୩: ଆଜି ରାତି ଆଇପିଏଲ୍ର ଏକାଦଶ ଲିଗ୍ ମୁକାବିଲାରେ ରାଜସ୍ଥାନ - ଚେନ୍ନାଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଛି । ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ବର୍ଷାପଡ଼ା ଷ୍ଟାଡ଼ିୟମ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇସାରିଥିବା ରାଜସ୍ଥାନ ରୟାଲ୍ସ ବିଜୟ ଖାତା ଖୋଲିବାକୁ ବ୍ୟାକୁଳ । ସୁପରକିଙ୍ଗ୍ସ ମଧ୍ୟ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ପରାଜୟ ଯନ୍ତ୍ରଣାରୁ ମୁକୁଳିବାକୁ ଆଶାବାଦୀ ।
ସୁପରକିଙ୍ଗ୍ସକୁ ହରାଇବା ସହଜ ନୁହେଁ । ତଥାପି ରାଜସ୍ଥାନ ରୟାଲ୍ସ ନିକଟରେ ଯଥେଷ୍ଟ ଶକ୍ତି ରହିଛି । ମାତ୍ର ଏହାପୂର୍ବରୁ ଦଳକୁ ସବୁ ତ୍ରୁଟି ସୁଧାରିବାକୁ ପଡ଼ିବ। ଟପ୍ ଅର୍ଡର ବ୍ୟାଟିଂ ବ୍ୟତୀତ ବୋଲିଂ ବିଭାଗକୁ ଶୃଙ୍ଖଳିତ କରିବାକୁ ହେବ । ଯଶସ୍ୱୀ ଜୈସ୍ୱାଲ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ରିୟାନ ପରାଗଙ୍କ ନେତୃତ୍ୱ ନୈରାଶ୍ୟଜନକ ରହିଛି । ସଠିକ୍ ସମୟରେ ବୋଲରଙ୍କୁ ବ୍ୟବହାର କରିବାରେ ସେ ବିଫଳ ହୋଇଛନ୍ତି ।
ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହୋଇଥିଲା । ଚିପକ ଷ୍ଟାଡ଼ିୟମ୍ର ପିଚ୍ ଦ୍ୱିତୀୟ ଭାଗରେ ମନ୍ଥର ହେଉଥିବାରୁ ସୁପରକିଙ୍ଗ୍ସ ଦ୍ରୁତ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲା । ମାତ୍ର ବର୍ଷାପଡ଼ା ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ ।
ରାଜସ୍ଥାନ ରୟାଲ୍ସ ପ୍ରଥମ ଦୁଇଟି ଯାକ ମ୍ୟାଚ୍ରେ ଯଥାକ୍ରମେ ସନରାଇଜର୍ସ ଓ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଛି । ଉଭୟ ମ୍ୟାଚ୍ରେ ଦଳ ଅନେକ ତ୍ରୁଟି କରିଥିଲା । ବ୍ୟାଟିଂ ବିଭାଗ ସେଭଳି ସଫଳ ହୋଇପାରି ନଥିଲା । କେବଳ ଧ୍ରୁବ ଜୁରେଲ ଓ ସିମରନ ହେତମାୟର ଉଭୟ ମ୍ୟାଚ୍ରେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ । ବୋଲିଂ ବିଭାଗରେ ସନ୍ତୁଳନ ଦେଖିବାକୁ ମିଳି ନଥିଲା । ଆସନ୍ତାକାଲି ରାଜସ୍ଥାନ ରୟାଲ୍ସକୁ ଏସବୁ ଦିଗରେ ଧ୍ୟାନ ଦେବାକୁ ପଡ଼ିବ ।
ବର୍ଷାପଡ଼ା ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ଏଠାରେ ସ୍ପିନର ମାନେ ପିଚ୍ର ଭରପୁର ଫାଇଦା ଉଠାଇ ପାରିବେ । ସୁପରକିଙ୍ଗ୍ସ ନିକଟରେ ଅନେକ ଦକ୍ଷ ସ୍ପିନର ରହିଛନ୍ତି । ରାଜସ୍ଥାନ ରୟାଲ୍ସ କେବଳ ମହୀଶ ତୀକ୍ଷଣା ଓ ୱାନିଣ୍ଡୁ ହସରଙ୍ଗାଙ୍କ ଉପରେ ନିର୍ଭର କରିବ ।
ସମ୍ଭାବ୍ୟ ଦ୍ୱାଦଶ
ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ୍, ସଞ୍ଜୁ ସାମସନ, ରିୟାନ ପରାଗ (ଅଧିନାୟକ), ନୀତିଶ ରାଣା, ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର, ମହୀଶ ତୀକ୍ଷଣା, ସନ୍ଦୀପ ଶର୍ମା, କୁମାର କାର୍ତ୍ତିକେୟ/ତୁଷାର ଦେଶପାଣ୍ଡେ ।
ସୁପରକିଙ୍ଗ୍ସ: ରଚିନ ରବିନ୍ଦ୍ର, ଡେଭନ କନୱେ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ରାହୁଲ ତ୍ରିପାଠୀ/ବିଜୟ ଶଙ୍କର, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ଅଂଶୁଲ କାମ୍ବୋଜ, ଆର ଅଶ୍ୱିନ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମଥୀଶା ପତିରଣା ।