ମୁମ୍ବାଇ: ଗତ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସବୁ ଖେଳାଳିଙ୍କୁ ସମ୍ମାନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରୋହିତ ଶର୍ମା । ୯ ମାସ ମଧ୍ୟରେ ବହୁ ଉତ୍ଥାନ ପତନ ଦେଇ ଦଳ ଗତି କରିବା ସହ ସାମୂହିକ ସଂଘର୍ଷ କରିଛି ଏବଂ ସଫଳତା ପାଇଛି । ଟିମ୍ର ପ୍ରତ୍ୟେକ ସଦସ୍ୟ ସମ୍ମାନର ହକଦାର ବୋଲି ରୋହିତ ଶର୍ମା କହିଛନ୍ତି । ଭାରତୀୟ ଟିମ୍ ଗତ ୩ଟି ସୀମିତ ଓଭର ଆଇସିସି ଟୁର୍ଣ୍ଣାମେଣ୍ଟରେ ୨୪ ମ୍ୟାଚ୍ରୁ କେବଳ ଗୋଟିଏରେ ପରାସ୍ତ ହୋଇଛି । ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ରେ ଅଷ୍ଟେ୍ରଲିଆ ପାଖରୁ ପରାସ୍ତ ହୋଇଥିଲା ଭାରତୀୟ ଦଳ । ଏହି ଟୁର୍ଣ୍ଣାମେଣ୍ଟକୁ ବାଦ ଦେଲେ ଟି-୨୦ ବିଶ୍ବକପ୍ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ କୌଣସି ମ୍ୟାଚ୍ ହାରିବା ବିନା କପ୍ ହାତେଇଛି ଭାରତ ।
ଦିନିକିଆ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ହାରିନଥିଲେ ଭାରତ ଅପରାଜେୟ ରହିଥାନ୍ତା । ଏହାକୁ ନେଇ ରେହିତ ଶର୍ମା କହିଛନ୍ତି, ‘ଯଦି ଆମେ ସେହି ମ୍ୟାଚ୍ରେ ପରାସ୍ତ ହୋଇନଥାନ୍ତୁ ତେବେ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥାନ୍ତୁ । ୨୪ରୁ ୨୩ଟି ମ୍ୟାଚ୍ ଜିତିବା ବାହାରୁ ଯେତିକି ଆନନ୍ଦ ଦେଉଛି, ଟିମ୍ ସେତିକି ଉତ୍ଥାନ ପତନ ବି ଦେଖିଛି ।’ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବାରା ଏକ୍ସରେ ସେୟାର ହୋଇଥିବା ଏକ ଭିଡିଓରେ ପ୍ରତିକ୍ରିୟା ଦେଇ ରୋହିତ ଶର୍ମା ଲେଖିଛନ୍ତି, ‘ବହୁ କଠିନ ସମୟ ଦେଖିଛୁ । ଏହା ସତ୍ତେ୍ବ ଆପଣମାନଙ୍କୁ ଉତ୍ସବ ମନାଇବା ଲାଗି ସୁଯୋଗ ବି ମିଳିଛି । ମୁଁ ଭାବୁଛି ଗତ ୩ଟି ଟୁର୍ଣ୍ଣାମେଣ୍ଟ ଖେଳିଥିବା ପ୍ରତି ଖେଳାଳିଙ୍କୁ ସମ୍ମାନ ମିଳିବା ଦରକାର ।’
ସେପଟେ ଟିମର ରୂପରେଖ ପରିବର୍ତ୍ତନ କରିବା ପାଇଁ ବିସିସିଆଇ ଚିନ୍ତା କରୁଥିବା ବେଳେ ରୋହିତ ଶର୍ମାଙ୍କ ଏହି ପ୍ରତିକ୍ରିୟା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ରୋହିତ ଶର୍ମା କହିଛନ୍ତି, ‘ଏହା ସେହି ସବୁ ଖେଳାଳିଙ୍କ ପାଇଁ ଯେଉଁମାନେ ଖରାପ ସମୟ ଦେଇ ଗତି କରୁଛନ୍ତି । ପରିସ୍ଥିତି ଯାହା ବି ହେଉ ସେମାନେ ସଫଳତାର ଶିଖର ଛୁଇଁବାକୁ ଚାହୁଁଛନ୍ତି ।’
ସେ କହିଛନ୍ତି, 'ଆମେ ଘରେ ସିରିଜ୍ ହାରିଲୁ ଏବଂ ଅଷ୍ଟ୍ରେଲିଆରେ ଭଲ ଖେଳି ପାରିଲୁ ନାହିଁ। ଏହା ପରେ ଚାମ୍ପିଅନ୍ସ ଟ୍ରଫି ଜିତିଲୁ | ଜୀବନ କ’ଣ ବୋଲି ଗତ ନଅ ମାସ ଏକ ଉତ୍ତମ ଉଦାହରଣ | ଏଥିରେ ସବୁବେଳେ ଉତ୍ଥାନ-ପତନ ଘଟିବ। ' ରୋହିତ କହିଛନ୍ତି ଯେ ସଫଳତା ଏବଂ ମାନସିକତାର ପରିବର୍ତ୍ତନ ୨୦୨୨ ରୁ ଆରମ୍ଭ ହୋଇଥିଲା ଯେତେବେଳେ ଦଳ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ବକପ ସେମିଫାଇନାଲରେ ହାରିଥିଲା ।
ସେ କହିଛନ୍ତି, 'ସେବେଠାରୁ ଆମେ ଖେଳାଳିମାନଙ୍କୁ ସେମାନଙ୍କଠାରୁ କ’ଣ ଆଶା କରାଯାଏ ଏବଂ ଆମେ କିପରି ଖେଳିବାକୁ ଚାହୁଁଛୁ ତାହା ସ୍ପଷ୍ଟ ଭାବରେ କହିଥିଲୁ। ଖେଳାଳିଙ୍କ ସହ ବହୁ ଆଲୋଚନା ହୋଇଥିଲା। ସେମାନଙ୍କୁ ସ୍ବାଧୀନତା ଦେବାର ଆବଶ୍ୟକତା ଥିଲା । ଆମେ କିଛି ସିରିଜ୍ ହାରିଥିଲୁ କିନ୍ତୁ ଭୟଭୀତ ହୋଇ ନଥିଲୁ ।’ ଗତ ବର୍ଷ ଆଇପିଏଲରେ ପଛରେ ପଡ଼ିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଷୟରେ ରୋହିତ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାକୁ ଦୃଢ଼ ସଂକଳ୍ପ ନେବା ଜରୁରି।