ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଦାଦନ ଶ୍ରମିକଙ୍କ ଦୁଃଖ: ରୋଜଗାର କରିବା ପାଇଁ କେରଳ ଯାଇଥିଲେ, ଚାଲିଗଲା ଜୀବନ

Published By : Prameya | February 6, 2025 10:29 PM

ଦାରିଙ୍ଗବାଡି,୬/୨(ଆପ୍ର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସରୁନି ଦାଦନ ଦୁଃଖ । ଦିନ କୁ ଦିନ ଦାଦନ ଯନ୍ତ୍ରଣା ବୃଦ୍ଧି ପାଉଥିବା ବେଳେ ଅକାଳରେ ଚାଲି ଯାଉଛି ଜୀବନ । ହେଲେ ସରୁନି ଦାଦନ ଦୁଃଖ । ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାମ ନମିଳିବା ଯୋଗୁଁ ଲୋକେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି। ହେଲେ ଶବ ହୋଇ ଫେରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ପାର୍ଡାକିଆ ଗ୍ରାମରେ ।

 ଏହି ଗ୍ରାମର ଆଦିବାସୀ ଯୁବକ ହେରଦ ପ୍ରଧାନ ଅନ୍ୟ ଦୁଇଜଣ ସାଙ୍ଗ ନିଜ ଅଞ୍ଚଳରେ କାମ ନମିଳିବାରୁ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଦୁଇ ମାସ ପୂର୍ବେ କେରଳର ତ୍ରିଶୂଲ ଜିଲ୍ଲା ଅଟପାଲମ କ୍ରସର କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ ।  କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ   ହେରଦ ନିଖୋଜ ହୋଇଯାଇଥିଲା। 

ଖୋଜା ଖୋଜି କରିବା ପରେ ପରେ ଜଣା ପଡିଥିଲା ସେ ଯେଉଁ କାମ ପାଇଁ ପଥର ଗୁଣ୍ଡ ଭିତରେ ପଶିଥିଲେ ପରେ ସେଠାରୁ ସେ ବାହାରି ନଥିଲେ।  ଅଜାଣତରେ ଡମ୍ଫରଟି ତାଙ୍କ ଉପରେ ପଥର ଗୁଣ୍ଡ ପୁଣି ଢ଼ାଳି ଦେଇଥିଲା । ଫଳରେ  କିଛି ସମୟ ପରେ ସେଠାରେ ପୋତି ହୋଇଯାଇଥିଲେ। ଏହା ପରେ କମ୍ପାନୀ ତରଫରୁ ପୋଲିସକୁ ସୂଚନା ଦିଆ ଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହେରଦକୁ ଉଦ୍ଧାର କରି ମେଡ଼ିକାଲକୁ ନେଇ ଥିଲେ । ହେଲେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ପରେ ସେଠାରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗ୍ରାମକୁ କମ୍ପାନୀ ତରଫରୁ ଏକ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣା ଯାଇଛି । 

ହେରଦଙ୍କ ଘରେ ରୁହନ୍ତି ବୃଦ୍ଧ ବାପା ମା, ପତ୍ନୀ ଏବଂ ଚାରି ବର୍ଷର କୁନି ପୁଅ ରସନ ପ୍ରଧାନ । ହେରଦଙ୍କର ମୃତ ଘଟଣା ଶୁଣିବା ପରେ ପରିବାର ସମେତ ଅଞ୍ଚଳ ବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କର ଗୋଟିଏ ଚାରି ବର୍ଷର ପୁଅ ରହିଛି । ଗ୍ରାମରେ ହେରଦଙ୍କ ମୃତ ଶରୀର ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ରେ ହେରଦଙ୍କ ସ୍ତ୍ରୀ ସହ ଚାରି ବର୍ଷର କୁନି ଛୁଆ ଏବଂ ବୃଦ୍ଧ ବାପା ମାନଙ୍କୁ କିଏ ସାହା ଭରସା ହେବ । ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିବାର ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.