କୋଣାର୍କ,୧୯।୨(ଆପ୍ର) : ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ବୁଧବାର ସଂଧ୍ୟାରେ ୩୯ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇଛି। ଉତ୍ସବରେ ଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ,ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ପ୍ରଥମେ ଘଣ୍ଟ ମର୍ଦ୍ଦଳ ଓ ଶଙ୍ଖ ଧ୍ବନି ତାଳେ ତାଳେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ବିଜେ ହେବା ପରେ ନାଟ୍ୟ ମଣ୍ଡପ ଓ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀର କଳାକାରମାନେ ପରିବେଷଣ କରିଥିଲେ ପଞ୍ଜଦେବସ୍ତୁତି। ଏହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ କୋଲକତାର ସଙ୍କଳ୍ପ ନୃତ୍ୟାୟନ କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ରଘୁରାଜପୁର ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ପରିବେଷଣ ହୋଇଥିଲା ଗୋଟିପୁଅ ନୃତ୍ୟ। ଏହି ଅବସରରେ ୨୫ତମ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅର୍ପିତା ସେନ,ନିରଞ୍ଜନ ପାଲତା ସଞ୍ଚାଳନ କରିଥିବାବେଳେ ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।