କଣାସ, ୧୮/୦୨: କଣାସ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତକ ହେଲେ ଗଡ଼ସାହି ପଞ୍ଚାୟତ ମର୍ଦ୍ଧାପଲ୍ଲୀ ଗ୍ରାମର ଭରତ ଭୋଇ(୬୦) । ଗତ ସପ୍ତାହରେ ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ କଣାସ ଓ ପରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ । ଦୁଇଦିନ ପରେ ସେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ । ରବିବାର ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ବେଳେ ମୃତ୍ୟୁ ଘଟିଥିଲା ।
ଏହି ଘଟଣାକୁ ନେଇ ଗ୍ରାମର କିଛି ପୁରୁଷ ଓ ମହିଳା ଗଡ଼ସାହି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ହୋହାଲ୍ଲା କରିଥିଲେ । ଡାକ୍ତରଖାନାରେ ତାଲା ପକାଇ ଦେଇଥିଲେ । ଗାଁରେ ଔଷଧ ଦିଆଯାଉନି । ବଡ଼ ପୋଖରୀ ପାଣି ଦୂଷିତ ହେଇଥିଲେ ମଧ୍ୟ ସେଥିରେ ବ୍ଲିଚିଂ ପକାଯାଉନି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଖବରପାଇ ଜିଲ୍ଲା ମହାମାରୀ ବିଜ୍ଞାନୀ ଡା.ଶିଳ୍ପୀ ଦାସ, ଅଣୁ ବିଜ୍ଞାନୀ ଡା.ଶାଶ୍ୱତ ଶତପଥୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.କ୍ଷମାନିଧି ସେଠୀ ଓ ମେଡିକାଲ ଟିମ୍ ଗ୍ରାମକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଘରଘର ବୁଲି ଲୋକଙ୍କୁ ପଚାରି ବୁଝିଥିଲେ ।