ପୁରୀ,୧୮/୦୨: ପୁଣି ଶ୍ରୀମନ୍ଦିର ସୁରକ୍ଷା ଢିଲା । ମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରି ଉତ୍ତରଦ୍ୱାରରେ ବାହାରକୁ ବାହାରିବା ବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲେ । ସେହିଭଳି ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକ ଉତ୍ତରଦ୍ୱାର ଦେଇ ପ୍ରବେଶ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ଓ ସେବାୟତମାନେ ପ୍ରତିବାଦ କରିବାରୁ ସେ ଫେରିଥିଲେ । ତେବେ ସେ କେଉଁଠାରୁ ଆସିଥିଲେ । ତାଙ୍କ ପରିଚୟ ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ ବି ଅଟକାଇ ଯାଞ୍ଚ କରାଯାଇନାହିଁ । ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କୌଣସି ଖବର ନଥିବା କହିଛନ୍ତି ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ।
ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ସ୍ଥାନ । ଏହା ଉପରେ ଆତଙ୍କବାଦୀଙ୍କ ଟାଗେର୍ଟ ରହିଥିବା ନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ସର୍ବଦା ଜିଲ୍ଲା ପୁଲିସକୁ ସତର୍କ ରହିବାକୁ ପରାମର୍ଶ ଦେଇଥାନ୍ତି । ଏପରିକି ହିନ୍ଦୁ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । ଏହା ସତ୍ତେ୍ୱ କିଭଳି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରକୁ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ବାହାରିବା ସମସ୍ତଙ୍କୁ ଚକିତ କରିଛି । ଉକ୍ତ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁଆର ସେବକ ମଧୁସୂଦନ ମହାସୁଆର ।
ସେ କହିଛନ୍ତି, ଶ୍ରୀମନ୍ଦିର ୪ ଦ୍ୱାରରେ ପୁଲିସ କର୍ମଚାରୀମାନେ ମୁତୟନ ହୋଇଥିବା ବେଳେ କିଭଳି ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କଲେ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୩ଟି ଭାଷାରେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଲାଗି ଫଳକ ଲଗାଯାଇଥିଲା । ତାହା ଏବେ ଦେଖିବାକୁ ମିଳୁନାହିଁ । ପ୍ରଶାସନ ତୁରନ୍ତ ୪ ଦ୍ୱାରରେ ଫଳକ ଲଗାଇବାକୁ ସେ ଦାବି କରିଛନ୍ତି