ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସୌନ୍ଦର୍ଯ୍ୟକରଣ ଆଳରେ ପୋତି ଦିଆଯାଉଛି ଚନ୍ଦ୍ରଭାଗା ମେଳାପଡିଆ

Published By : Prameya | February 20, 2025 4:09 PM

କୋଣାର୍କ,୨୦।୨(ଆପ୍ର) : ସୌନ୍ଦର୍ଯ୍ୟକରଣ ଆଳରେ ଚନ୍ଦ୍ରଭାଗା ମେଳାପଡିଆକୁ ପୋତି ଦିଆଯାଉଛି। ଫଳରେ ପ୍ରାଚୀନ ସଂସ୍କୃତି ଓ ପରମ୍ପରା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ତୀବ୍ର ବିରୋଧ କରାଯାଇଥିବା ବିଶ୍ବ ହିନ୍ଦୁ ପରିଷଦ ପୂର୍ବ ବିଭାଗ ସମ୍ପାଦକ ଭାଗିରଥି ସ୍ବାଇଁ କହିଛନ୍ତି । 

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସମ୍ମୁଖରୁ ମେସିନ ସାହାଯ୍ୟରେ ବାଲି ନିଆଯାଇ ଛୋଟାରାମ ମଠ ସମ୍ମୁଖ ମେଳା ପଡିଆକୁ ପୋତି ଦିଆଯାଇ କଂକ୍ରିଟ ଢଳେଇ ହେଉଛି। ଫଳରେ ବହୁ ପ୍ରାଚୀନ ଚନ୍ଦ୍ରଭାଗାର ଐତିହ୍ୟ ଓ ପରମ୍ପରା ଲୋପ ପାଇବାକୁ ବସିଲାଣି। ପବିତ୍ର ମାଘ ସପ୍ତମୀ ତୀଥିରେ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ସପ୍ତମୀ ପୂର୍ବ ରାତିରେ ମେଳାପଡିଆରେ ବାଉଁଶ ଓ କଣି ସାହାଯ୍ୟରେ ଛୋଟ ଛୋଟ କୁଡ଼ିଆରେ ବିଶ୍ରାମ ନେଇଥାନ୍ତି। ମାଟି ହାଣ୍ଡିରେ ଭାତ,ଡାଲମା ରୋଷେଇରେ ଚାରିଆଡ଼େ ବାସ୍ନା ମହକିଥାଏ। ରୋଷେଇ ସାରି କୁଡ଼ିଆରେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁମାନେ। ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଥାନ୍ତି। ଏବେ ମେଳାପଡିଆ ପୋତା ହେଉଥିବା ଦେଖି ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। 

ସୂଚନାଯୋଗ୍ୟ,ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ ପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ମେରାଇନ ଥାନା ସମ୍ମୁଖ ବେଳାଭୂମିର ପ୍ରାୟ ଏକ କିମି ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ହେବ। ବିଶେଷକରି ସନ୍ଧ୍ୟା ସମୟରେ ବେଳାଭୂମିରେ ପର୍ଯ୍ୟଟକମାନେ ଅଧିକ ସମୟ ବିତାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ପ୍ରାୟ ୭୦ଟି ଅସ୍ଥାୟୀ ହସ୍ତଶିଳ୍ପ ବ୍ୟବସାୟ ଦୋକାନ ଓ ୨୪ଟି ସ୍ଥାୟୀ ଦୋକାନ ଗୁଡିକୁ ଉଛେଦ କରାଯିବ। ଉଛେଦ ବ୍ୟବସାୟୀଙ୍କୁ ଜୟଦେବ ବାଟିକା ନିକଟରେ ଥଇଥାନ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.