ଭୁବନେଶ୍ୱର, ୧୭/୦୨: ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା । ବଡ଼ଦାଣ୍ଡରେ ଟ୍ରାଫିକ୍ କଣ୍ଟ୍ରୋଲ ସହ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସ୍ତ୍ର ସାଜିବ AI କ୍ୟାମେରା । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ହେବ ସହଜ । ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍ରୁ ଚାରିଦିଗରେ ରଖି ହେବ କଡ଼ା ନଜର । ସହରର ପ୍ରମୁଖ ସ୍ଥାନ, ସାହି, ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଆଗକୁ ଆସୁଛି ରଥଯାତ୍ରା । ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିଲାଗି ଭକ୍ତଗଣ ଏବେଠୁ ଉତ୍ସାହିତ ହୋଇ ଚାହିଁ ରହିଛନ୍ତି । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଦେଶ ବିଦେଶରୁ ଧାଇଁ ଆସିବେ ବଡ଼ଦାଣ୍ଡରେ ଜଗାକୁ ଦେଖିବା ପାଇଁ । ତେଣୁ ଭକ୍ତଗଣଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବ AI କ୍ୟାମେରା । ବଡ଼ଦାଣ୍ଡରେ AI କ୍ୟାମେରା ସମସ୍ତ ସ୍ଥିତି ଉପରେ ଚାରିଦିଗରୁ ନଜର ରଖି ଭକ୍ତଗଣଙ୍କୁ ଦେବ ସୁରକ୍ଷା । ସେଥିପାଇଁ ସମସ୍ତ ପ୍ରମୁଖ ସ୍ଥାନ ସହ ସାହି, ଗଳି ଏବଂ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ AI କ୍ୟାମେରା । ଏହି କ୍ୟାମେରା ପୋଲିସକୁ ଏହି ସବୁ ସମସ୍ତ ସ୍ଥାନରେ କଡ଼ା ନଜର ରଖିବାରେ ସାହାଯ୍ୟ କରିବ । ଯାହା ଫଳର କୌଣସି ସନ୍ଦିଗ୍ଧ ପୋଲିସ ଆଖିରୁ ଖସି ପାରିବେନି ।
ଏହି AI କ୍ୟାମେରା କେବଳ ଭିଡ଼ ନିୟନ୍ତ୍ରଣ କରିବନି, ଏହା ସହିତ ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ କରିବ । ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଦୂର ଦୂରାନ୍ତରୁ ଆସି ଜଗା ଦର୍ଶନ କରିବେ । ତେଣୁ ଏହି ସମୟରେ ବଡ଼ଦାଣ୍ଡରେ ବହୁ ମାତ୍ରାରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳିବ । ହେଲେ ଏଥର ଟ୍ରାଫିକ୍କୁ ମଧ୍ୟ ନିୟନ୍ତ୍ରଣ କରିବ AI କ୍ୟାମେରା । ଚାରିଦିଗରୁ ଆସୁଥିବା ଗାଡ଼ି ଉପରେ ନଜର ରଖିବ ଏବଂ ପୋଲିସକୁ ସଜାଗ ରହିବାରେ ସହାୟକ ହେବ ଏହି AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ ।