ମୁମ୍ବାଇ ୧୧/୦୩: ବୋନି କପୁର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅନ୍ତିମ ଫିଲ୍ମ ‘ମମ୍’ର ସିକ୍ୱେଲ ବନାଇବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶ୍ରୀଦେବୀ ଓ ବୋନିଙ୍କର ସାନ ଝିଅ ଖୁସି କପୁର ନଜର ଆସିପାରନ୍ତି । ନିକଟରେ ବୋନି କପୁର ନିଜେ ଏ ସଂପର୍କରେ ପ୍ରକାଶ କରିଛନ୍ତି । ବୋନି କହିଛନ୍ତି, ସେ ଖୁସିଙ୍କର ‘ଆର୍ଚିଜ୍’ରୁ ନେଇ ‘ଲଭୟପା’, ‘ନାଦାନିୟାଁ’ ପରି ସବୁ ଫିଲ୍ମ ଦେଖିଛନ୍ତି । ‘ନୋ ଏଣ୍ଟ୍ରି’ ପରେ ଖୁସିଙ୍କ ସହ ଫିଲ୍ମ କରିବାକୁ ଯୋଜନା ରହିଛି । ତାହା ‘ମମ୍୨’ ବି ହୋଇପାରେ ।
ଖୁସି ନିଜ ମା’ଙ୍କ ପଦାଙ୍କ ଅନୁସରଣ କରିବାକୁ ଉଦ୍ୟମ କରୁଥିବାବେଳେ ମା’ଙ୍କ ଭଳି ସଫଳ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ‘ମମ୍’ ଶ୍ରୀଦେବୀଙ୍କର ଅନ୍ତିମ ଫିଲ୍ମ ଥିଲା । ତାକୁ ବୋନି କପୁର ପ୍ରଯୋଜନା କରିଥିଲେ । ଏହି ଫିଲ୍ମରେ ଉଚ୍ଚକୋଟୀର ଅଭିନୟ ଲାଗି ମୃତ୍ୟୁ ପରେ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଥିଲା।