ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ବୁଧବାରଠୁ ନୂଆ ଯୋଦ୍ଧା, ନୂଆ ଲଢ଼େଇ

Published By : Prameya | February 12, 2025 8:13 AM

ଭୁବନେଶ୍ୱର,୧୨/୦୨ : ମଙ୍ଗଳବାର ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଷଷ୍ଠ ଦିନ ତଥା ପ୍ରଥମ ପର୍ଯ୍ୟାୟର ବିଦାୟ ରଜନୀ ବେଶ୍‌ ଆବେଗଭରା ଥିଲା । ଏହି ଲଢ଼େଇରେ ରବିବାରଠାରୁ ଡ. ହରେକୃଷ୍ଣ ମହତାବ ପେଣ୍ଡାଲରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ‘ଜହ୍ନ ରାତିର ଝଡ଼’ ମଞ୍ଚସ୍ଥ କରି ଖଣ୍ଡଗିରି ମଇଦାନକୁ ହୁଲସ୍ତୁଲ କରୁଛି । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ବିଦାୟ ନେଇଥିବା ଅପେରା ଗୁଡିକ ହେଲେ ଯାଜ୍ଞସେନୀ, ବିଶ୍ୱ ଦରବାର, ଦୁର୍ଗା ମନ୍ଦିର, ଶିବାନୀ ଓ ସୂର୍ଯ୍ୟ ମନ୍ଦିର । ଶେଷ ରାତିରେ ବିଶ୍ୱ ଦରବାର ନାଟକ ବଦଳାଇଥିଲା । ଅନୁଷ୍ଠାନ ତାର ରିପିଟ୍‌ ବହି ‘କହିବାକୁ ଲାଜ ଶୁଣିଲେ ପାପ’କୁ ବଦଳାଇ ‘ସବୁ ଜାଣିଛି ଚନ୍ଦ୍ରସେଣା’ ମଞ୍ଚସ୍ଥ କରିଥିଲା । ସେହିପରି ଦୁର୍ଗା ମନ୍ଦିର ମଧ୍ୟ ନୂଆ ନାଟକ ‘ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି’ ମଞ୍ଚସ୍ଥ କରି ବିଦାୟ ନେଇଥିଲା । ଶିବାନୀ ‘ହାଃ କୃଷ୍ଣ ବୋଲି ଯାଉ ଜୀବ’ଓ ସୂର୍ଯ୍ୟ ମନ୍ଦିର ‘ହାଇଦର’ ସେଇ ଗୋଟିଏ ଗୋଟିଏ ନାଟକକୁ ରିପିଟ କରି ମଇଦାନରୁ ବିଦାୟ ନେଇଛନ୍ତି । 

ଶିବାନୀ ମଞ୍ଚରେ ଆଜି ଠାରୁ ‘ଅପେରା ସିଂହବାହିନୀ’ ଓ ସ୍ୱର୍ଣ୍ଣ ମନ୍ଦିର ସ୍ଥାନରେ ‘କୋଣାର୍କ ଗଣନାଟ୍ୟ’ ଲଢ଼େଇରେ ସାମିଲ ହେବାକୁ ଯାଉଛନ୍ତି । ଜୟଦୁର୍ଗା ମଣ୍ଡପରେ ବିଶ୍ୱ ଦରବାର ସ୍ଥାନରେ ଆଜି ଠାରୁ ‘ସ୍ୱପ୍ନ ମହଲ’ ମଇଦାନକୁ ଓହ୍ଲାଇବ । ସେହିପରି ଯାଜ୍ଞସେନୀ ଆଜି ଶେଷ ରାତିରେ ‘ପ୍ରେମ କଲେ ପାପ’ ନାଟକ ମଞ୍ଚସ୍ଥ କରି ମଇଦାନରୁ ବିଦାୟ ନେଇଛି । ଯାଜ୍ଞସେନୀ ସ୍ଥାନରେ ଆଜି ଠାରୁ ମଇଦାନକୁ ଓହ୍ଲାଉଛି ‘ରଙ୍ଗ ମହଲ’ । କେବଳ ‘ତୁଳସୀ’ ୧୭ ତାରିଖ ଯାଏ ନାଟକ ପରିବେଷଣ କରିବ ବୋଲି ସୂଚନା ମିଳିଛି । ବୁଧବାର ଠାରୁ ‘କୋଣାର୍କ’ ଗଣନାଟ୍ୟ ‘ମୋ ହସରେ ତୁ, ମୋ ଲୁହରେ ତୁ’ ମଞ୍ଚସ୍ଥ କରିବ । ନାଟକରେ ଦୈତାରୀ ପଣ୍ଡା, ଜିତୁ, ରତିମିଟୁନା, ନଳିନୀ, ବସନ୍ତ ସାହୁ, ମୁନା, ରୁପା ଓ ଜଗା ପଣ୍ଡା ପ୍ରମୁଖ କଳାକାରଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିବ । 

ସେହିପରି ସିଂହବାହିନୀ ଆଜି ଠାରୁ ‘ବଡ଼ ବେଦରଦୀ କଳା ସାଆନ୍ତ’ ମଞ୍ଚସ୍ଥ କରିବ । ଖଣ୍ଡଗିରିର ଚର୍ଚ୍ଚିତ ନାୟିକା ଟିକି, କାହ୍ନା, ଅଜୁ-ଆପୁ, ଚଗନ, କଣ୍ଢେଇ, ଧଡିଆ ପ୍ରମୁଖ କଳାକାର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ । ସେହିପରି ‘ସ୍ୱର୍ଣ୍ଣ ମହଲ’ ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ମଞ୍ଚସ୍ଥ କରିବ । ସୁବାସ ବେହେରା, ବାବେନା, କମଲ, ସୁମୀ, ଜିତନ-ପିଙ୍କି ଓ ସସ୍ମିତା ପ୍ରମୁଖ କଳାକାରଙ୍କୁ ନେଇ ପାର୍ଟି ଦମ୍‌ ଦେଖାଇବାକୁ ଯାଉଛି । ରଙ୍ଗମହଲ ଆଜି ପାଇଁ ‘ପାପ ଜାଣିନି କି ପୁଣ୍ୟ ଜାଣିନି’ ନାଟକ ମଞ୍ଚସ୍ଥ କରିବ । ବାପି ପଣ୍ଡା, ବାସୁ ମହାନ୍ତି, କୁନା-ରଞ୍ଜି, ମନ୍ଦାକିନୀ, ବୁଦ୍ଧିଆନା, ଗୁରୁ, ଦୀପୁ ମହାନ୍ତି, ଦୀପା, ଜୀନା ଓ କମଲଜିତଙ୍କ ଭଳି କଳାକାର ମଇଦାନରେ ଦମ୍‌ ଦେଖାଇବେ । ସେହିପରି ‘ସ୍ୱପ୍ନ ମହଲ’ ‘ଉଦଣ୍ଡି ସୀତା’ ନାଟକକୁ ନେଇ ମଇଦାନକୁ ଓହ୍ଲାଉଛି ।

ଆଜିର ନାଟକ-

ମହତାବ ପେଣ୍ଡାଲ: ‘ଜହ୍ନ ରାତିର ଝଡ଼’ (ତୁଳସୀ)

ସନାତନ ପେଣ୍ଡାଲ: ‘ମୋ ହସରେ ତୁ, ମୋ ଲୁହରେ ତୁ’ (କୋଣାର୍କ)

ଇନ୍ଦିରା ସାଂସ୍କୃତିକ ମଣ୍ଡପ: ‘ବଡ଼ ବେଦରଦୀ କଳା ସାଆନ୍ତ’ (ସିଂହବାହିନୀ)

ମା’ ମଙ୍ଗଳା ମଣ୍ଡପ: ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’ (ସ୍ୱର୍ଣ୍ଣ ମହଲ)

ଜୟଦୁର୍ଗା ମଣ୍ଡପ: ‘ଉଦଣ୍ଡି ସୀତା’ (ସ୍ୱପ୍ନ ମହଲ)

ବାବା ନୀଳକଣ୍ଠେଶ୍ୱର ମଣ୍ଡପ:  ‘ପାପ ଜାଣିନି କି ପୂଣ୍ୟ ଜାଣିନି’(ରଙ୍ଗମହଲ)

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.