ଭୁବନେଶ୍ୱର ୧୭/୦୨: ଆଜି ଯାତ୍ରା ମହାସମରର ମହାସମାପ୍ତି । ଦୀର୍ଘ ୧୨ ଦିନ ଧରି ଚାଲୁଥିବା ଯାତ୍ରା ମହାକୁମ୍ଭର ବିଦାୟ ରଜନୀ । ମେଲାଣି ନେବେ ୭ଟି ଯାକ ନାଟ ପାର୍ଟି । ହେଲେ ଏହି ଯାତ୍ରା ମହାକୁମ୍ଭରେ ନୂଆ ଅନୁଭୂତି ସାଉଁଟିଛନ୍ତି ଦର୍ଶକ । ଖଣ୍ଡଗିରି ନାଟକ ମଞ୍ଚରେ କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସମସ୍ତ ଯାତ୍ରା କମିଟି, ପୁଲିସଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ଯେଉଁ ଆହ୍ୱାନ ଦେଇଥିଲେ, ତାକୁ ସମସ୍ତ ଯାତ୍ରା ପାର୍ଟି ସମର୍ଥନ ଦେଇଥିଲେ । ଭିନ୍ନ ସ୍ୱାଦର ମନୋରଞ୍ଜନ ପରଷିବା ଉଦ୍ଦେଶ୍ୟରେ ଯାତ୍ରା ରାଣୀ ସିଂହବାହିନୀ ଦର୍ଶକଙ୍କ ଲାଗି ପ୍ରସ୍ତୁତ କରିଥିଲା ସ୍ୱତନ୍ତ୍ର ସୋ’ ପ୍ରହ୍ଲାଦ ହିରଣ୍ୟକଶ୍ୟପୁ ଚରିତ୍ର । ଏକ ହିନ୍ଦୀ ଅଡିଓର ତାଳେ ତାଳେ କଳାକାରମାନେ ନାଟ୍ୟାଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଡାଇସ୍ ଉପରେ ନରସିଂହ ଅବତାରରେ ପ୍ରଭୁ ନାରାୟଣ ହିରଣ୍ୟର ବପୁ ବିଦାରିବା ଦୃଶ୍ୟ ମଞ୍ଚସ୍ଥ ହେବା ବେଳେ ଦର୍ଶକ ବିଭୋର ହୋଇଥିଲେ । ସେହିପରି ତୁଳସୀ ଗଣନାଟ୍ୟ ମଧ୍ୟ ମାତ୍ର ୧୫ ମିନିଟ୍ରେ ରାମାୟଣ ଗାଥା ନୃତ୍ୟନାଟିକା ମାଧ୍ୟମରେ ପରିବେଷଣ କରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଏହିପରି କାର୍ଯ୍ୟକ୍ରମ ପରିବେଷଣକୁ ଏକାମ୍ର ବିଧାୟକ ବାବୁ ସିଂହ ପ୍ରଶଂସା କରିଛନ୍ତି ।
ଶନିବାର ଆଉ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଅନେକ ଦିନ ଧରି ରାଣୀ ପଣ୍ଡା ଓ ଦୈତାରୀ ପଣ୍ଡାଙ୍କ ଭିତରେ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ଖୋଦ୍ ରାଣୀ । ସେ କୋଣାର୍କ ପେଣ୍ଟିଂ ରୁମ୍କୁ ଯାଇ ଦୈତାରୀଙ୍କୁ ପ୍ରଣାମ କରିବା ସହ ଆଶୀର୍ବାଦ ନେଇଥିଲେ। ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ ଧରି ଆଲୋଚନା ହୋଇଥିଲା । ଦୈତାରୀ ତାଙ୍କୁ ମୋ ସୁନା ଭଉଣୀ ବୋଲି କହି କୋଳାଗ୍ରତ କରିବା ସହ ପଛକଥା ଭୁଲି ରାଣୀ ମୋ ପାଖକୁ ଆସିଛି ଓ ମୋତେ ଭାଇନା ବୋଲି କହିଥିବାରୁ ମୁଁ ବହୁତ ଖୁସି ବୋଲି କହିଥିଲେ ।
ନାଟକ ପରିବେଷଣ କଥା ଯଦି ଦେଖିବା କୋଣାର୍କ ଗଣନାଟ୍ୟ ରବିବାର ନାଟକ ବଦଳାଇଛି । ପାର୍ଟି ମଞ୍ଚସ୍ଥ କରିଛି ଇଂ. ଆଶୁତୋଷ ମହାପାତ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ‘ଜଗା ଧରିଛି ଜୀବନ ପଘା’ । ରତି, ମିଟୁନା, ଦୈତାରୀ, ପଙ୍କଜ, ମାମୁନିଙ୍କ ଦମ୍ଦାର ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଛି । ଏହି ନାଟକ ଶେଷ ରଜନୀରେ ବି ମଞ୍ଚସ୍ଥ ହେବ । ଅନ୍ୟ ୬ଟି ଅପେରାଙ୍କର ରବିବାର ରିପିଟ୍ ନାଟକ ମଞ୍ଚସ୍ଥ କରାଯାଇଛି । ଶେଷ ରଜନୀରେ ଆଉ କେଉଁ ପାର୍ଟି ନାଟକ ବଦଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।