ନୂଆଦିଲ୍ଲୀ: ହରିୟାଣାରେ ବାଜିମାତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଏକଜିଟ୍ ପୋଲ୍କୁ ଭୁଲ ପ୍ରମାଣିତ କରି ବିଜେପି ବହୁମତ ହାସଲ କରିଛି । ସରକାର ଗଢ଼ିବା ଲାଗି ୪୬ଟି ଆସନ ଦରକାର ଥିବା ବେଳେ ବିଜେପି ଏକାକୀ ୪୮ଟି ସିଟ୍ରେ ବିଜୟୀ ହୋଇଛି । ସେହିଭଳି କଂଗ୍ରେସ ଖାତାକୁ ଯାଇଛି ୩୭ଟି ଆସନ । ଏହା ବ୍ୟତୀତ ୩ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଜିତିଛନ୍ତି । ନିର୍ବାଚନରେ ବଡ଼ ବିଜୟ ପରେ ବିଜେପି ଶିବିରରେ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ୩ ସ୍ବାଧୀନ ବିଧାୟକ ସମର୍ଥନ ଦେଇ ଦଳକୁ ଆହୁରି ଖୁସି କରାଇ ଦେଇଛନ୍ତି ।
ହରିୟାଣାରେ ବିଜେପିର ନିର୍ବାଚନୀ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କ ସହ ବୈଠକ ପରେ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଇଛନ୍ତି । ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ, ଦେବେନ୍ଦ୍ର କାଦିୟାନ ଏବଂ ରାଜେଶ ଜୁନ୍ ବିଜେପିକୁ ସମର୍ଥନ ଦେବା ପରେ ଦଳର ବିଧାୟକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି । କୁରୁକ୍ଷେତ୍ରର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’ ହେଉଛନ୍ତି ସାବିତ୍ରୀ ଜିନ୍ଦଲ ।
ସେ ହିସାର ଆସନରେ ବିଜେପି ପ୍ରାର୍ଥୀ କମଲ ଗୁପ୍ତାଙ୍କୁ ୧୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୭୪ ବର୍ଷୀୟା ବ୍ୟବସାୟୀ ସାବିତ୍ରୀ ଜିନ୍ଦଲ ୨୦୧୩ରେ ଭୂପିନ୍ଦର ହୁଡାଙ୍କ ସରକାରରେ ମନ୍ତ୍ରୀ ଥିଲେ । ପରେ କଂଗ୍ରେସରୁ ଦୂରେଇ ଯାଇଥିଲା ସାବିତ୍ରୀ ଜିନ୍ଦଲ ।
ସେପଟେ ଦେବେନ୍ଦ୍ର କାଦିୟାନ ସୋନିପତ ଜିଲ୍ଲାର ଗନ୍ନୌର ଆସନରୁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର କୁଲଦୀପ ଶର୍ମାଙ୍କୁ ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଗନ୍ନୌରରେ ବିଜେପି ତୃତୀୟ ସ୍ଥାନରେ ରହିଛି । ସେହିଭଳି ବାହାଦୂରଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ରାଜେଶ ଜୁନ୍ । ସେ ବିଜେପି ପ୍ରାର୍ଥୀ ଦିନେଶ କୌଶିକଙ୍କୁ ୪୧,୯୯୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ରାଜେଶ ଜୁନଙ୍କୁ କଂଗ୍ରେସ ଟିକେଟ ନାଦେବାରୁ ସେ ଦଳରୁ ଇସ୍ତଫା ଦେବା ସହ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।