ନୂଆଦିଲ୍ଲୀ: ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ’କୁ ନେଇ ବିବାଦ ଉଗ୍ର ହେବାରେ ଲାଗିଛି । ଏଥିଲାଗି ଏହାର ମୁଖ୍ୟ ସମୟ ରୈନାଙ୍କୁ ମୁମ୍ବାଇ ପୋଲିସ ସାମ୍ନାରେ ହାଜର ହେବାର ଥିଲା । କିନ୍ତୁ ଏଥିପାଇଁ ସମୟଙ୍କ ଓକିଲ ଅଧିକ ସମୟ ମାଗିଥିଲେ । ସମୟ ରୈନାଙ୍କ ଓକିଲ ମୁମ୍ବାଇ ପୋଲିସକୁ କହିଥିଲେ ଯେ, ସମୟ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି ଏବଂ ସେ ମାର୍ଚ୍ଚ ୧୭ରେ ମୁମ୍ବାଇ ଫେରିବେ । ମାର୍ଚ୍ଚ ୧୭ରେ ସମୟ ହାଜର ହେବେ ବୋଲି ତାଙ୍କ ଓକିଲ କହିଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଦେଇଛି ମୁମ୍ବାଇ ପୋଲିସ । ତଦନ୍ତ ଲାଗି ଏତେ ଦିନ ଅପେକ୍ଷା କରାଯାଇ ପାରିବନାହିଁ ବୋଲି ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ ।
ତଦନ୍ତ ଆରମ୍ଭ ହେବାର ୧୪ ଦିନ ମଧ୍ୟରେ ୟୁଟ୍ୟୁବର ସମୟ ରୈନାଙ୍କୁ ପୋଲିସ ସମ୍ମୁଖରେ ହାଜର ହେବାକୁ ପଡିବ । ଖାର ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ଛଅ ଜଣଙ୍କ ବୟାନ ରେକର୍ଡ କରିଛି । ଏଥିରେ ଶୋ’ରେ ବିଚାରକ ଥିବା ଆଶିଷ ଚଞ୍ଚଲାନି ଏବଂ ଅପୂର୍ବା ମଖିଜା, ଶୋ’ ହୋଇଥିବା ଷ୍ଟୁଡିଓର ମାଲିକ ବଲରାଜ ଘାଇଙ୍କ ସହିତ ଶୋ’ ସହିତ ଅନ୍ୟ ୩ ଜଣ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି । ସେପଟେ ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଆଜି ବୟାନ ରେକର୍ଡ ପାଇଁ ରାଜି ଥିବା ତାଙ୍କ ଓକିଲ ପୋଲିସକୁ କହିଛନ୍ତି ।
‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବିବାଦ କ’ଣ ?
ସଦ୍ୟତମ ଏପିସୋଡ୍ରେ, ରଣବୀର ଆହ୍ଲାବାଦିଆ ଜଣେ ପ୍ରତିଯୋଗୀଙ୍କୁ ଅଶୋଭନୀୟ ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ପରେ ଏହି ମାମଲା ପୋଲିସ ପାଖରେ ପହଞ୍ଚିଛି । ତାଙ୍କର ଅଭଦ୍ର ମନ୍ତବ୍ୟ ଲାଗି ଏକ୍ସରେ ଲୋକେ ୟୁଟ୍ୟୁବରଙ୍କୁ ଟ୍ରୋଲ୍ କରିଛନ୍ତି । ଏହା ବ୍ୟତୀତ, ସୋସିଆଲ ମିଡିଆ ବ୍ୟବହାରକାରୀ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ତିନି ଜଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଜଣେ ୟୁଜର ହାସ୍ୟରସର ମାନ ହ୍ରାସ ପାଉଥିବାରୁ ଦୁଃଖ ପ୍ରକାଶ କରିଥିଲେ । ଅନ୍ୟ ଜଣେ ସତର୍କ କରାଇ ଦେଇଥିଲେ ଯେ, ଏପରି ବିଷୟବସ୍ତୁ ଯୁବ ଶ୍ରୋତାଙ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ । ଜୋରଦାର ଟ୍ରୋଲ ପରେ, ରଣବୀର ଏକ୍ସରେ କ୍ଷମା ପ୍ରାର୍ଥନା ଭିଡିଓ ପୋଷ୍ଟ କରିଥିଲେ । ସେପଟେ ଅନ୍ୟ ଦୁଇ ଜଣ, ସମୟ ଏବଂ ଅପୂର୍ବା ଏପର୍ଯ୍ୟନ୍ତ ବିବାଦ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।